ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ପରେ ଯୁବତୀଙ୍କ ଅନ୍ତରଂଗ ମୁହୂର୍ତ୍ତର ଫଟୋ ଭାଇରାଲ୍‌ କଲେ ଯୁବକ, ପୀଡ଼ିତାଙ୍କ ଅଭିଯୋଗ ପରେ ଗିରଫ

ନିଆଳି: ଯୁବତୀଙ୍କ ଉପରେ ନିର୍ଯାତନା କମିବାର ନାଁ ଧରୁନି। ଗତକାଲି ପୁରୀରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ଆଜି କଟକ ଜିଲ୍ଲାର ନିଆଳି ଥାନା ଅଂଚଳରେ ଜଣେ ନର୍ସିଂ ଛାତ୍ରୀଙ୍କ ଇଜ୍ଜତ ସୋସିଆଲ୍‌ ମିଡିଆ‌ରେ ଭାଇରାଲ୍‌ ହେବାକୁ ଲାଗିଛି। ଉକ୍ତ ଯୁବତୀଙ୍କ ସହ ଥିବା ଅନ୍ତରଂଗ ମୁହୂର୍ତ୍ତର ଫଟୋକୁ ସୋସିଆଲ୍‌ ମିଡିଆରେ ପ୍ରଘଟ କରି ଗିରଫ ହୋଇଛନ୍ତି ଜାହାଙ୍ଗୀରପୁର ଅଞ୍ଚଳର ମାନସ ରଞ୍ଜନ ସାହୁ (୨୩)। ପୀଡ଼ିତାଙ୍କ ଏତଲା ପରେ ମାନସଙ୍କୁ ଗିରଫ କରିଛି ନିଆଳି ପୁଲିସ।

ଉଲ୍ଲେଖଯୋଗ୍ୟ, ଗତ ଦୁଇ ବର୍ଷ ହେବ ଦଳିତ ପୀଡ଼ିତାଙ୍କୁ ମାନସ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖୁଥିଲେ। ଅଭିଯୋଗ ଅନୁସାରେ, ମାନସ ପୀଡ଼ିତାଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ନେଇ ତାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରିଥାନ୍ତି। ସେ ଯୁବତୀଙ୍କର କିଛି ଅନ୍ତରଂଗ ମୁହୂର୍ତ୍ତର ଫଟୋ ତାଙ୍କ ପାଖରେ ରଖିଥିଲେ। ଦୁଇ ଦନେ ତଳେ ମାନସ ଯୁବତୀଙ୍କୁ କୋଣାର୍କ ଯିବାକୁ ଡାକିଲେ। ଯୁବତୀ ଜଣକ ଯିବାକୁ ମନା କରିବାରୁ ସେ ସୋସିଆଲ୍‌ ମିଡିଆରେ ଯୁବତୀଙ୍କ ଫଟୋ ଭାଇରାଲ୍‌ କରି ଦେଇଥିଲେ।

ଝିଅର ଫଟୋ ଭାଇରାଲ୍‌ ପରେ ମାନସଙ୍କୁ ପୀଡ଼ିତାଙ୍କୁ ବିବାହ କରିବା ପାଇଁ ଝିଅ ଘର ପକ୍ଷରୁ ଦାବି ହୋଇଥିଲା। ମାନସ ବିବାହ ପ୍ରସ୍ତାବରେ ରାଜି ନ ‌ହୋଇ ଓଲଟା ପୀଡ଼ିତାଙ୍କ ବାପାମାଆଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଯୁବତୀ ନିଆଳି ଥାନାରେ ଅଭିଯୋଗ ଆଣିବା ପରେ ପୁଲିସ୍‌ ତଦନ୍ତ କରି ଅଭିଯୁକ୍ତ ମାନସକୁ ଗିରଫ କରିଛି।

ସମ୍ବନ୍ଧିତ ଖବର