କଟକ: କଟକ ସହରରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ୪୦ଟି ୱାର୍ଡର ପରିମଳ ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥାକୁ ସବୁ ସୁବିଧା ମିଳୁଥିବା ବେଳେ ଅନ୍ୟ ପଟେ କଟକ ମହାନଗର ନିଗମ( ସିଏମ୍ସି) ନିଜ ଅଧୀନରେ ରଖିଥିବା ୧୯ଟି ୱାର୍ଡର ପରିମଳ କଥା ଭୁଲିଯାଇଛି। ନିଜ ଅଧୀନରେ ଥିବା ୱାର୍ଡଗୁଡିକରୁ ଆବର୍ଜନା ଉଠାଇବା ପାଇଁ ଗାଡ଼ିଟିଏ ବି ଯୋଗାଇ ପାରୁ ନାହିଁ। ଫଳରେ ଏହି ୧୯ଟି ୱାର୍ଡରେ ଏବେ ପରିମଳ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିଛି। ଘରୁ ନିକଟରୁ ଅଳିଆ ଉଠାଇ ମୁଖ୍ୟ ପଏଣ୍ଟ୍ ପର୍ଯ୍ୟନ୍ତ ନେବାକୁ ଠେଲାଗାଡ଼ି ବା ହୁଇଲ୍ବାର୍ର ଅଭାବ ରହିଛି। ବର୍ଷ ବର୍ଷ ଧରି ବ୍ୟବହାର ହୋଇଥିବା ହୁଇଲ୍ବାର୍ ସବୁ ଫୁଟି ଯାଇଥିବାରୁ ଦାୟିତ୍ବରେ ଥିବା କର୍ମଚାରୀ ଅଳିଆକୁ ଗଳିକନ୍ଦି ରାସ୍ତାକଡ଼ରେ ରଖୁଛନ୍ତି। ଦିନେ ଦୁଇଦିନ ଧରି ସାହିରେ ଆବର୍ଜନା ପଡ଼ି ରହି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ରାସ୍ତା ଦେଇ ଯା’ଆସ କରିବା ଅସମ୍ଭବ ହୋଇପଡୁଛି। ଯେଉଁ ଗଳିକନ୍ଦିରେ ଆବର୍ଜନା ପଡ଼ି ରହୁଛି ସେଠାକୁ ଟ୍ରାକ୍ଟର ଯାଇପାରୁ ନ ଥିବାରୁ ଆବର୍ଜନା ପଡ଼ି ରହୁଛି। ସେପଟେ ୨୦୧୯ରୁ ୩୦୦ ଗାଡ଼ି ପାଇଁ ଟେଣ୍ଡର ହୋଇଥିଲା। ଏହି କାମ ସରକାରଙ୍କ ଓଏସ୍ଆସିକୁ ଦିଆଯାଇଥିଲା। ମାତ୍ର ଓସଆଇସି ଗାଡ଼ି ଯୋଗାଇ ପାରିନାହିଁ।
/sambad/media/post_attachments/wp-content/uploads/2021/07/ALIA-BUHA-GADI080751-268x300-1.jpg)
କଟକ ମହାନଗର ନିଗମ କର୍ତୃପକ୍ଷ(ସିଏମସି) ପକ୍ଷରୁ ୧୯ଟି ୱାର୍ଡରେ ହୁଇଲ୍ବାର୍ ବା ଆବର୍ଜନା ବୁହା ଗାଡ଼ି ପାଇଁ ଗତ ୨୦୧୯ରୁ ଟେଣ୍ଡର କରାଯାଇଥିଲା। ୧୯ଟି ୱାର୍ଡ ପାଇଁ ୩୦୦ ଗାଡ଼ି ଯୋଗାଇବାକୁ ଟେଣ୍ଡର୍ ହୋଇଥିଲା। ଟେଣ୍ଡର ବି ଚୂଡାନ୍ତ ହୋଇଥିଲା। ଏହି କାମ ଓଏସ୍ଆଇସିକୁ ଦିଆଯାଇଥିଲା। ଗୋଟିଏ ପଟେ ଓଦା ଓ ଅନ୍ୟପଟେ ଶୁଖିଲା ପାଇଁ ଗାଡିରେ ବ୍ୟବସ୍ଥା କରିବାକୁ ସର୍ତ୍ତ ଥିଲା। ମାତ୍ର ସଂପୃକ୍ତ ଏଜେନ୍ସି ବିଭିନ୍ନ ବାହାନା ନେଇ ଗାଡ଼ି ଯୋଗାଇ ପାରୁ ନ ଥିବାରୁ ଏବେ ସାହିରେ ପରିମଳକୁ ନେଇ ଅସନ୍ତୋଷ ଦେଖାଦେଲାଣି। ନିୟୋଜିତ କର୍ମଚାରୀମାନେ ମଧ୍ୟ ଲୋକଙ୍କ ଅଭିଯୋଗ ଶୁଣି ହାତ ଟେକି ଦେଇଛନ୍ତି। ଗାଡ଼ି ନ ଆସିଲେ ସେମାନେ କ’ଣ କରିବେ ବୋଲି କହିଛନ୍ତି। ତଥ୍ୟ ମୁତାବକ, ସିଏମ୍ସି ପରିମଳ ବ୍ୟବସ୍ଥାକୁ ଦୁଇଭାଗରେ ଭାଗ କରାଯାଇଛି। ୪୦ଟି ୱାର୍ଡ ଘରୋଇ ସଂସ୍ଥା ବିବିଜିକୁ ଦେଇଥିବା ବେଳେ ୧୯ଟି ୱାର୍ଡ ନିଜ ହାତରେ ରଖିଛି। ସିଏମ୍ସିର ୪୨୨ ଜଣ କର୍ମଚାରୀ ଏହି ପରିମଳ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ସିଏମ୍ସି ଅଧୀନରେ ଥିବା ୱାର୍ଡ ନଂ ୮, ୯,୧୧, ୧୩, ୧୪, ୧୫, ୧୮, ୨୧, ୨୨, ୨୪, ୨୭, ୩୧, ୩୪, ୩୫, ୩୮, ୪୪ରେ ଏବେ କର୍ମଚାରୀଙ୍କ ପାଇଁ ଗାଡ଼ି ଅଭାବ ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/No-Wheel-Bar-in-Cuttack_Thumbnail.jpg)