କଟକ: ମାଲଗୋଦାମ ଥାନା ସାମ୍ନା ଯୋବ୍ରା ବ୍ୟାରେଜ୍ ହେଉ କି ଯୋବ୍ରାରୁ ବାରଗୋଡ଼ିଆ ଲକ୍ଯାଏ ମହାନଦୀର ଯେକୌଣସି ସ୍ଥାନରେ ଶବ ଭାସିଲେ ଜଗତପୁର ଥାନା ପୁଲିସ ଉଦ୍ଧାର କରୁଛି। ମହାନଦୀରୁ ଜଗତପୁର ପୁଲିସ ଗଲା ୫ ବର୍ଷରେ ୪୨ଟି ଉଦ୍ଧାର କରିସାରିଲାଣି। ଯୋବ୍ରାରୁ ବାରଗୋଡ଼ିଆଯାଏ ମହାନଦୀ ମଝିରୁ ଦୁଇ ଭାଗ ହୋଇ ନଥିବାରୁ ଜଗତପୁର ଥାନା ପୁଲିସ ନଦୀରୁ ଶବ ବୋହି ଥକିଗଲାଣି। କଟକ ସହରରେ ସର୍ବାଧିକ ଆତ୍ମହତ୍ୟା ଯୋବ୍ରା ବ୍ୟାରେଜ୍ରେ ହିଁ ହେଉଛି। ଏମାନଙ୍କୁ ବି ଜଗତପୁର ପୁଲିସ ଉଦ୍ଧାର କରୁଛି। ସଦର ଥାନା ପୁଲିସ ସୀମାରେ ଥିବା କାଠଯୋଡ଼ି ବି ଦୁଇ ଭାଗ ହୋଇନାହିଁ। ଏମାନେ ବିଭିନ୍ନ ସମୟରେ କମିସନରେଟ୍ ପୁଲିସରେ ନଦୀ ମଝିରୁ ସୀମା ନିର୍ଦ୍ଧାରଣ ପାଇଁ ପୁଲିସ ବିଭାଗରେ ଦାବି ଉପସ୍ଥାପନ କରିଥିଲେ ବି ଏଯାଏ କୌଣସି ପ୍ରକାର ଚୂଡ଼ାନ୍ତ ନିଷ୍ପତ୍ତି ନନେବା ଅସନ୍ତୋଷ ସୃଷ୍ଟି ହୋଇଛି। ଯୋବ୍ରା ବ୍ରିଜରୁ ଆରମ୍ଭ କରି ବାରଗୋଡିଆ ଲକ୍ଯାଏ ମହାନଦୀ ଜଳପଥରେ ଜଗତପୁର ଥାନା ପୁଲିସର ଭୌଗଳିକ ସୀମା ପାଖାପାଖି ୮ କିମି ରହିଛି। ଯୋବ୍ରା ଓ ଗୁରୁଦ୍ବାରଯାଏ ମାଲଗୋଦାମ ଥାନା ସୀମା, କାଳିଆ ବୋଦା ନିକଟରେ ଚାଉଳିଆଗଞ୍ଜ ଥାନା, ବାରଗୋଡ଼ିଆ ଲକ ନିକଟରେ ନଦୀରେ ଦୁଇ ପଟେ ସାଲେପୁର ଓ କିଶନଗର ଥାନା ରହିଥିବା ସତ୍ତ୍ବେ ଏହି ଅଞ୍ଚଳରେ ଶବ ମିଳିଲେ ଜଗତପୁର ଥାନା ପୁଲିସ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରୁଛି। ଏଠି ନଦୀର ମଝିରୁ ଯୋବ୍ରାରୁ ବାରଗୋଡ଼ିଆଯାଏ ମହାନଦୀକୁ ମାଲଗୋଦାମ, ଚାଉଳିଆଗଞ୍ଜ ମଧ୍ୟରେ ବାଣ୍ଟାଯିବା ନେଇ ଥାନା ତରଫରୁ ପ୍ରସ୍ତାବ ଦିଆଯାଇଥିଲା। ନଦୀର ବିପରିତ ପାର୍ଶ୍ବ ଜଗତପୁର ଥାନା ଅଧୀନରେ ରହିଥାନ୍ତି। କିନ୍ତୁ ପ୍ରସ୍ତାବ ଅଟକି ରହିଛି।
ସେହିଭଳି ବିରୂପା ବ୍ୟାରେଜ୍ରୁ ବଡ଼ଭୀମରାଜପୁରଯାଏ ପ୍ରାୟ ୧୦ କିମି ବୀରୂପା ନଦୀରେ ଜଗତପୁର ଥାନା ପୁଲିସ ଅଧୀନରେ ରହିଛି। ବିରୂପା ବ୍ୟାରେଜ୍କୁ ଲାଗି ଚୌଦ୍ବାର ଥାନାର ସୀମା ଓ ବଡ଼ଭୀମରାଜପୁର ନିକଟରେ ଟାଙ୍ଗୀ ଥାନା ଥିବା ସତ୍ତ୍ବେ ଜଗତପୁର ଥାନା ପୁଲିସ ଶବ ଉଦ୍ଧାର କରିବା ସହିତ ଅପମୃତ୍ୟୁ ମାମଲା ରୁଜୁ କରୁଛି। ବିରୂପା ବ୍ୟାରେଜ୍ରୁ ବଡ଼ଭୀମରାଜପୁର ଯାଏ ପାଖାପାଖି ୧୨ କିମି ଯାଏ ଜଳପଥ ସମ୍ଭାଳୁଛି ଜଗତପୁର ଥାନା ପୁଲିସ। ଏଠି ବି ନଦୀ ଦୁଇ ଭାଗ ହୋଇନାହିଁ। ବିରୂପା ଅପେକ୍ଷା ମହାନଦୀରେ ଅଧିକ ପାଣି ରହୁଥିବାରୁ ଶବ ଭାସିବା ଓ ଆତ୍ମହତ୍ୟା ଘଟଣା ଅଧିକ ଘଟୁଛି। ପୁଲିସ ତଥ୍ୟ ଅନୁଯାୟୀ, ମହାନଦୀ ଓ ବିରୂପାରେ ୨୦୧୮ରେ ୬ଟି ଶବ ଜଗତପୁର ଥାନା ପୁଲିସ ଉଦ୍ଧାର କରିଥିବା ବେଳେ ୨୦୧୯ରେ ୧୦ଟି, ୨୦୨୦ରେ ୯ଟି, ୨୦୨୧ରେ ୧୪ଟି ଓ ୨୦୨୨ରେ ବର୍ତ୍ତମାନ ସୁଦ୍ଧା ୩ଟି ଶବ ଉଦ୍ଧାର ହୋଇସାରିଲାଣି।
ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର ହୋଇଥିବା ଲୋକଙ୍କ ସଂଖ୍ୟା ପୁଣି ଅଲଗା ରହିଛି। ସେହିଭଳି ସଦର ଥାନା ବି କାଠଯୋଡ଼ି ନଦୀ ପାଇଁ ନାକେଦମ୍ ହେଲାଣି। କାଠଯୋଡ଼ି ବ୍ରିଜ୍ରୁ ଘାଟକୂଳ ବୟାଳିଶମୌଜା ବ୍ରିଜ୍ଯାଏ ଜଳଭାଗରେ ଯେଉଁ ଶବ ଚିହ୍ନଟ ହେଉଛି ତାକୁ ସଦର ଥାନା ପୁଲିସ ଉଦ୍ଧାର କରୁଛି। ବ୍ରିଜ୍ରୁ ଡାହାଣକୁ ଖାନନଗର ବୁରୁଜ ପାର୍କଯାଏ ସଦର ଥାନା ପୁଲିସର ସୀମା ରହୁଛି। ବୟାଳିଶମୌଜା ବ୍ରିଜ୍ରୁ ଖାନନଗର ବୁରୁଜାଯାଏ ପ୍ରାୟ ୪ କିମି ଜଳପଥ ସଦର ଥାନା ପୁଲିସ ଅଧୀନରେ ରହିଛି। ସଦର ଥାନା ପୁଲିସ କାଠଯୋଡ଼ି ନଦୀକୁ ଉଭୟ ମଧୁପାଟଣା ବାଦାମବାଡ଼ି ଥାନା ସହିତ ବାଣ୍ଟିଦେବାକୁ ବାରମ୍ବାର ପ୍ରସ୍ତାବ ଦିଆଯାଇଥିଲେ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇପାରିଲା ନାହିଁ। ସିଡିଏ ଫେଜ୍-୨ ଥାନା ଅଧୀନରେ ଥିବା ମଧୁସୂଦନ ସେତୁ ମଝିରୁ ଅଲଗା ହୋଇ ଚୌଦ୍ବାର ଥାନା ସୀମାରେ ଥିବା ବେଳେ କାଠଯୋଡ଼ୀ ନଦୀ ମଝିରୁ ବାରଙ୍ଗ ସହିତ ଭାଗ ହୋଇଛି। ମର୍କତନଗର ଥାନା ଅଧୀନରେ ଥିବା ନେତାଜୀ ସୁଭାଷ ବୋଷ୍ ସେତୁ ଅଧାରୁ ଭାଗ ହୋଇ ବାରଙ୍ଗ ଥାନା ସହିତ, ବିଡାନାସୀ ଥାନା, କ୍ୟାଣ୍ଟନମେଣ୍ଟ ଥାନା ଓ ମଙ୍ଗଳାବାଗ ଥାନା ଅଧୀନରେ ଥିବା ମହାନଦୀ ମଝିରୁ ଅଲଗା ହୋଇ ଚୌଦ୍ବାର ଥାନାର ସୀମା ଯୋଡ଼ି ହୋଇଛି। ଏପଟେ କୁଆଖାଇ ବ୍ରିଜ୍ ବି ଭାଗ ହୋଇଛି। ଗୋପାଳପୁର ଆଡ଼ୁ ଗଲେ ବ୍ରିଜ୍ର ବାମପଟ ଚନ୍ଦକା ଥାନା ଓ ସଦର ଥାନାର ନଦୀ ମଝିରୁ ଭାଗ ହୋଇଥିବା ବେଳେ ଡାହାଣପଟ ଉଭୟ ବାରଙ୍ଗ ଓ ସଦର ଥାନା ମଧ୍ୟରେ ମଝିରୁ ଭାଗ ହୋଇଛି। କିନ୍ତୁ ମହାନଦୀ ଉପରେ ଥିବା ନରାଜ ବ୍ରିଜ୍ ସମ୍ପୂର୍ଣ୍ଣ ବାରଙ୍ଗ ଥାନା ଅଧୀନରେ ରହିଛି। ସ୍ଥଳ ଭାଗରୁ ଫେଜ୍-୨ ଥାନାର ସୀମା ଆରମ୍ଭ ହୋଇଛି। ଏଠି ନଦୀ ଉଭୟ ବାରଙ୍ଗ ଓ ଫେଜ୍-୨ ଥାନା ଭିତରେ ଦୁଇ ଭାଗ ହୋଇନାହିଁ। କାଠଯୋଡ଼ିକୁ ନେଇ ସଦର, ବାଦାମବାଡ଼ି, ମଧୁପାଟଣା ଏବଂ ମହାନଦୀକୁ ନେଇ ବାରଙ୍ଗ-ଫେଜ୍ ୨, ଜଗତପୁର-ମାଲଗୋଦାମ-ଚାଉଳିଆଗଞ୍ଜ ମଧ୍ୟରେ ଭାଗବଣ୍ଟା ପ୍ରସ୍ତାବ ପୁଲିସ ବିଭାଗରେ ଥିବା ବେଳେ ଏ ବିବାଦ କେବେ ତୁଟିବ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/JAGATPUR-1-1081513.jpg)