ଶୀଘ୍ର ଭୂତାଣୁର ସଂକ୍ରମଣ ସ୍ଥିତି ଜାଣିବାର ଉପାୟ: ଏଚ୍ଆର୍ସିଟି ସଂପୂର୍ଣ୍ଣ ନିରାପଦ
କଟକ : କୋଭିଡ୍ ପରୀକ୍ଷା କ୍ଷେତ୍ରରେ ଆର୍ଟି-ପିସିଆର୍, ଆଣ୍ଟିଜେନ୍ ଇତ୍ୟାଦି ପରୀକ୍ଷା ଲାଭଦାୟକ ହୋଇଛି। କିନ୍ତୁ କୋଭିଡ୍ର ନୂଆ ରୂପର ଭୂତାଣୁକୁ ଚିହ୍ନଟ କରିବାରେ ଏହି ପରୀକ୍ଷା ଗୁଡ଼ିକ ମଧ୍ୟ ଶତପ୍ରତିଶତ ସଫଳ ହୋଇପାରୁନାହାନ୍ତି। ତେଣୁ ଫୁସ୍ଫୁସ୍ର ସଂକ୍ରମଣ ସ୍ତରକୁ ନେଇ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଜାଣି ହୋଇପାରୁଛି। ଏଥିପାଇଁ ଛାତିର ଏଚ୍ଆର୍ସିଟି କରାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। କିନ୍ତୁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ଅଳ୍ପ ଲକ୍ଷଣ ଦେଖାଦେଉଥିବା ରୋଗୀଙ୍କ କ୍ଷେତ୍ରରେ ଏଚ୍ଆରସିଟି ପରୀକ୍ଷା ନିରାପଦ ନଥିବା ଉକ୍ତି ପରେ ଭାରତୀୟ ରେଡିଓଲୋଜିକାଲ ଆଣ୍ଡ ଇମେଜିଂ ସଂଘ (ଆଇଆରଆଇଏ) ଏହାକୁ ବିଭ୍ରାନ୍ତିକର ବୋଲି ଆଖ୍ୟା ଦେଇଛି। ତେବେ ଏଚ୍ଆର୍ସିଟି ରୋଗୀଙ୍କ ପାଇଁ କେତେ ନିରାପଦ ସେ ବିଷୟରେ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ତଥା ରେଡିଓଲୋଜି ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଚ୍ଆର୍ସିଟି ଯୋଗୁଁ କୋଭିଡ୍ ପରିଚାଳନା ସହଜ ଓ ସୁବିଧା ହୋଇଥାଏ
କରୋନା ଭୂତାଣୁକୁ ଶୀଘ୍ର ଚିହ୍ନଟ କରିବା ପାଇଁ ଛାତିର ଏଚ୍ଆର୍ସିଟି ବା ହାଇ ରିଜୋଲ୍ୟୁସନ କମ୍ପ୍ୟୁଟେଡ୍ ଟମୋଗ୍ରାଫିର ନିତାନ୍ତ ଆବଶ୍ୟକତା ରହିଛି। ଯାହାଦ୍ବାରା ରୋଗୀର କୋଭିଡ୍ ପରିଚାଳନା କରିବାରେ ଡାକ୍ତରଙ୍କୁ ସହଜ ଓ ସୁବିଧା ହୋଇପାରିବ। ଶୀଘ୍ର ସଂକ୍ରମଣର ସ୍ଥିତି ଜଣାପଡ଼ିବା ଦ୍ବାରା ରୋଗୀକୁ ତୁରନ୍ତ ଆବଶ୍ୟକ ଚିକିତ୍ସା ମିଳିପାରିବ। ଯଦିଓ ଆର୍ଟି ପିସିଆର୍ ପରୀକ୍ଷା ଦ୍ବାରା କରୋନା ଭୂତାଣୁ ଚିହ୍ନଟ ହୋଇପାରୁଛି, କିନ୍ତୁ ବେଳେବେଳେ ଭୂତାଣୁର ସଂଖ୍ୟା କମ୍ ରହୁଥିବାରୁ ରିପୋର୍ଟ ନେଗେଟିଭ୍ ଆସୁଛି। ଏହାବ୍ୟତୀତ ରିପୋର୍ଟ ଆସିବାବେଳକୁ ଦୁଇତିନିଦିନ ବିଳମ୍ବ ହୋଇଯାଉଛି। ଏହାମଧ୍ୟରେ ରୋଗୀର ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଉଛି। ଯେଉଁମାନଙ୍କଠାରେ ଭୂତାଣୁ ସଂଖ୍ୟା କମ୍ ଥିଲେ ବି ସେମାନେ ଏହାର ବାହକ ହୋଇ ପରିବାରର ଅନ୍ୟମାନଙ୍କୁ ସଂକ୍ରମଣ କରାଉଛନ୍ତି। ତେଣୁ ଏକ୍ଷେତ୍ରରେ ଭୂତାଣୁକୁ ଶୀଘ୍ର ଚିହ୍ନଟ କରିବା ପାଇଁ ଛାତିର ଏଚ୍ଆର୍ସିଟି କରାଇବା ନିହାତି ଜରୁରି।
ଛାତି ଏକ୍ସ-ରେ ରେ ସ୍କୋର ୬ରୁ ୧୦ ଭିତରେ ରହିଲେ ଏଚ୍ଆର୍ସିଟି ବାଧ୍ୟତାମୂଳକ
