ବିଚାରପତିଙ୍କୁ ‘ମାଇଁ ଲର୍ଡ’ ସମ୍ବୋଧନ ନ କରାଯିବା ପଦକ୍ଷେପ ସ୍ବାଗତଯୋଗ୍ୟ: ହାଇକୋର୍ଟ ବାର୍ ଆସୋସିଏସନ୍

ବିଚାରପତିଙ୍କୁ ‘ମାଇଁ ଲର୍ଡ’, ‘ଇୟୋର ଲର୍ଡସିପ୍’, ‘ଇୟୋର ଅନର୍‌’ ଭାବେ ସମ୍ବୋଧନ ନ କରିବା ପ୍ରସଂଗ

କଟକ: ବିଚାରପତିଙ୍କୁ ‘ମାଇଁ ଲର୍ଡ’, ‘ଇୟୋର ଲର୍ଡସିପ୍’, ‘ଇୟୋର ଅନର’ ଭାବେ ସମ୍ବୋଧନ ନ କରିବାକୁ ଆଇନଜୀବୀ ଓ ପକ୍ଷଙ୍କୁ ଅନୁରୋଧ କରାଯିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ସଂପାଦକ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା କହିଛନ୍ତି। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ପ୍ରକାଶିତ ମାମଲା ତାଲିକାରେ ଏହି ପ୍ରସଂଗରେ ଉଲ୍ଲେଖ କରାଯାଇଛି। ଏପରି ନୂଆ ବ୍ୟବସ୍ଥା ଦ୍ବାରା ଓଡ଼ିଶା ହାଇକୋର୍ଟ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇ ଯାଇଛି। ସମସ୍ତ ଆଇନଜୀବୀ ବିଚାରପତିଙ୍କୁ ଆଉ ମାଇଁ ଲର୍ଡ’, ‘ଇୟୋର ଲର୍ଡସିପ୍’, ‘ଇୟୋର ଅନର’ ବୋଲି ସମ୍ବୋଧନ ନ କରି ‘ସାର୍’ ବା ଅଦାଲତଙ୍କ ଗାରିମା ସଂଗତ ଅନ୍ୟ ସମ୍ବୋଧନର ରୀତି ଅବଲମ୍ବନ କରନ୍ତୁ ବୋଲି ସଂପାଦକ ଡକ୍ଟର ଲେଙ୍କା କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ହା‌ଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପାଇଁ ପ୍ରକାଶିତ ଜାନୁଆରି ୩ ତାରିଖ ସଂପର୍କିତ ମାମଲା ତାଲିକାରେ ଏଭଳି ନିର୍ଦ୍ଦେଶନାମା ପ୍ରସଂଗରେ ଉଲ୍ଲେଖ କରାଯାଇଥିଲା।

ଏହି ଖଣ୍ଡପୀଠର ବିଚାରପତିଙ୍କୁ ‘ମାଇଁ ଲର୍ଡ’, ‘ଇୟୋର ଲର୍ଡସିପ୍’, ‘ଇୟୋର ଅନର’ ଭାବେ ସମ୍ବୋଧନ ନ କରିବାକୁ ଆଇନଜୀବୀ ଓ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହୁଥିବା ପକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ଏଥି ସହିତ ସମ୍ବୋଧନ ପୂର୍ବରୁ ‘ଅନରେବଲ’ ଉପସର୍ଗ ଯୋଗ ନ କରିବାକୁ ଅନୁରୋଧ କରାଯାଇଥିଲା। ଏଭଳି ସବୁ ସମ୍ବୋଧନ ପରିହାର କରିବା ପ୍ରସଂଗରେ ଆଇନଜୀବୀ ଓ ପକ୍ଷ ଚେଷ୍ଟା କରିବେ। ସାର୍ ସମେତ କୋର୍ଟଙ୍କ ମର୍ଯ୍ୟାଦା/ଗାରିମା ସଂଗତ ଅନ୍ୟ ସମ୍ବୋଧନର ପଦ୍ଧତି/ରୀତି ଯଥେଷ୍ଟ ହେବ ବୋଲି ଏଥିରେ ସ୍ପଷ୍ଟ କରାଯାଇଥିଲା। ଜାନୁଆରି ୪ ତାରିଖର ତାଲିକାରେ ମଧ୍ୟ ସମାନ ନିର୍ଦ୍ଦେଶନାମା ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର