ରାଜ୍ୟ ସାରା କାଳବୈଶାଖୀ ବର୍ଷା: କଟକରେ କୁଆପଥର ମାଡ଼କୁ ଭୁବନେଶ୍ବରରେ ୫୦ କିଲୋମିଟର ବେଗରେ ବହିଲା ପବନ

କଟକ/ଭୁବନେଶ୍ବର: ଦିନରେ ରାତିର ଭ୍ରମ । ଅଚାନକ ଘୋଟି ଆସିଲା କଳାହାଣ୍ଡିଆ ମେଘ । ସାରା ରାଜ୍ୟରେ ହୋଇଛି କାଳବୈଶାଖୀ ବର୍ଷା । କେତେକ ସ୍ଥାନକେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିବା ଦେଖିବାକୁ ମିଳିଛି । କଟକରେ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ରାଜଧାନୀ ଭୁବନେଶ୍ୱରରେ ପବନର ବେଗ ୫୦ କିଲୋମିଟର ଛୁଇଁଛି ।

କଟକ ସମେତ ରାଜ୍ୟର କେତେକ ସ୍ଥାନରେ କୁଆପଥର ବର୍ଷା ହୋଇଛି । ଢେଙ୍କାନାଳରେ ପ୍ରବଳ ପବନ ଯୋଗୁ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ସମ୍ଭାବ୍ୟ କାଳବୈଶାଖୀ ବର୍ଷାକୁ ଆଖିରେ ରଖି ଆଜି ୨୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ଆଂଚଳିକ ପାଣିପାଗ କେନ୍ଦ୍ର । ସେହିପରି ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଥିଲା । ଯାହାର ପ୍ରଭାବ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି ।

ପାଣିପାଗ କେନ୍ଦ୍ର କହିଛି ଯେ ୧୩ ତାରିଖ ଦିନ ୧୮ ଜିଲ୍ଲାରେ କାଳବୈଶାଖୀ ଯୋଗୁ ଝଡ଼ବର୍ଷା ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୧୪ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ସୁନ୍ଦରଗଡ଼, ଢେଙ୍କାନାଳ ଓ କନ୍ଧମାଳ ଆଦି ଜିଲ୍ଲ‌ାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।
ସମ୍ବନ୍ଧିତ ଖବର