ସବୁ ଆଶା ମଉଳିଗଲା! ଡ୍ରେନ୍‌ରେ ପଙ୍କ; ୨୦ ଘଣ୍ଟା ଯାଏ ବିଭିନ୍ନ ଅଞ୍ଚଳରେ ପାଣି

କଟକ: ଗୋଟିଏ ବର୍ଷାରେ ସହରର ସ୍ଥିତି ବେହାଲ। ୨୦ ଘଣ୍ଟା ଯାଏ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଲା। ‌ନିର୍ବାଚିତ ପ୍ରତିନିଧି ଦାୟିତ୍ବ ନେବା ପରେ ସବୁକିଛି ସଜାଡି ହୋଇଯିବ ବୋଲି ଯାହା ଆଶା କରାଯାଉଥିଲା, ତାହା ହେଲା ନାହିଁ। ସହରର ସମସ୍ତ ଗଳିକନ୍ଦି ଓ ମୁଖ୍ୟ ଡ୍ରେନରୁ ପଙ୍କ ଉଦ୍ଧାର କାମ ଶେଷ କରିବାକୁ ଯୋଜନା ହୋଇଥିଲେ ବି ତାହା କେବଳ କାଗଜ କଲମରେ ସୀମିତ ଥିବା ପ୍ରମାଣିତ ହୋଇଛି। ନବ ନିର୍ବାଚିତ ମେୟର ଓ କର୍ପୋରେଟରଙ୍କୁ ନେଇ ଏପ୍ରିଲ ୭ରୁ ମେ ୨ ତାରିଖ ମଧ୍ୟରେ ୩ଟି କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି। ହେଲେ ଏଥିରେ କଟକର ପ୍ରମୁଖ ସମସ୍ୟା କୁହାଯାଉଥିବା ଜଳବନ୍ଦୀକୁ ନେଇ ସେପରି କିଛି ‌ପଦକ୍ଷେପ ନିଆଯାଇ ନାହିଁ। ଏହାର ପ୍ରଭାବ ଗତକାଲି ସଂଧ୍ୟାରେ ହୋଇଥିବା ବର୍ଷର ପ୍ରଥମ ବର୍ଷରେ ଦେଖିବାକୁ ମଳିଛି। ଅଳ୍ପ ପରିମାଣର ବର୍ଷା ହୋଇଥ‌ିଲେ ବି ଅନେକ ରାସ୍ତା ଉପରେ ୨୦ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ପାଣି ଜମି ରହିଥିଲା।

Sambad

ସହର ମଧ୍ୟରେ ଥିବା ୧୯ କିଲୋମିଟର ବିଶିଷ୍ଟ ଏମ୍‌ଏସ୍‌ଡବ୍ଲୁସି-୧ ଓ ୨ ଡ୍ରେନ ଓ ୨୯ କିଲୋମିଟରର ବିଏସ୍‌ଡବ୍ଲୁସି ଡ୍ରେନ ସଫା ହୋଇ ନଥିବାରୁ ବର୍ଷା ଜଳ ନିଷ୍କାସନରେ ସମସ୍ୟା ହୋଇଥିବା କୁହାଯାଉଛି। କେଶପୁର, ଶେଖବଜାର, ଅରୁଣୋଦୟନଗରସ୍ଥିତ ସିଡିଏ କାର୍ଯ୍ୟାଳୟ, ତିନିକୋଣିଆ ବଗିଚା, ସୂତାହାଟ, ଖଟବିନସାହି, ସୈଦାନିବଗିଚା ଆଦି ସ୍ଥାନରେ ବ‌ର୍ଷା ଛାଡିବାର ୨୦ ଘଣ୍ଟା ପରେ ରାସ୍ତାରେ ଏକ ଫୁଟର ପାଣି ଜମି ଥିବାର ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗକୁ ଯଦି ବର୍ଷା, ପବନ ହୁଏ ତେବେ ସହରରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର