କଟକ: ମାଲଗୋଦାମରେ ନିର୍ଦ୍ଦିଷ୍ଟ କିଛି ବ୍ୟବସାୟୀ ପାଣି ଯିବା ରାସ୍ତାରେ ସ୍ଥାୟୀ ଦୋକାନ ଘର ନିର୍ମାଣ କରିଥିବାରୁ ପାଣି ରେଭେନ୍ସା ବିଶ୍ବବିଦ୍ୟାଳୟ ପଛପଟ ଡ୍ରେନକୁ ଯାଇପାରୁ ନାହିଁ। ରାସ୍ତା ଅବରୋଧ କରାଯାଇଥିବାରୁ ସିଏମସିର ସଫେଇ କର୍ମଚାରୀ ପଛପଟେ ଥିବା ଡ୍ରେନକୁ ଆଜିକୁ ପ୍ରାୟ ୧୦ ବର୍ଷ ହେବ ସଫେଇ କରିପାରି ନାହାନ୍ତି। ଡ୍ରେନ୍ ସଫେଇ ନହେବା ଫଳରେ ଏହି ଡ୍ରେନ୍ ସମ୍ପୂର୍ଣ୍ଣ ଭାବେ ପୋତି ହେବାକୁ ବସିଲାଣି। ଯାହା ଫଳରେ ପ୍ରତି ଥର ବର୍ଷାରେ ମାଲଗୋଦାମରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। ତେବେ ବ୍ୟବସାୟୀଙ୍କ ଜବରଦଖଲରେ ଥିବା ଡ୍ରେନକୁ ସଂଯୋଗ କରୁଥିବା ଏହି ରାସ୍ତାଗୁଡ଼ିକ କେବେ ମୁକ୍ତ ହେବ ତାହାକୁ ନେଇ ପ୍ରଶ୍ନ ଉଠୁଛି। ସୂଚନା ଅନୁଯାୟୀ, ମାଲଗୋଦାମରେ ସିଏମସି ପକ୍ଷରୁ ୫୦ ବର୍ଷ ତଳେ ପାଖାପାଖି ୪୦ଟି ଘର ବ୍ୟବସାୟୀଙ୍କ ପାଇଁ ନିର୍ମାଣ କରାଯାଇଥିଲା। କିଛି ଘରକୁ ନେଇ ଗୋଟିଏ ଲେଖାଏ ବ୍ଲକ ହୋଇଥିଲା। ମୋଟ ୪ଟି ବ୍ଲକ ମଧ୍ୟରେ ୧୦ ଫୁଟ ଲେଖାଏ ଚଉଡ଼ା ରାସ୍ତା ଛଡ଼ାଯାଇଥିଲା। ଏହି ରାସ୍ତାରେ ପାଣି ଯିବା ସହିତ ପଛପଟକୁ ଯାଇ ଡ୍ରେନ୍ ସଫେଇ କରାଯାଉଥିଲା। କିନ୍ତୁ ଗଲା ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ସେହି ରାସ୍ତାରେ ବ୍ୟବସାୟୀମାନେ ସ୍ଥାୟୀ ଦୋକାନ ଘର ନିର୍ମାଣ କରି ଦେଇଛନ୍ତି। ଯାହା ଫଳରେ ଏହି ଦୋକାନ ଘର ପଛପଟ ରେଭେନ୍ସା ବିଶ୍ବବିଦ୍ୟାଳୟ ପାଚେରି ପାର୍ଶ୍ବ ଦେଇ ଯାଇଥିବା ଡ୍ରେନର ସଫେଇ ହୋଇପାରୁନାହିଁ। ପଛପଟକୁ ସିଏମସିର ସଫେଇ କର୍ମଚାରୀ ଯାଇପାରୁନଥିବାରୁ ୧୦ ବର୍ଷ ହେବ ଏହି ଡ୍ରେନ୍ ସଫେଇ ହୋଇପାରୁନାହିଁ। ବ୍ଲକ ପାର୍ଶ୍ବ ରାସ୍ତା ଜବରଦଖଲ ଥିବାରୁ ମାଲଗୋଦାମର ପାଣି ପଛପଟକୁ ବି ଯିବା କଷ୍ଟକର ହୋଇପଡ଼ୁଛି।

Advertisment

କଲେଜ ଛକରୁ କଂଗ୍ରେସ ଅଫିସ ଦେଇ ଆସିଥିବା ଏହି ଡ୍ରେନରେ ମାଲଗୋଦାମ ସହିତ ରେଭେନ୍ସା ବିଶ୍ବବିଦ୍ୟାଳୟ ଭିତରୁ ବି ପାଣି ଆସିଥାଏ। ଡ୍ରେନ୍ ଏବେ ଆବର୍ଜନାରେ ପୋତି ହୋଇଯାଇଥିବାରୁ ତୁରନ୍ତ ଜବରଦଖଲ ନହଟିଲେ ମାଲଗୋଦାମର ସ୍ଥିତି ସଂଗିନ ହେବାକୁ ଯାଉଛି। ଅନ୍ୟପଟେ ମାଲଗୋଦାମରୁ ତାଳଦଣ୍ଡାକୁ ପ୍ରାୟ ସାତଟି ଡ୍ରେନ୍ ସଂଯୋଗ ହୋଇଥିଲା। କିନ୍ତୁ ତାଳଦଣ୍ଡାରେ ନିର୍ମାଣ କାମ ଆରମ୍ଭ ହେବା ପରେ ଏହାକୁ ବନ୍ଦ କରିଦିଆଯାଇଥିଲା। ଯେଉଁ ଦୁଇଟି ମୋଟର ପମ୍ପ ଲାଗିଛି, ଏଥିରେ ୬ ଇଞ୍ଚିଆ ପାଇପ୍ ଲାଗିଥିବାରୁ ଏହା ପାଣି ନିଷ୍କାସନ କରିବାରେ ପର୍ଯ୍ୟାପ୍ତ ହେଉନାହିଁ। ଏବେ ବାରମ୍ବାର ଜଳବନ୍ଦୀ ହେଉଥିବାରୁ ଭଲ୍‌ଭୋ ପମ୍ପ ଏହି ସ୍ଥାନରେ ବ୍ୟବହାର କରାଯିବା ନେଇ ସିଏମସି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ କେବେ ଏହା କାର୍ଯ୍ୟକାରୀ ହେବ ତାକୁ ନେଇ ପ୍ରଶ୍ନ ଉଠିଛି। ସେହିଭଳି ଅନନ୍ତ ଶୟନ ମନ୍ଦିର ନିକଟରେ ଏକ କଲଭର୍ଟ ନିର୍ମାଣ କାର୍ଯ୍ୟ ତତ୍କାଳୀନ କମିସନର ଅନନ୍ୟା ଦାସଙ୍କ ସମୟରେ ହେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏଯାଏ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏହି କଲଭର୍ଟ ନିର୍ମାଣ ହେଲେ ପାଣି ସିଧା ରେଭେନ୍ସା ପଛପଟ ଡ୍ରେନରେ ମିଶିବ। ମାଲଗୋଦାମରେ ଏଭଳି ଜବରଦଖଲ ଉଚ୍ଛେଦ ଓ ଜଳବନ୍ଦୀ ସମସ୍ୟାକୁ ନେଇ ସିଏମସି ସହିତ ମିଳିତ ଭାବେ ଏକ କମିଟି ଗଠନ କରିବାକୁ ମାଲଗୋଦାମ ବଣିଜ ସଂଘ ବାରମ୍ବାର ଦାବି କରିଆସୁଛି। ଏହି କମିଟି ମାଧ୍ୟମରେ ମାଲଗୋଦାମରେ ଯେଉଁ ସ୍ଥାନରେ ଜବରଦଖଲ କରାଯାଇଛି, ସେଗୁଡ଼ିକ ଉଚ୍ଛେଦ କରିବା ସହିତ ମାଲଗୋଦାମକୁ ଗହଳି ମୁକ୍ତ କରିବା ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ସହଜ କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି। ଜଳବନ୍ଦୀ ସମସ୍ୟା ହେଲେ ମାଲଗୋଦାମରେ ଥିବା ପାଖାପାଖି ୩୦୦ ଗୋଦାମ ଓ ଖୁଚୁରା ଦୋକାନ ପ୍ରଭାବିତ ହେଉଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ନଷ୍ଟ ହେଉଥିବାରୁ ଏହାର ସିଧାସଳଖ ପ୍ରଭାବ ବ୍ୟବସାୟ ଉପରେ ପଡ଼ୁଛି। ତେଣୁ ଜବରଦଖଲ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଦାବି ହେଉଛି।