କ’ଣ ହେବ ଗୋପାଳପୁର ପ୍ରକଳ୍ପର ଭାଗ୍ୟ?

୮୬୦ କୋଟିର ପ୍ରକଳ୍ପ; ୨କୋଟିରେ ପାଚେରି କରି ଛାଡ଼ିଦେଲେ

୪୨ ଡିସିମିଲ ବଦଳରେ ବାହାରୁଛି ୨୪ଡିସିମିଲ ଜମି
ଦିଲ୍ଲୀ ଆନନ୍ଦବିହାର ଢାଞ୍ଚାରେ ତିଆରି ହୋଇଥାନ୍ତା

କଟକ, (ସୀମନ୍ତିକା ନନ୍ଦ) : କ’ଣ ହେବ ଗୋପାଳପୁର ଅତ୍ୟାଧୁନିକ ଅନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ପ୍ରକଳ୍ପର ଭାଗ୍ୟ? ଗତକାଲି ମୁଖ୍ୟମନ୍ତ୍ରୀ ଖାନ୍‌ନଗରଠାରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ପାଇଁ ଘୋଷଣା କରିବା ପରେ ପୁରୁଣା ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଛି ତନାଘନା। ୨ କୋଟି ଟଙ୍କା ବିନିମୟରେ ପାଚେରି ନିର୍ମାଣ ସରିଥିଲେ ବି ପାଚେରିର ଭାଗ୍ୟ କ’ଣ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠାରୁ ବଡ଼ କଥା ହେଲା ଏବେ ଏହି ପ୍ରସ୍ତାବିତ ସ୍ଥାନର ଅଧିକାଂଶ ଜମି ଜବରଦରଖକାରୀଙ୍କ ହାତକୁ ଚାଲିଗଲାଣି। ଯୋଜନାକୁ କାର୍ଯ୍ୟକାରୀ କରିବା ବଦଳରେ ମାରିଦେବାକୁ ଷଡ଼୍‌ଯନ୍ତ୍ର ଚାଲିଥିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଗୋପାଳପୁରରେ ତିଆରି ହେବାକୁ ଥିଲା ଉନ୍ନତମାନର ଅନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ। ଯେଉଁଠି ରହିଥାନ୍ତା ମଲ୍ଟି ଷ୍ଟୋରିଡ୍‌ ବିଲ୍ଡିଂ, ରେଷ୍ଟୁରାଣ୍ଟ, ହୋଟେଲ, ଯାତ୍ରୀ ବିଶ୍ରାମଗାର ଭଳି ଅନେକ କିଛି। ଦିଲ୍ଲୀ ଆନନ୍ଦବିହାର ଢାଞ୍ଚାରେ ତିଆରି ହେବ ଗୋପାଳପୁର ଅନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ। ଏଭଳି ଅନେକ କିଛି ଗୋଲାପି ଚିତ୍ର ଆଙ୍କିଥିଲେ ସରକାର।

୨୦୧୮, ଜୁନ ୧୧ରେ ଗୋପାଳପୁରଠାରେ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁଙ୍କ ଦ୍ବାରା ପ୍ରସ୍ତ‌ାବିତ ନୂତନ ବସ୍‌ଷ୍ଟାଣ୍ଡ ପାଇଁ ଭୂମିପୂଜନ କରାଯାଇଥିଲା। ୮୬୦କୋଟି ଟଙ୍କାରେ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ପ୍ରଥମ ପର୍ଯ୍ୟାୟରେ ଯୋଜନା ଥିବାବେଳେ ‌ଡିପିଆର ପ୍ରସ୍ତୁତ ପରେ ଏହାର ଅଟକଳ ପାଖାପାଖି ୧୨ଶହ କୋଟିରେ ପହଞ୍ଚିଥିଲା। ଉକ୍ତ ପ୍ରକଳ୍ପର ପାଚେରି ନିର୍ମାଣ ପାଇଁ କେନ୍ଦ୍ର ସରକାର ୪୦ ଓ ରାଜ୍ୟ ସରକାର ୬୦ ପ୍ରତିଶତ ଟଙ୍କା ଦେବାକୁ ଯୋଜନା ହୋଇଥିଲା। ଉନ୍ନତମାନର ଅନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ କେଉଁ ଢାଞ୍ଚାରେ ତିଆରି ହେବ, ସେଥିପାଇଁ ଏକ କମ୍ପାନିକୁ ଡିପିଆର ପ୍ରସ୍ତୁତ କରିବା ପାଇଁ ଦିଆଯାଇଥିଲା।

ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ୨୦୧୨ରୁ ଆରମ୍ଭ ହୋଇଥିଲା। ପ୍ରଥମେ ଏହି ଜମି ଜଗତସିଂହପୁର ପୂର୍ତ୍ତ ବିଭାଗ ଅଧୀନରେ ଥିବାବେଳେ ଜମି ହସ୍ତାନ୍ତର ପୂର୍ବରୁ ଓ ହସ୍ତାନ୍ତର ପରେ ୪୨ଏକର ୬୦ ଡିସିମିଲ ଜମିଥିବା ସରକାରୀ ରେକର୍ଡ କହୁଛି। କିନ୍ତୁ ଯେତେବେଳେ ଡିପିଆର ପ୍ରସ୍ତୁତ ପାଇଁ ଦିଲ୍ଲୀର ଏକ ସଂସ୍ଥାକୁ ଦିଆଗଲା, ସେତେବେଳେ ରେକର୍ଡରେ ୪୨ଏକର ପରିବର୍ତ୍ତେ ୨୪ଏକର ଜମିଥିବା ଉକ୍ତ ସଂସ୍ଥା ପରିବହନ ବିଭାଗକୁ ଜଣାଇଥିଲା। କେବଳ ସେତିକି ନୁହେଁ, ଅତିକମ୍‌ରେ ୨୦ଏକର ଜମି ଯୋଗାଇ ଦିଆ ନଗଲେ ପ୍ରକଳ୍ପ ତିଆରି ହୋଇପାରିବନି ବୋଲି ମଧ୍ୟ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲା ସଂସ୍ଥା‌। ଜମି ହସ୍ତାନ୍ତର ପୂର୍ବରୁ ଓ ପରେ ୪୨ଡିସିମିଲ ଜମି ଥିବା ସରକାରୀ ରାଜସ୍ବ ବିଭାଗ ମାପଚୁପ କରି ରିପୋର୍ଟ ଦେଇଥିଲା। ସରଜମିନ ମାପ କରି ପରିବହନ ବିଭାଗ ଏହି ଜମିକୁ ନିଜ ହାତକୁ ନେଇଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଡିପିଆର ପ୍ରସ୍ତୁତ ସମୟରେ ୧୮ଏକର ସରକାରୀ ଜମି ‌କୁଆଡେ ଗଲା? ସୂଚନା ଅନୁସାରେ, ଏବେ ବି ଏହି ପ୍ରସ୍ତାବିତ ବସ୍‌ଷ୍ଟାଣ୍ଡ ସ୍ଥାନରେ ୭ଏକର ଜମି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। କେବଳ ସେତିକି ନୁହେଁ ପାଚେରି ପାଖରେ ବି ୨ଏକର ଜମି ଜାଣିଶୁଣି ଛାଡ଼ି ଦିଆଯାଇଛି।

ଅନ୍ୟପକ୍ଷରେ, ପାଚେରି ନିର୍ମାଣରେ ପ୍ରକଳ୍ପର ଭାଗ୍ୟ ସୀମିତ ହୋଇ ରହିଥିବାବେଳେ ଗତବର୍ଷ ଜୁନ ୪ତାରିଖ ହଠାତ୍‌ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଗସ୍ତ ଏହି ପ୍ରକଳ୍ପ ନେଇ ନୂଆ ସମ୍ଭାବନା ଆଣିଥିଲା। ସଚିବ ବସ୍‌ଷ୍ଟାଣ୍ଡର ପାଚେରି କାମକୁ ବୁଲି ଦେଖିବା ପରେ ଆବଶ୍ୟକ ଥିବା ୧୯ଏକରରୁ ଅଧିକ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଗୋପାଳପୁର ମୌଜାରେ ୩୬ ଏକର ଜମିରେ ବସ୍‌ଷ୍ଟାଣ୍ଡ ହୋବାକୁ ଥିବାବେଳେ ଏବେ ୧୭ ଏକର ଜାଗାରେ ପାଚେରି କାମ ଶେଷ ହୋଇଛି। ଆଗକୁ ଷ୍ଟାଣ୍ଡ୍‌ ପାଇଁ ଅଧିକ ୧୯. ୩୨୦ ଏକର ଜାଗାର ଆବଶ୍ୟକତା ରହିଥିବାରୁ ରେଳ ବିଭାଗ ଅଧୀନରେ ଥିବା ଜମିକୁ ନିଜ ଅଧୀନ‌କୁ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ଚିଠି ଲେଖିବା ସହିତ ଏହାର ପ୍ରକ୍ରିୟା ଆରମ୍ଭ କରିବାକୁ ସେ ପ୍ରଶାସନକୁ କହିଥିଲେ। ହେଲେ ସେହି ନିର୍ଦ୍ଦେଶନାମା ୭ମାସ ପରେ ବି ଏପର୍ଯ୍ୟନ୍ତ ଏହା ଆଗେଇ ପାରିନି।

ସମ୍ବନ୍ଧିତ ଖବର