ନୂଆବଜାରବାସୀ ୪ ମାସ ହେଲା ପାଣି ପାଇଁ ହନ୍ତସନ୍ତ; ଅଭିଯୋଗ ପରେ ୪ ଦିନରେ ଥରେ ମିଳୁଛି ପାଣି

କଟକ/ବିଦ୍ୟାଧରପୁର: ଏହା କୈାଣସି ଉପାନ୍ତ ଅଞ୍ଚଳ ନୁହେଁ। ପୁରୁଣା ରାଜଧାନୀ କଟକ ସହରର ପୂର୍ବାଞ୍ଚଳରେ ଥିବା ବଡ଼ ବ୍ୟବସାୟ ମଣ୍ଡି। ୱାର୍ଡ ନଂ ୫୪ରେ ଆସୁଥିବା ଏଡି ଅଞ୍ଚଳରେ ପ୍ରାୟ ୨୫ ପରିବାର ଓ ୨୦୦ରୁ ଅଧିକ ବ୍ୟବସାୟୀ ସ୍ଥାୟୀ ଭାବରେ ବ୍ୟବସାୟ ଓ ବସବାସ କରି କରୁଛନ୍ତି। ଏହି ଅଞ୍ଚଳକୁ ମହାନଦୀବିହାରସ୍ଥିତ ପାନୀୟଜଳ ଯୋଗାଣ (ପିଏଚ୍‌ଡି-୨)ରୁ ପାଣି ଯୋଗାଇ ଦିଆଯାଇଥାଏ। ନୂଆବଜାର ଅଞ୍ଚଳଠାରୁ ପିଏଚ୍‌ଡି-୨ ଅଫିସ ଦୂରତା ୫୦୦ ମିଟରରୁ କମ୍। ଆଜକୁ ୪ ମାସ ହେଲା ଏହି ଅଞ୍ଚଳକୁ ପାଇପ୍ ଯୋଗେ ପାଣି ଯୋଗାଣ ବନ୍ଦ ରହିଛି। ଫଳରେ ୨୫ ପରିବାର ସହିତ ଅନ୍ୟ ବ୍ୟବସାୟୀମାନେ ପାଣି ପାଇଁ ଡହଳବିକଳ ହେଉଥିବା ଅଭିଯୋଗ କରିଛନ୍ତି। ନୂଆବଜାର ଅଞ୍ଚଳ ଦେଇ ତାଳଦଣ୍ଡା କେନାଲ ଯାଇଛି। କିନ୍ତୁ ତାଳଦଣ୍ଡା କେନାଲର ପୁନରୁଦ୍ଧାର ପାଇଁ ଯୋବ୍ରା ଆନିକଟଠାରେ କେନାଲ ପାଣି ଅଟକାଇ ଦିଆଯାଇଛି। ଫଳରେ ପାଣି ଅଭାବ ସମୟରେ ତାଳଦଣ୍ଡା କେନାଲ ଉପରେ ନିର୍ଭର କରି ଚଳୁଥିବା ଲୋକମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ପାଣିର ସଙ୍କଟ ଯୋଗୁଁ ନୂଆବଜାରବାସୀ ଘୋର ଦୁର୍ଗତି ମଧ୍ୟରେ ଅଛନ୍ତି। ୨୦୦ରୁ ଅଧିକ ବ୍ୟବସାୟୀ ଓ ଏହି ୨୫ ସ୍ଥାୟୀ ପରିବାରର ଏକମାତ୍ର ସାହାରା ହନୁମାନଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ନଳକୂପ। ନୂଆବଜାର ବ୍ୟବସାୟୀ ସଂଘର ସଂପାଦକ ଉମେଶ ସାହୁ ଓ ସ୍ଥାୟୀ ପରିବାରଗୁଡ଼ିକ ପକ୍ଷରୁ ଝୁନା ମହାରଣା, କମଳା ମହାରଣା, ପାର୍ବତୀ ମହାରଣା, ଗୀତାଞ୍ଜଳି ମହାରଣା, ପୀତବାସ ମହାରଣା, ଘନଶ୍ୟାମ ବେହେରା ପ୍ରମୁଖ କହିଛନ୍ତି ଯେ, ଆମେ ପିଏଚ୍‌ଡି-୨ ଅଫିସକୁ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଗଲୁଣି।

କନିଷ୍ଠ ଯନ୍ତ୍ରୀଙ୍କୁ ୪ମାସ ଧରି ପାଣି ଯୋଗାଇ ଦେବାକୁ ନିବେଦନ କଲୁଣି। ଗତ ୪ମାସ ମଧ୍ୟରେ ଏସଡିଓଙ୍କର କେବେ ଦେଖା ମିଳି ନାହିଁ। ସେଆଦୌ ଅଫିସ ଆସୁ ନ ଥିବାରୁ ଦେଖା ମିଳୁ ନାହିଁ ବୋଲି ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ କନିଷ୍ଠ ଯନ୍ତ୍ରୀ ଆଜି ହେବ, କାଲି ହେବ କହି ଦିନ ଗଡ଼ାଇ ଚାଲିଛନ୍ତି। ବାରମ୍ବାର ଅଫିସ ଯିବାରୁ ସେ ବିରକ୍ତ ହୋଇ ଏତେଥର କାହିଁକି ଆସୁଛ ବୋଲି କହୁଥିବା ଅଭିଯୋଗ କରିଛନ୍ତି ପାର୍ବତୀ ମହାରଣା ଓ ଗୀତାଞ୍ଜଳି ମହାରଣା। ବହୁବାର ଅଭିଯୋଗ ପରେ ୧୫ଦିନ ହେବ ଗୋଟିଏ ଛୋଟ ଟ୍ୟାଙ୍କର୍‌ରେ ୪ ଦିନରେ ଥରେ ପ୍ରତି ପରିବାରକୁ ୮ ବାଲିଟ୍ ପାଣି ଦେଉଛନ୍ତି। ୪ ଦିନକୁ ୮ ବାଲ୍‌ଟି ପାଣିରେ ଶୌଚ ଓ ପିଇବୁ କେମିତି ବୋଲି ପ୍ରଶ୍ନ କରିଛନ୍ତି ବାସିନ୍ଦାମାନେ? ଏ ସଂକ୍ରାନ୍ତରେ ଜେଇ ଦୟାନିଧି ବେହେରାଙ୍କୁ ପଚାରିବାରୁ ସେ କହିଲେ, ପୋତା ପୋଖରୀ ଓ ନୂଆବଜାର ଶାସ୍ତ୍ରୀନଗର ରାସ୍ତା ଗଡ଼ା ସମ୍ମୁଖରେ ଜାଇକା ଖୋଳି ପିଏଚ୍‌ଡି ପାଇପ୍‌ଲାଇନ୍‌ କାଟି ଦେଇଥିବା ଯୋଗୁଁ ସମାସ୍ୟା ଉପୁଜୁଛି। ଏହା ବ୍ୟତୀତ ଅଧିକାଂଶ ସମୟରେ ଲାଇନ ରହୁ ନଥିବା ଯୋଗୁଁ ପାଣି ଯୋଗାଣରେ ବାଧା ସୃଷ୍ଟି ହୋଇଛି। ଖରାଦିନ ଯୋଗୁଁ କାମ ଶୀଘ୍ର ହୋଇ ପାରୁ ନାହିଁ। ଶୀଘ୍ର କାମ ଶେଷ କରିବା ପାଇଁ ଚେଷ୍ଟା କରୁଛି ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର