ଆଜି ଆନ୍ତର୍ଜାତିକ ମହିଳା ଦିବସ, କେବେ ଚାଲିବ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ବସ୍‌?

କଟକ: ଆଜି ଆନ୍ତର୍ଜାତିକ ମହିଳା ଦିବସ। ମହିଳା ସଶକ୍ତିକରଣ ପାଇଁ ସରକାର ଅନେକ କିଛି କରୁଛନ୍ତି ବୋଲି ପ୍ରଚାର କରୁଛନ୍ତି। କିନ୍ତୁ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସ୍ଵତନ୍ତ୍ର ସରକାରୀ ବସକୁ କିଏ, କାହା ସ୍ବାର୍ଥରେ ବନ୍ଦ କଲା? କାହିଁକି ‘ମୋ ବସ୍‌’ ସେବାରୁ ମହିଳାଙ୍କ ସ୍ଵତନ୍ତ୍ର ବସ୍ ସେବାଟିକୁ ହଠାତ ବନ୍ଦ କରି ଦିଆଗଲା? ଏହାର କୌଣସି ସନ୍ତୋଷଜନକ ଉତ୍ତର ଓଡିଶା ରାଜ୍ୟ ପରିବହନ ବିଭାଗ ପାଖରେ ନାହିଁ। ଏ ନେଇ ଫାଇଭ୍ ଟି ବିଭାଗ ବି ନିରବଦ୍ରଷ୍ଟା। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସ୍ଵତନ୍ତ୍ର ବସ୍‌ ସେବା ପୁନଃ ଆରମ୍ଭ ହେବାକୁ ଆଉ କେତେ ଦିନ ଲାଗିବ ବୋଲି ଓଡିଶା ପ୍ରଗତିମଞ୍ଚର ଆବାହକ ଆଡଭୋକେଟ ଶୁଭେନ୍ଦୁ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ?
ସୂଚନାଯୋଗ୍ୟ ଯେ ଅଠର ବର୍ଷ ତଳୁ କଟକ ମର୍କତ ନଗରରୁ (ସିଡିଏ) ଓଡ଼ିଶା ସଚିବାଳୟ ଭୁବନେଶ୍ବର ଯାଏଁ ପ୍ରତ୍ୟେକଟି କାର୍ଯ୍ୟ ଦିବସରେ ଓଏସଆରଟିସିର ଏକ ସ୍ଵତନ୍ତ୍ର ବସ୍ ଚଳାଚଳ କରୁଥିଲା। ଭୁବନେଶ୍ବରରେ ଚାକିରି କରୁଥିବା କର୍ମଜୀବୀମାନେ ସକାଳ ନଅଟାରୁ ଏହି ବସ୍ ଯୋଗେ ଯାଇ ନିଜ ନିଜ କାର୍ଯ୍ୟ ସାରି ସଂଧ୍ୟାରେ ଘରକୁ ଫେରୁଥିଲେ। ସେ ବସଟିକୁ କରୋନା ଆଳରେ ଗତବର୍ଷ ଠାରୁ ହଠାତ୍ ବନ୍ଦ କରି ଦିଆଗଲା। ୨୦୦୪ ମସିହାରୁ ଚଳାଚଳ କରି ଆସୁଥିବା ସେ ବସ୍ ସେବାଟି ହଠାତ ବନ୍ଦ ହେବା ଦ୍ଵାରା କଟକ-ଭୁବନେଶ୍ବର ଦ୍ୱୈତ ନଗରୀରେ ବସବାସ କରୁଥିବା କର୍ମଜୀବୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଠିକ ସେହିପରି ଛଅ ବର୍ଷ ତଳେ ରାଜ୍ୟ ସରକାର ପ୍ରଥମ କରି ଏକ ସ୍ଵତନ୍ତ୍ର ମହିଳା ବସ୍ କଟକ ଭୁବନେଶ୍ବର ଦ୍ୱୈତ ନଗରୀରେ ଚଳାଚଳ ଆରମ୍ଭ କଲେ।

ଏଥିପାଇଁ ରାଜ୍ୟ ସରକାର ସମଗ୍ର ଦେଶରେ ମଧ୍ୟ ବାହା ବାହା ନେଇ ଥିଲେ। ନିର୍ଭୟା କେଶ୍ ପରେ ମହିଳାଙ୍କ ସୁରକ୍ଷାକୁ ବିଚାରକୁ ନେଇ ଏହି ସ୍ଵତନ୍ତ୍ର ମହିଳା ବସ୍ ୨୦୧୬ -୨୦୧୭ରୁ ଚଳାଚଳ ଆରମ୍ଭ କରି ବେଶ୍ ଆସ୍ଥାଭାଜନ ହେଲା। ଏଥିରେ ମହିଳା କର୍ମଜୀବୀ, ଛାତ୍ରୀ ମାନେ କଟକ ଭୁବନେଶ୍ବର ଯାତାୟାତ କରୁଥିଲେ। ୨୦୧୯ରୁ ଏହି ସ୍ଵତନ୍ତ୍ର ବସ୍ ଚଳାଚଳ ବନ୍ଦ ରହିଛି। ସେହିପରି ମୋ ବସର ମହିଳା ସ୍ପେଶାଲ ବସଟିକୁ ବି ଗତ ୨ ମାସ ହେବ ବନ୍ଦ କରି ଦିଆଯାଇଛି। ‘ମୋ ସରକାର’ ଏବେ ପରିବହନ ଓ ଗମନାଗମନ ବିଭାଗକୁ ନିଜ ଅଧୀନକୁ ନେଇଛି। ମୋ ବସ୍ ଚଳାଚଳ ଦ୍ବାରା ଆମ ରାଜ୍ୟର ଗମନା ଗମନରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାଧାରଣ ଲୋକଙ୍କ ଦ୍ବାରା ଏହା ମଧ୍ୟ ଆଦୃତ ହୋଇଛି। କିଛି ରାଜନେତା କିନ୍ତୁ ଏବେ ଘରୋଇ ବସ ମାଲିକ। ସେହିମାନେ ଚକ୍ରାନ୍ତ କରି ଏହି ସବୁ ଜନ କଲ୍ୟାଣକାରୀ ଯୋଜନାକୁ ବାଟବଣା କରୁଥିବା କୁହାଯାଉଛି। ଏଭଳି ସ୍ଥିତିରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସ୍ଵତନ୍ତ୍ର ବସ୍ ଚଳାଇଲେ ଆନ୍ତର୍ଜାତିକ ମହିଳା ଦିବସରେ ମହିଳାଙ୍କ ପାଇଁ ଉପଯୁକ୍ତ ସମ୍ମାନ ହେବ ବୋଲି ଶ୍ରୀ ମହାନ୍ତି ଏକ ପ୍ରେସ୍ ବିବୃତ୍ତି ଜଣାଇଛନ୍ତି।

ସମ୍ବନ୍ଧିତ ଖବର