ଅନ୍ଧାରରେ ତ୍ରିଶୂଳିଆ ଛକ-ନେତାଜୀ ସେତୁ ରାସ୍ତା, ଜିଲ୍ଲା ପରିଷଦ ସଭ୍ୟଙ୍କ ଚେତାବନୀ

୧୦ଦିନ ଭିତରେ ଆଲୋକୀକରଣ କରାନଗଲେ ଧାରଣା

କଟକ: ତ୍ରିଶୂଳିଆ ଛକରୁ ନେତାଜୀ ସୁଭାଷ ସେତୁ ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ୬ମାସ ହେଲା ଅନ୍ଧାରେ ରହିଛି। ବିଭିନ୍ନ ସମୟରେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟ‌ରେ ଦାବି କରାଯିବା ସତ୍ତ୍ବେ ଏଯାବତ୍‌ ତାହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ୩୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ ବିଭାଗକୁ ଅଲ୍‌ଟିମେଟମ୍‌ ଦେଇଛନ୍ତି। ଆସନ୍ତା ୧୦ଦିନ ମଧ୍ୟରେ ଆଲୋକୀକରଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରା ନଗଲେ ସେ ଓ ଅନ୍ୟ ଲୋକ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଶ୍ରୀ ‌ଚକ୍ରବର୍ତ୍ତୀ ଚେତବାନୀ ଦେଇଛନ୍ତି। ଶ୍ରୀ ଚକ୍ରବର୍ତ୍ତୀ ଅଭିଯୋଗ କରିଛନ୍ତି ‌ଯେ, ଗତ ୬ମାସ ହେଲା ତ୍ରିଶୂଳିଆ ବଜାର ଛକ ହାଇମାଷ୍ଟ୍‌ ଲାଇଟ୍‌ ଅଚଳ ରହିଥିବା ବେଳେ ଛକରୁ ସେଭାଷ ସେତୁ ସଂଯୋଗୀକରଣ ରାସ୍ତାର ଆଲୋକୀକରଣ ବ୍ୟବସ୍ଥା ବି କାମ କରୁନି। ୨ଲକ୍ଷ ଟଙ୍କା ବିଜୁଳି ବିଲ୍‌ ବାକି ଥିବାରୁ ଅନ୍ଧାରରେ ରହିଛି ରାସ୍ତା। ଫଳରେ ଚୋରି, ରାହାଜାନୀ ଓ ବ୍ୟାପକ ନିଶା କାରବାର ବଢିଛି।

ଯାହାକୁ ନେଇ ଗତ ଏପ୍ରିଲ ୧୧ତାରିଖରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲେ ବି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନି। ଆସନ୍ତା ୧୦ ଦିନ ଭିତରେ ଏହାକୁ ଠିକ୍‌ କରା ନଗଲେ ତାଙ୍କ ନେତୃତ୍ବରେ ଜନପ୍ରତିନିଧିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମାଖରେ ଧାରଣା ଦେବେ ବୋଲି ସେ କହିଛନ୍ତି। ଆଜି ଶ୍ରୀ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ଜନପ୍ରତିନିଧିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ମାରକପତ୍ର ପ୍ରଦାନ କରିବା ସହ ୧୦ ଦିନର କଣ୍ଟ ଦେଇଛନ୍ତି। ଆଜି ଜିଲ୍ଲାପରିଷଦ ସଦସ୍ୟ ତଥା ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ସହ ମଧୁପୁର ସରପଞ୍ଚ ସସ୍ମିତା ଭୋଇ, ସମିତିସଭ୍ୟ କିଶନ କୁମାର ଜେନା, ଶ୍ରୀବନ୍ତପୁର ସରପଞ୍ଚ ସଞ୍ଜୟ କୁମାର ପାଣି, ସମିତିସଭ୍ୟ ମୋନାଲିସା ପ୍ରଧାନ, ଦାଢ଼ାପାଟଣା ସମିତିସଭ୍ୟ ବନାନି ସ୍ବାଇଁ, ମୁଣ୍ଡଳୀ ସରପଞ୍ଚ କଣ୍ଢେଇ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର