କେବେ ସୁଧୁରିବ ୪୮ ନମ୍ବର ୱାର୍ଡ ଜଳ ନିଷ୍କାସନ ସମସ୍ୟା?

୧୯୯୫ର ଯୋଜନା; ୨୭ ବର୍ଷ ହେଲା ଆଗେଇ ପାରୁନି

କଟକ-ଜଗତପୁର: ଜଗତପୁର ୪୮ନଂ ୱାର୍ଡ ଅଞ୍ଚଳରେ ଜଳ ନିଷ୍କାସନ ଏକ ପ୍ରମୁଖ ସମସ୍ୟା। ଏହି ସମସ୍ୟାର ସମାଧାନ ପାଇଁ ୧୯୯୨ରେ ତତ୍କାଳୀନ ନଗରପାଳ ତ୍ରିଲୋଚନ କାନୁନଗୋ ଉଦ୍ୟମ କରିଥିଲେ। ୧୯୯୫ ମସିହାରେ ଡ୍ରେନେଜ  ବିଭାଗ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ କିଛି ଦିନ ପରେ କାମ ବନ୍ଦ ହୋଇଯାଇଥିବା ବେଳେ ଦୀର୍ଘ ୨୭ ବର୍ଷ ହେଲା ସେମିତି ପଡ଼ି ରହିଛି। ୨୦୧୨ ମସିହାରେ ତତ୍କାଳୀନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ରାଜ୍ୟ ନଗର ଉନ୍ନୟନ ବିଭାଗକୁ ତ୍ୱରିତ ପଦକ୍ଷେପ ପାଇଁ ପ୍ରସ୍ତାବ ଦେଇଥିଲେ l କିନ୍ତୁ  ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦିଆଯିବା ସହିତ,  ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଡ୍ରେନେଜ ବିଭାଗର ଦାୟିତ୍ୱ କହି ପରୋକ୍ଷରେ ଏହାକୁ ଏଡାଇ ଯାଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଆନ୍ଦୋଳନ ଓ ପ୍ରତିବାଦ ଫଳରେ ୨୦୧୪ ମସିହାରେ ଡ୍ରେନେଜ ବିଭାଗ ଏହାର ସର୍ବେକ୍ଷଣ କରିବା ସହ ୨୦୧୭ ମସିହାରେ ୯୧ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଏକ ଡିପିଆର ପ୍ରସ୍ତୁତ କରି କଟକ ମହାନଗର ନିଗମକୁ ହସ୍ତାନ୍ତର କରିଥିଲେ। କିନ୍ତୁ ତାହାର ବୈଷୟିକ ମଞ୍ଜୁରୀ ପାଇଁ ୨୦୨୧ ମସିହାରେ ପୁଣି କଟକ ମହାନଗର ନିଗମ ପକ୍ଷରୁ ଉକ୍ତ ନଥିପତ୍ର ଡ୍ରେନେଜ ବିଭାଗକୁ ପଠାଇ ଦିଆଯାଇଥିଲା l

ଯାହା ଫଳରେ ୨୦୨୧, ଜୁନ୍ ୨ ତାରିଖରେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳ ଡ୍ରେନେଜ ବିଭାଗ ଓ ସିଏମସିର ଅଧିକାରୀ ମାନଙ୍କ ସହିତ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରିଥିଲେ l ୨୦୨୧, ଜୁନ ୩୦ ତାରିଖରେ ଏହି ପ୍ରକଳ୍ପକୁ ଡ୍ରେନେଜ ବିଭାଗ ଅନୁମୋଦନ କରି ତାହାକୁ କାର୍ଯ୍ୟକାରୀ କରିବ ପାଇଁ ସିଏମସିକୁ ନଥିପତ୍ର ହସ୍ତାନ୍ତର କରିଥିଲେ l କମିସନର ଅନନ୍ୟା ଦାସ ଛଅ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l କିନ୍ତୁ ଏବେ ସିଏମସି ସିଟି ଇଞ୍ଜିନିୟରଙ୍କ ଟେବୁଲରେ ଫାଇଲ୍ ପଡି ରହିଥିବା ଜଣାପଡିଛି l ମେୟର ସୁବାସ ସିଂହ ଗଲା ୧୧ ତାରିଖରେ ନିମପୁର କିଶୋର କ୍ଲବରେ ଏକ କାର୍ଯ୍ୟକ୍ରମକୁ ଆସିଥିବା ସମୟରେ ଏ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଅଂଚଳବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା l ଶ୍ରୀ ସିଂହ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଅଗ୍ରାଧିକାର ଦେବେ ବୋଲି କହିଥିଲେ। କିନ୍ତୁ ଏହା କେବେ କାର୍ଯ୍ୟକାରୀ ହେବ, ତାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ବଢିବାରେ ଲାଗିଛି।

ସମ୍ବନ୍ଧିତ ଖବର