କଟକ: ଓଡ଼ିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟକୁ ନେଇ ଉତ୍ସାହ ସୃଷ୍ଟି ହୋଇଥିଲେ ବି ସ୍କୁଲ ଭିତ୍ତିଭୂମି ସଂପୂର୍ଣ୍ଣ କରିବାରେ କର୍ତ୍ତୃପକ୍ଷଙ୍କ ମନ୍ଥର ପଦକ୍ଷେପ ଏବେ ଅଭିଭାବକଙ୍କ ଅସନ୍ତୋଷର କାରଣ ହୋଇଛି। ସିବିଏସ୍ଇ ଢାଞ୍ଚାରେ ଶିକ୍ଷାଦାନ ପାଇଁ କଟକ ଜିଲ୍ଲାର ୧୪ଟି ବ୍ଲକ୍ରେ ୧୪ଟି ଆଦର୍ଶ ବିଦ୍ୟାଳୟ ଖୋଲିଛି। କିନ୍ତୁ ଏବେ ବି ଅନେକ ସ୍କୁଲ ନିଜ କୋଠାରେ ଚାଲି ପାରି ନାହିଁ। ବାରଙ୍ଗ ବ୍ଲକ୍ର ଅରିଲୋ ଆଦର୍ଶ ବିଦ୍ୟାଳୟର ନୂଆ କୋଠା ନିର୍ମାଣ ହୋଇଥିଲେ ବି ସ୍କୁଲକୁ ଯିବା ପାଇଁ ରହିଛି ମାଟି ରାସ୍ତା। ବର୍ଷା ହେଲେ ଆଣ୍ଠୁଏ ପାଣିରେ ପିଲା ସ୍କୁଲକୁ ଯାଉଛନ୍ତି। ସ୍କୁଲ ଚାରିପଟେ ପାଚେରି ନାହିଁ। ଚାରିଆଡେ ଜଙ୍ଗଲିଆ ପରିବେଶ ସାଙ୍ଗକୁ ଓ ମୁକୁଳା ଟ୍ରାନ୍ସଫର୍ମର ଏବେ ଅଭିଭାବକଙ୍କ ଅସନ୍ତୋଷର କାରଣ ହୋଇଛି। ବାରଙ୍ଗରେ ୨୦୧୯ ମସିହାରୁ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ପ୍ରଥମେ ଗୋଡିସାହିରେ ସ୍କୁଲ ଚାଲୁଥିବାବେଳେ ଏବେ ଅରିଲୋଠାରେ ନିଜସ୍ବ କୋଠାକୁ ଆସିଛି ସ୍କୁଲ।
୬ଷ୍ଠ ଶ୍ରେଣୀରୁ ଯୁକ୍ତ ୨ ପର୍ଯ୍ୟନ୍ତ ପିଲାଙ୍କ ପାଠପଢାର ବ୍ୟବସ୍ଥା ରହିଥିଲେ ବି ଏବେ ଷଷ୍ଠରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ୩୧୨ଜଣ ପିଲା ପାଠ ପଢୁଛନ୍ତି। ସେମାନଙ୍କୁ ଅକ୍ଷୟପାତ୍ର ଫାଉଣ୍ଡେସନ୍ ପକ୍ଷରୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ପ୍ରିନ୍ସିପାଲଙ୍କୁ ମିଶାଇ ଅନୁମୋଦିକ ୧୫ଟି ଶିକ୍ଷକ ପଦବି ପୂରଣ ହୋଇଛି। କିନ୍ତୁ ସ୍କୁଲ ଚାରିପଟ ପରିବେଶ ସଜାଡିବା ଦିଗରେ ପଦକ୍ଷେପ ନିଆଯାଇ ନ ଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ସମସ୍ୟାରେ ପଡୁଛନ୍ତି। ବିଶେଷକରି ବିଦ୍ୟାଳୟ ଚାରିପଟେ ପାଚେରି ନଥିବାରୁ ଗୋରୁଗାଈ ବୁଲୁଛନ୍ତି। ସ୍କୁଲ ଚାରିପଟ ଜଙ୍ଗଲିଆ ପରିବେଶ ହଟାଇବା, ମୁକୁଳା ଟ୍ରାନ୍ସଫର୍ମରକୁ ସୁରକ୍ଷିତ କରିବା ଏବଂ ପାଚେରି ନିର୍ମାଣ ପାଇଁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ADRASA-3090844.jpg)