ସଂକ୍ରମଣର ପରିମାଣକୁ ଜାଣିବା ପାଇଁ ଏକ ସ୍କୋରିଂ ବ୍ୟବସ୍ଥା କରାଯାଇଛି। ମୋଟ ଉପରେ ୨୫ ନମ୍ବର ରଖାଯାଇଥିଲାବେଳେ, ଯେଉଁମାନଙ୍କର ଭୂତାଣୁ ପରିମାଣ ୭ ମଧ୍ୟରେ ରହିବ ସେମାନେ ମାଇଲ୍ଡ ବା ମୃଦୁ ବର୍ଗରେ ଅାସିବେ। ଯେଉଁମାନଙ୍କର ପରିମାଣ ୭ରୁ ୧୫ ମଧ୍ୟରେ ରହିବ ସେମାନଙ୍କୁ ମଡରେଟ୍ ବା ମଧ୍ୟମ ବର୍ଗ ଏବଂ ଯେଉଁମାନଙ୍କର ପରିମାଣ ୧୫ରୁ ଅଧିକ ରହିବ ସେମାନଙ୍କୁ ସିଭିଅର ବା ଗୁୁରୁତର ବର୍ଗ ମଧ୍ୟରେ ସ୍ଥାନିତ କରାଯିବାକୁ ଏକ ସ୍କୋରିଂ ପ୍ରଚଳନ କରାଯାଇଛି। ଛାତି ଏକ୍ସ-ରେ’ରେ ଯେଉଁମାନଙ୍କର ସ୍କୋର ୬ରୁ ୧୦ ମଧ୍ୟରେ ରହୁଛି, ସେମାନଙ୍କର ଏଚ୍ଆର୍ସିଟି ପରୀକ୍ଷା କରାଇବା ବାଧ୍ୟତାମୂଳକ କରାଯାଇଛି।
ଅତ୍ୟାଧୁନିକ ମେସିନ୍ରେ ରେଡିଏସନ୍ ପ୍ରଭାବରୁ କାହାକୁ କର୍କଟ ହୋଇଥିବା ପ୍ରମାଣ ନାହିଁ
୩୦ରୁ ୪୦ ବର୍ଷ ପୂର୍ବେ ଯେଉଁ ମେସିନ୍ରେ ଏଚ୍ଆର୍ସିଟି କରାଯାଉଥିଲା ତାହା ଭିନ୍ନ ଧରଣର ଥିଲା। ସେଥିରେ ରେଡିଏସନ୍ ଅଧିକ ରହୁଥିଲା। ସବୁକିଛି ମାନୁଆଲଭାବେ ନିୟନ୍ତ୍ରଣ କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନର ଅତ୍ୟାଧୁନିକ ମେସିନ୍ରେ ରେଡିଏସନ୍ କମ୍ ରହୁଛି। ଥରେ ଏଚ୍ଆର୍ସିଟି କଲେ ତାହା ୩ରୁ ୪ଟି ଏକ୍ସ-ରେ ସହିତ ସମାନ। ରିପୋର୍ଟ ମଧ୍ୟ ଖୁବ୍ଶୀଘ୍ର ଓ ନିର୍ଭୁଲ ଭାବେ ଆସିପାରୁଛି। ପୁରୁଣା ମେସିନ୍ ଓ ନୂଆ ମେସିନ୍ ମଧ୍ୟରେ ଅନେକ ଫରକ ରହିଛି। ନୂଆ ମେସିନ୍ରେ ରେଡିଏସନ୍ ପ୍ରଭାବରୁ କାହାକୁ କର୍କଟ ହୋଇଥିବା ଘଟଣାର ପ୍ରମାଣ ନାହିଁ। ଏହାକୁ କେବଳ ଜୀବନ ରକ୍ଷାକାରୀ ଭାବେ କୋଭିଡ୍ ଭୂତାଣୁର ଶୀଘ୍ର ଚିହ୍ନଟ ପାଇଁ ବ୍ୟବହାର କରାଯାଉଛି।
ସ୍ବୟଂଚାଳିତ ନିୟନ୍ତ୍ରଣ ଥିବାରୁ ଛୋଟ ପିଲାମାନଙ୍କ ପରୀକ୍ଷା ମଧ୍ୟ ନିରାପଦ
ଛୋଟ ପିଲାମାନଙ୍କ ଛାତି ଏଚ୍ଆର୍ସିଟି ପାଇଁ ମଧ୍ୟ ନୂଆ ମେସିନ୍ରେ ସବୁପ୍ରକାରର ବ୍ୟବସ୍ଥା ରହିଛି। ଛୋଟ ପିଲାଙ୍କ ପ୍ରତି ରେଡିଏସନ୍ ଜନିତ କୌଣସି ବିପଦ ଏଥିରେ ନାହିଁ। ଶରୀରର ଅାବଶ୍ୟକତା ଅନୁସାରେ ଫ୍ୟାକ୍ଟର ଦିଆଯାଇଥାଏ। କେଉଁ କ୍ଷେତ୍ରରେ କେତେ ଫ୍ୟାକ୍ଟର ଆବଶ୍ୟକ ହେବ, ସେହି ଅନୁସାରେ ତାହା ସ୍ବୟଂଚାଳିତ ଭାବେ ନିୟନ୍ତ୍ରଣ ହୋଇଥାଏ। ଶରୀରର ଯେତିକି ଅଂଶ ସଂକ୍ରମିତ ହୋଇଛି କିମ୍ବା ସଂକ୍ରମଣର ସନ୍ଦେହ ରହିଛି, କେବଳ ସେତିକି ଅଂଶକୁ ଚୟନ କରାଯିବାପରେ, ସେହି ଅନୁଯାୟୀ ନିୟନ୍ତ୍ରିତ ରେଡିଏସନ୍ ଉତ୍ପନ୍ନ ହୋଇଥାଏ। ଏହାଦ୍ବାରା ରୋଗୀର ବିନା କୌଣସି କ୍ଷତିରେ ସଠିକ୍ ରିପୋର୍ଟ ବାହାରି ପାରିଥାଏ।