କଟକ: ବର୍ଷା ହେଲେ କମିସନର୍ଙ୍କ କାର୍ଯ୍ୟାଳୟରେ ଜମୁଛି ପାଣି। ଛାତରୁ ଖସୁଛି ସିଲିଂ। ଜୋର୍ ପବନ ବହିଲେ ଛାତ ଉଡ଼ିଯିବାର ଭୟ ମଧ୍ୟ ରହିଛି। ଏଭଳି ସ୍ଥିତି ପାଇଁ କାର୍ଯ୍ୟରତ କର୍ମଚାରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏମିତିକା ୭୦ବର୍ଷର ପୁରୁଣା ଆଜ୍ବେଷ୍ଟସ୍ ଘରେ ଚାଲିଛି ପୁରୁଣା ସଚିବାଳୟସ୍ଥିତ ଓଡ଼ିଶା ୱାକଫ୍ ବୋର୍ଡ। ଅନ୍ୟପକ୍ଷରେ ନୂଆ କୋଠା ନିର୍ମାଣ ପାଇଁ ଆର୍ ଆଣ୍ଡ୍ ବି ପକ୍ଷରୁ ଏକ ପ୍ଲାନ୍ ଓ ଏଷ୍ଟିମେଟ୍ ତିଆରି ହୋଇ ସଂଖ୍ୟାଲଘୁ ବିଭାଗକୁ ପଠାଯାଇଥିଲେ ମଧ୍ୟ ଦୀର୍ଘଦିନ ହେଲା ତାହା ପଡ଼ି ରହିଛି। ଏଥିରୁ ସଂଖ୍ୟାଲଘୁ ସଂପ୍ରଦାୟକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଏହି ବିଭାଗର ସଂଖ୍ୟାଲଘୁଙ୍କ ପ୍ରତି ଥିବା ତତ୍ପରତା ଓ ଆନ୍ତରିକତା ସ୍ପଷ୍ଟ ବାରି ହେଉଛି। ଏହାକୁ ନେଇ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାରଙ୍କ ଏସ୍ସି, ଏସ୍ଟି, ସଂଖ୍ୟାଲଘୁ, ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ ପରିଚାଳିତ ଓଡ଼ିଶା ୱାକଫ୍ ବୋର୍ଡ କଟକର ପୁରୁଣା ସଚିବାଳୟରେ ଚାଲିଛି। ଏକ ପୁରୁଣା ଆଜ୍ବେଷ୍ଟସ୍ ଘରେ ଓଡ଼ିଶା ୱାକଫ୍ ବୋର୍ଡ, ସର୍ଭେ କମିସନର୍ଙ୍କ କାର୍ଯ୍ୟାଳୟ ଓ ହଜ୍ କମିଟି କାର୍ଯ୍ୟାଳୟ ଭଳି ୩ଟି ଅଫିସ୍ ଚାଲିଛି। ଆଜବେଷ୍ଟସ୍ ଘରଟି ପୁରୁଣା ଓ ଅସୁରକ୍ଷିତ ହୋଇଥିବାରୁ ଏହି ଘରଟିକୁ ଭାଙ୍ଗି ଏକ ନୂଆକୋଠା ନିର୍ମାଣ ପାଇଁ ସର୍ଭେ କମିସନର୍ ଆର୍ ଆଣ୍ଡ୍ ବି ନିର୍ବାହୀଯନ୍ତ୍ରୀଙ୍କୁ ଚିଠି କରିଥିଲେ। ଆର୍ ଆଣ୍ଡ୍ ବି ସୁପରିନ୍ଟେଣ୍ଡିଂ ଇଞ୍ଜିନିୟର୍ ୱାକଫ୍ ବୋର୍ଡର ୩ଟି କାର୍ଯ୍ୟାଳୟ ଚାଲିବା ଭଳି ଏକ ନୂଆକୋଠା ୨ କୋଟି ୯୩ ଲକ୍ଷ ୧୩ହଜାର ୬ ଶହ ଟଙ୍କାର ଏଷ୍ଟିମେଟ୍ ଓ ପ୍ଲାନ୍ ପ୍ରସ୍ତୁତି କଲେ।
ସଂପୃକ୍ତ ଏଷ୍ଟିମେଟ୍କୁ ୨୦୧୯, ଜାନୁଆରିରେ ରାଜ୍ୟ ସରକାରଙ୍କ ଏସ୍ସି, ଏସ୍ଟି, ସଂଖ୍ୟାଲଘୁ ସଂପ୍ରଦାୟ, ପଛୁଆବର୍ଗ କମିସନର୍-ସଚିବଙ୍କ ପାଖକୁ ପଠାଇ ଦିଆଗଲା। ପଛୁଆବର୍ଗ କମିସନର୍-ସଚିବ ଏହାକୁ ରାଜ୍ୟ ଅର୍ଥ ବିଭାଗକୁ ପଠାଇ ମଞ୍ଜୁରି ଆଣିବା ବଦଳରେ ଶୀତଳଭଣ୍ଡାରରେ ରଖି ବସିଛନ୍ତି। ଏପଟେ କର୍ମଚାରୀମାନେ ଅସୁରକ୍ଷିତ ସ୍ଥିତିରେ କାର୍ଯ୍ୟ କରୁଛନ୍ତି। ୱାକଫ୍ ବୋର୍ଡ କାର୍ଯ୍ୟାଳୟର ଜଣେ ବରିଷ୍ଠ କର୍ମଚାରୀଙ୍କ କହିବା ଅନୁସାରେ, ୱାକଫ୍ ବୋର୍ଡର ଏଷ୍ଟିମେଟ୍ ସରକାରଙ୍କ ପାଖକୁ ଯାଇଥିବା ସମୟରେ ୱାକଫ୍ ବୋର୍ଡ ପାଖାପାଖି ହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ହଷ୍ଟେଲ୍, ସିଡିଏମ୍ଓ ଅଫିସ୍, ଶୈଳବାଳା କଲେଜର ଦୁଇଟି କୋଠାର ଏଷ୍ଟିମେଟ୍ ଚାଲିଥିଲା। ଏହା ମଧ୍ୟରେ ପାଖାପାଖି ହିନ୍ଦୀ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ହଷ୍ଟେଲ୍, ସିଡିଏମ୍ଓ ଅଫିସ୍, ଶୈଳବାଳା କଲେଜର ଦୁଇଟି କୋଠାର ଏଷ୍ଟିମେଟ ଅନୁମୋଦନ ଲାଭ କରି ଆସିବା ସହିତ ତିନିଟି ଯାକ କୋଠା ନିର୍ମାଣ ସରିଲାଣି। କିନ୍ତୁ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପ୍ରତି ଏଭଳି ଅଣଦେଖା ଓ ଅବିଚାର କ’ଣ ପାଇଁ ବୋଲି ସଂପୃକ୍ତ କର୍ମଚାରୀ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ସବୁ ଜାଣି ସଂଖ୍ୟାଲଘୁଙ୍କ ପ୍ରତି ଏଭଳି ଅବିଚାର ଓ ଅଣଦେଖା କରୁଛନ୍ତି ବୋଲି ୱାକଫ୍ ବୋର୍ଡର ଜଣେ ପୂର୍ବତନ ସଭ୍ୟ କହିଛନ୍ତି।