ପୁଣି ଘାରିଲା କରୋନା ଭୟ; ରଙ୍ଗ ବ୍ୟବସାୟ ଫିକା

କଟକ: ଦିନ କେଇଟାରେ ରଙ୍ଗର ପର୍ବ ହୋଲି। ବର୍ଷକୁ ଥରେ ଏହି ଫଗୁ ଦଶମୀରେ ବିମାନରେ ରାଧାକୃଷ୍ଣଙ୍କ ମେଲଣ ହୋଇଥାଏ। ଏହି ଦିନକୁ ସହରବାସୀ ବେଶ ଧୁମ୍‌ଧାମ୍‌ରେ ମନାଇବା ପାଇଁ ମାସକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ହେଲେ ପୁଣି କରୋନା ଭୟ ଯୋଗୁଁ ଚଳିତ ବର୍ଷ ହୋଲି ଓ ଦୋଳ ମେଲଣ ଫିକା ହେବାକୁ ବସିଛି। କରୋନା ସ୍ଥିତି ସୁଧୁରିବା ପରେ ଦୋଳ ମହୋତ୍ସବ ଓ ହୋଲିକୁ ନେଇ ଉତ୍ସାହ ସୃଷ୍ଟି ହୋଇଥିଲା। କିନ୍ତୁ ପୁଣି କରୋନା ସଂକ୍ରମଣ ବଢିବା ଆଉ ସରକାରଙ୍କ ଗାଇଡଲାଇନ ସବୁ କିଛିକୁ ଫିକା କରିଦେଇଛି। ଏହାର ସିଧା ପ୍ରଭାବ ପଡିଛି ଦୋକାନୀ ମାନଙ୍କ ଉପରେ। ଗତବର୍ଷ ଏହି ସମୟରେ କରୋନା ପ୍ରକୋପ ଆରମ୍ଭ ହେଉଥିବାରୁ ବେପାର କିଛିଟା ମାନ୍ଦା ଧରିଥିଲା। କିନ୍ତୁ ଏଥର ସ୍ଥିତି ଯାହା ସେଥିରେ ଆଗକୁ ଆଉ ବେପାର ହେବା ସମ୍ଭାବନା ବି କମ୍ ବୋଲି ବ୍ୟବସାୟୀ ଆଶଙ୍କା କଲେଣି। ହୋଲିର ୧୫ ଦିନ ପୂର୍ବରୁ ସହରର ଚୌଧୁରୀ ବଜାର, ନୟାସଡ଼କ, କଲେଜ ଛକ, ଦୋଳମୁଣ୍ତାଇ ଆଦି ସ୍ଥାନରେ ଦୋକାନ ଖୋଲିଥିବାବେଳେ ରଙ୍ଗ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ଭିଡ ଜମିଥାଏ। ହେଲେ ଚଳିତବର୍ଷ ହୋଲିକୁ ଆଉ ମାତ୍ର ଦିନ କେଇଟା ଥିବାବେଳେ ଏବେ ଯାଏଁ ବେପାର ୨୦ ପ୍ରତିଶତ ହୋଇନଥିବା ବେପାରୀମାନେ ପ୍ରକାଶ କରିଛନ୍ତି।

ପ୍ରତ୍ୟେକବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୋକାନମାନଙ୍କରେ ବିଭିନ୍ନ ପ୍ରକାରର ରଙ୍ଗ ଯଥା ଗୁଲାଲ, ସେଣ୍ଟଡେ ଗୁଲାଲ, ପାଉଡର ଗୁଲାଲ, ହରବଲ ଗୁଲାଲ ରଙ୍ଗ ରହିଥିବାବେଳେ ଏହାର ଦର ଶହେ ଗ୍ରାମକୁ ୨୦ ଟଙ୍କା ଠାରୁ ଆରମ୍ଭ କରି ୩ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ରଙ୍ଗ ଖେଳିବା ପାଇଁ ପିଚ୍‌କାରୀ ରହିଛି ଯାହାର ଦର ୨୦ ଟଙ୍କାରୁ ଆରମ୍ଭ କରି ୧ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାସହ ରଙ୍ଗ ବେରଙ୍ଗର ହେୟାର ଯଥା- ମାଲିଙ୍ଗା, ଅଘୋରୀ, ଋଷି, ଜଟାୟା ସମେତ ରଙ୍ଗବେରଙ୍ଗ ହେୟାର ରହିଛି। ଯାହାର ଦର ୯୦ ଟଙ୍କାରୁ ଆରମ୍ଭ କରି ୩୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ‌ୱାଟର ବେଲୁନ ଯାହାର ଦର ୫ ଟଙ୍କାରୁ ଆରମ୍ଭ କରି ୭୦ ଟଙ୍କା ପର୍ଯ୍ୟନ୍ତ ରହିଛି। କରୋନାକୁ ନଜରରେ ରଖି ଖାସ୍‌ କରି ହୋଲି ପାଇଁ ରହିଛି ଦୁଇ ପ୍ରକାରର ମାସ୍କ। ପ୍ଲାଷ୍ଟିକ ମାସ୍କ ଦର ୧୦ ଟଙ୍କା ରହିଥିବାବେଳେ ଫାଇବର ମାସ୍କ ୭୦ ଟଙ୍କା ରହିଛି। କିନ୍ତୁ ହୋଲି ପାଳନ ଉପରେ ସରକାର କଟକଣା ଜାରି କରିଥିବା ବେଳେ ଏସବୁ ସାମଗ୍ରୀ ହୁଏତ ଆଗକୁ ଆଉ ବିକ୍ରି ହେବନି ବୋଲି ଦୋକାନୀ ଆଶଙ୍କା କଲେଣି।

