ବିଦ୍ୟାଧରପୁର: କଟକ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ ୫୨ ରୁଚି ମସଲା ଗଳି ରେକି ମିସନ ପଛପଟ ବି ଏସ ଏନ୍ ଏଲ୍ ଟାୱାର ପାଖରେ ରହିଛି ଶ୍ରୀରାମ ନଗର। ଏଠି ୨୦ ପରିବାର ଆଜକୁ ୭ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସାହି ବାସିନ୍ଦା ଆଡଭୋକେଟ ରାଜେଶ କୁମାର ମହାନ୍ତି, ରାମରତନ ଦାସ, ପ୍ରଫୁଲ୍ଲ କୁମାର ମହାପାତ୍ର, ଦିବାକର ସ୍ବାଇଁ, ସଞ୍ଜୟ ଚିନ୍ନାରା, ଅରୁଣ କୁମାର ବିଶ୍ବାଳ, ପ୍ରମୋଦ ସ୍ବାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ପ୍ରତିବର୍ଷ ବର୍ଷା ଦିନେ ୨୦ ପରିବାର ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି। କିନ୍ତୁ ଚଳିତ ଲଗାଣ ବର୍ଷାରେ ଦୁର୍ଦ୍ଦଶା ସବୁକୁ ବଳି ଯାଇଛି। ଏଠାରେ ଥିବା ୩/୪ ଏକର ଖାଲୁଆ ଖାଲି ଜମିରେ ପାଣି ଭର୍ତ୍ତି ହୋଇ ରହିଛି। ସିଏମସି ପକ୍ଷରୁ ଏଠାରେ ଡ୍ରେନ ନିର୍ମାଣ ହୋଇନାହିଁ। ପାଣି ନିଷ୍କାସନର କୈାଣସି ସୁବିଧା ନାହିଁ। ରାସ୍ତାରେ ଅଣ୍ଟାଏ ଉଚ୍ଚତାରେ ପାଣି ଜମି ରହିଛି। ଘର ଭିତରେ ଆଣ୍ଠୁଏ ଲେଖାଏଁ ପାଣି। ଘର ପାଖକୁ ଗାଡି ଏପରିକି ଦୁଇ ଚକିଆ ଗାଡ଼ି ଆସିପାରୁ ନାହିଁ।

Advertisment

ପିଲାମାନେ  ସ୍କୁଲ କଲେଜ ଯାଇପାରୁ ନାହାନ୍ତି। ଘରେ ସାପ ପଶୁଛନ୍ତି। ୨୦୦ ମିଟର ଦୂରରେ ଦରଖାପାଟଣା ଦୁର୍ଗା ମନ୍ଦିର ପଛପଟରେ ଡ୍ରେନ ଅଛି। ଏଠାରେ ଡ୍ରେନ ନିର୍ମାଣ କରି ତା ସହିତ ମିଶାଇ ଦେଲେ ପାଣି ନିଷ୍କାସନ ସମସ୍ୟା ସମାଧାନ ହୋଇପାରନ୍ତା ବୋଲି ସେମାନେ କହିଛନ୍ତି। କିନ୍ତୁ ବାରମ୍ବାର ସିଏମସି ନିକଟରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏବେ ସମସ୍ତେ ଏକାଠି ହୋଇ ନିଜ ଖର୍ଚ୍ଚରେ ମୋଟର ପମ୍ପ ଲଗାଇ ପାଣି ନିଷ୍କାସନ ପାଇଁ ପଦକ୍ଷେପ ନେଉଥିଲେ ବି ତାହା ସହଜ ହେଉ ନାହିଁ। ପାଣି ଖସିବା ବିଳମ୍ବ ହେଉଛି। ସିଏମସି କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।