କଟକ: କଟକ ପୌର ନିଗମର ପକ୍ଷରୁ ଆଜି ଠାରୁ ଆରମ୍ଭ ହୋଇଛି ଏକ ନୂଆ ଧରଣର ସରକାରୀ କାର୍ଯ୍ୟକ୍ରମ ‘ମୋ ୱାର୍ଡ ପରିକ୍ରମା’। ୱାର୍ଡ ନମ୍ବର ୧ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୱାର୍ଡ ବାସିନ୍ଦାଙ୍କ ନିକଟରେ ପହଞ୍ଚିବେ ମେୟର, କମିସନରଙ୍କ ଠାରୁ ଆରମ୍ଭ କରି ଅଧିକାରୀ ଓ କର୍ମଚାରୀ। ୱାର୍ଡରେ ଚାଲୁଥିବା ବିଭିନ୍ନ ଉନ୍ନତିମୂଳକ କାମର ସମୀକ୍ଷା କରାଯିବା ସହ ୱାର୍ଡ ବାସିନ୍ଦାଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ଏହାର ସମାଧାନ ଦିଗରେ ଯୋଜନା ପ୍ରସ୍ତୁତ କରାଯିବ। ଏହି ଅଭିଯାନର ପ୍ରଥମ କାର୍ଯ୍ୟକ୍ରମ ସ୍ବରୂପ ୱାର୍ଡର ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଅପରାହ୍ନ ୫ଟାରେ ଆଇନଜୀବୀ ଯଯାତି ମହାନ୍ତିଙ୍କ ପୌରୋହିତ୍ୟରେ ୱାର୍ଡର ବରିଷ୍ଠ ନାଗରିକଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ୱାର୍ଡ‌ର ବର୍ଷା ଜଳ ନିଷ୍କାସନ, ଡ୍ରେନ ସଫେଇ, ପୋଖରୀ ସଫେଇ, ପରିମଳ ବ୍ୟବସ୍ଥା, ଦୁଇ ଓଳି ରାସ୍ତା ସଫେଇ, ଜାଇକା, ଅମୃତ ଯୋଜନା ପରି ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯାଇଥିଲା। ବିଶେଷ ଭାବେ ୱାର୍ଡରେ ଥିବା ସ୍କୁଲ, ଅଙ୍ଗନୱାଡି, ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟ ବ୍ୟବସ୍ଥିତ ଢଙ୍ଗରେ ଚାଲିବା ଉପରେ ବରି‌ଷ୍ଠ ନାଗରିକଙ୍କ ମତାମତ ଓ ସହଯୋଗ ଲୋଡା ଯାଇଥିଲା। ବୈଠକରେ ମେୟର ସୁବାସ ସିଂହ, ସ୍ଥାନୀୟ କର୍ପୋରେଟରଙ୍କ ପ୍ରତିନିଧି ଟୁକୁନା ଶତପଥୀ, ୨ ନମ୍ବର ୱାର୍ଡ କର୍ପୋରେଟର ପୁଷ୍ପିତା ମହାନ୍ତି, ଡେପୁଟି କମିସନର ଅଜୟ ମହାନ୍ତି, ୱାର୍ଡ ବିଜେଡି ସଭାପତି ବୀରେନ ବେହେରା, ଦୁର୍ଗା ପୂଜା କମିଟି ସଭାପତି ପଞ୍ଚାନନ ଜେନା ସଂପାଦକ ଶିବେନ୍ଦ୍ର ବେହେରା, ପୂର୍ବତନ ସଭାପତି ଭଗବାନ ଚାନ୍ଦ, ବିଡ଼ାନାସୀ ଗ୍ରାମ କମିଟି ସଭାପତି ମଧୁସୂଦନ ମଲ୍ଲିକ, ବିଶ୍ବନାଥ ଧୀର, ବିଚିତ୍ରାନନ୍ଦ ସାମଲ, ନଗେନ୍ଦ୍ର ମହାନ୍ତି, ଅବିନାଶ ମହାନ୍ତି, ଶରତଚନ୍ଦ୍ର ନାୟକ, ସତ୍ୟବ୍ରତ ବେହେରା, ଶିଶିର ନାୟକ, ପ୍ରଶାନ୍ତ ସାମଲ, ଜଗନ୍ନାଥ ସ୍ବାଇଁ, ଦେବେନ୍ଦ୍ର ପାଣିଗ୍ରାହୀ, ରାଜୀବ ମହାନ୍ତି, ଜନ୍‌ ଆଶିଷ ବରାଳ, ମିହିର ଦାସ, ଦୀପ୍ତି ରଂଜନ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ବିଶେଷ ଅତିଥି ଭାବେ ୱାର୍ଡର ଶତାୟୁ ମହିଳା ହେମଲତା ବେହେରା (୧୧୭ ବର୍ଷ) ଯୋଗ ଦେଇଥିଲେ।
ମୋ ୱାର୍ଡ କାର୍ଯ୍ୟକ୍ରମରେ ସଂଧ୍ୟାରେ ୱାର୍ଡର ରାଧାକୃଷ୍ଣପୁର ବସ୍ତିରେ ଜାଗା ମିସନ ସଂପାଦକ ବିରଞ୍ଚି ନାରାୟଣ ପତିଙ୍କ ‌ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବସ୍ତିର ୧୬୧ ପରିବାର ଅଢେଇ ଶହରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ। ସଭାରେ ଜାଗା ମିଶନ, ବିଜୁ ଆଦର୍ଶ କଲୋନି, ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ମଳିବା ପରି ବିଭିନ୍ନ ବିଷୟ ଉପରେ ଆଲୋଚନ ହୋଇଥିଲା। ବିଶେଷ ଭାବେ ବସ୍ତିରେ ଡ୍ରେନ, ରାସ୍ତା, କମ୍ୟୁନିଟି ସେଣ୍ଟର, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଉପରେ ଆଲୋଚନା ‌କରାଯାଇଛି। ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ପ୍ରସ୍ତାବ ଉପରେ ଆସନ୍ତା ଦି‌ନରେ କାମ କରାଯିବ ବୋଲି ମେୟର ସୁବାସ ସିଂହ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ବୈଠକରେ ଡେପୁଟି କମିସନର ସଞ୍ଜୀବିତା ରାୟ ଓ ଶ୍ବେତପଦ୍ମ ଡି. ଶତପଥୀ, ଜଗାମିସନ ସଭାପତି ପାର୍ବତୀ ବାରିକ, କାହ୍ନୁଚରଣ ବେହେରା, ସବିତା ସିଂ, ରଂଜିତ ସାମଲ, ବିଶ୍ବଜିତ ମହାନ୍ତି, ଚିତ୍ତରଂଜନ ଚୌଧୁରୀ, ଅକ୍ଷୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।