Sambad

ଏଯାଏ ୨୦ ପ୍ରତିଶତ ବେପାର ହୋଇନି
୧୫ ଦିନ ପୂର୍ବରୁ ଦୋକାନ ଖୋଲିଥାଏ। ଏବଂ ବେପାର ମଧ୍ୟ ଖୁବ ଭଲ ହୋଇଥାଏ। କେବଳ କଟକ ନୁହେଁ ଅନ୍ୟ ଅଞ୍ଚଳରୁ ମଧ୍ୟ ଲୋକେ ଜିନିଷ ନେଇଥାନ୍ତି। ହେଲେ ଚଳିତବର୍ଷ ହୋଲିକୁ ମାତ୍ର ୭ ଦିନ ରହିଥିବା‌ ବେଳେ ଏବେ ସୁଦ୍ଧା ୨୦ ପ୍ରତିଶତ ବେପାର ହୋଇନାହିଁ। ଏହାସହ ‌ଏବେ ସଂକ୍ରମଣ ବଢିବା ସହିତ କଟକଣା ଜାରି କରାଯାଇଥିବାରୁ ଆଗକୁ ଭଲ ବେପାରକୁ ନେଇ ଆଶା କରାଯାଇ ପାରୁ ନାହିଁ।

-ଅବିନାଶ ନନ୍ଦୀ, ଦୋକାନୀ, ଚୌଧୁରୀ ବଜାର

Sambad

ସଂକ୍ରମଣର ଭୟ ରହୁଛି
ଲୋକେ ବହୁ ମାତ୍ରାରେ ଭୟଭୀତ ହୋଇ ରହିଛନ୍ତି। ଏପରିକି ଇଚ୍ଛା ଥାଇ ମଧ୍ୟ ରଙ୍ଗ ଖେଳିବା ପାଇଁ ଭୟ କରୁଛନ୍ତି। ସଂକ୍ରମଣ ଏବେ ବଢ଼ୁଥିବାରୁ ବେପାର ମାନ୍ଦା ଧରିଛି। ୨୦ ପ୍ରତିଶତ ବେପାର ହେବା କ‌ଷ୍ଟକର ହୋଇଯାଇଛି। ତଥାପି ବି ଆଶା ଅଛି। ଦେଖାଯାଉ।

-ଗଣେଶ ଅଗ୍ରୱାଲ
ଦୋକାନୀ, ନୟାସଡ଼କ

Sambad

 

 

ଅଧା ସାମଗ୍ରୀ ଏଯାଏ କାଢିନି
ଦୋକାନ କରିବା ଦିନଠୁ ଏଭଳି ପରିସ୍ଥିତି କେବେ ବି ଉପୁଜି ନଥିଲା। ହେଲେ କରୋନା ସମ୍ପୂର୍ଣ୍ଣ ବେପାରକୁ ମାନ୍ଦା କରି ଦେଇଛି। ଏପରିକି ଦୋକାନରେ ଅଧା ସାମଗ୍ରୀ ମଧ୍ୟ କଢ଼ା‌ ହୋଇନି କି ନୂଆ ଭେରାଇଟି ମଧ୍ୟ ଆଣି ନାହିଁ। ବହୁ କ୍ଷତିର ସାମ୍ନା କରିବାକୁ ପଡ଼ିଛି। କେବେ ପରିସ୍ଥିିତି ସୁଧିରିବ ତାହା ଅପେକ୍ଷାରେ ସମସ୍ତ ଦୋକନୀମାନେ ରହିଛୁ।

-ମନ ରାଉତ,
ଦୋକାନୀ, ଦୋଳମୁଣ୍ତାଇ

ସମ୍ବନ୍ଧିତ ଖବର