କଟକ: ବିଶ୍ବସ୍ତରୀୟ ହେବାକୁ ଯାଉଥିବା କଟକ ବଡ଼ ଡାକ୍ତରଖାନାରେ କାମ କରୁଥିବା ପାଖାପାଖି ୧ ହଜାର ଆଉଟସୋର୍ସିଂ କର୍ମଚାରୀଙ୍କ ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି। ଏମାନଙ୍କୁ ବଡ଼ ଡାକ୍ତରଖାନାରେ ନିଯୁକ୍ତି ପୂର୍ବରୁ ନିକଟସ୍ଥ ଥାନା ପୁଲିସରେ ଅପରାଧିକ ରେକର୍ଡ ଯାଞ୍ଚ ହୋଇ ନଥିବା କୁହାଯାଉଛି। ବଡ଼ ଡାକ୍ତରଖାନାରେ ଏକମାସ ଭିତରେ ଆଉଟସୋର୍ସିଂ ସୁରକ୍ଷାକର୍ମୀ ଏବଂ ଆଟେଣ୍ଡାଣ୍ଟଙ୍କୁ ମିଶାଇ ୬ ଜଣ ଅପରାଧିକ ମାମଲାରେ ଗିରଫ ହେବା ପରେ ଏବେ ପୁଲିସର ଚିନ୍ତା ବଢ଼ିଯାଇଛି। ମୁଖ୍ୟତଃ ନିୟମ ଅନୁଯାୟୀ, ସୁରକ୍ଷାକର୍ମୀଙ୍କ ପାଇଁ କେହି କମାଣ୍ଡିଂ ଅଫିସର ନଥିବା ଭଳି ସଂଗିନ ଘଟଣା ଏବେ ସାମନାକୁ ଆସିଲାଣି। ଏତେ ବଡ଼ ଡାକ୍ତରଖାନାରେ ନିହାତି ଅବ୍ୟବସ୍ଥିତ ଭାବେ ସୁରକ୍ଷାକର୍ମୀମାନେ କାମ କରୁଛନ୍ତି। ସୂଚନା ଅନୂଯାୟୀ, କଟକ ବଡ଼ ଡାକ୍ତରଖାନାରେ ଟେଣ୍ଡର୍‌ ମାଧ୍ୟମରେ ନିୟୋଜିତ ହୋଇଥିବା ବିଭିନ୍ନ ଘରୋଇ ସଂସ୍ଥା ପକ୍ଷରୁ ସୁରକ୍ଷାକର୍ମୀ ବାବଦରେ ପ୍ରାୟ ୪୦୦, ସୁଇପର୍‌ ୪୦୦, ଆଟେଣ୍ଡାଣ୍ଟ ୩୦୦, ଲିଫ୍ଟ ପାଇଁ ୫୦ କର୍ମଚାରୀ ନିୟୋଜିତ କରାଯାଇଛି। କିନ୍ତୁ ଏମାନଙ୍କର ନିକଟସ୍ଥ ଥାନାରେ ଅପରାଧିକ ରେକର୍ଡ ଯାଞ୍ଚ କରାଯାଇ ନଥିବା କୁହାଯାଉଛି। ଯାହାର ଫଳସ୍ବରୂପ ଏପ୍ରିଲ ୨୦ ତାରିଖରେ ବଡ଼ ମେଡିକାଲରୁ ନିୟମିତ ବାଇକ୍‌ ଚୋରି ମାମଲାରେ ଜଣେ ସୁରକ୍ଷାକର୍ମୀ ଚଗୁଲୁ ଓରଫ ପ୍ରତାପ ସାମଲ ସମେତ ୪ ଜଣ ସହଯୋଗୀଙ୍କୁ ପୁଲିସ ଗିରଫ କରିଥିଲା। ଦ୍ବିତୀୟ ଘଟଣା ମଙ୍ଗଳାବାର ଘଟିଛି। ଆଉଟ୍‌ସୋର୍ସିଂ ସଂସ୍ଥାର ୫ ଜଣ ଆଟେଣ୍ଡାଣ୍ଟଙ୍କୁ ଗିରଫ କରାଯାଇଛି। ଏତେ ସଂଖ୍ୟାରେ ଘରୋଇ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଏମାନଙ୍କ ଉପରେ ନଜର ରଖିବା ପାଇଁ ଆଭ୍ୟନ୍ତରୀଣ ଗୁଇନ୍ଦା ବ୍ୟବସ୍ଥା ଡାକ୍ତରଖାନାରେ ରଖାଯାଇ ନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ମତ ରଖିଛନ୍ତି। ଯାହାକି ସେମାନେ ବିଭିନ୍ନ ସମୟରେ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଥିବାରୁ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହେଉଛି। ପୁଲିସର କହିବା ଅନୁଯାୟୀ, ସାଧାରଣତଃ ବଡ଼ ବଡ଼ ପ୍ରତିଷ୍ଠାନରେ ନିୟୋଜିତ ହେଉଥିବା ଘରୋଇ ସୁରକ୍ଷାକର୍ମୀଙ୍କୁ ସୁପରଭାଇଜ୍ କରିବା ପାଇଁ ଜଣେ ଅବସରପ୍ରାପ୍ତ ସେନା କିମ୍ବା ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥାଏ।

Advertisment

ବଡ଼ ମେଡିକାଲରେ ପାଖାପାଖି ୪୦୦ ସୁରକ୍ଷାକର୍ମୀ କାମ କରୁଥିବା ବେଳେ ତାଙ୍କୁ କେହି ନିୟନ୍ତ୍ରଣ କରୁନାହାନ୍ତି। ଆଇନଶୃଙ୍ଖଳା ପରିସ୍ଥିତି କିମ୍ବା ପାର୍କିଂ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କୁ କୌଣସି ତାଲିମ୍ ବି ଦିଆଯାଇନାହିଁ। କିଭଳି ଶୃଙ୍ଖଳା ରକ୍ଷା କରାଯିବ, ସେ ନେଇ ବି କୌଣସି ପ୍ରକାର ତାଲିମ୍ ନାହିଁ। ସୁରକ୍ଷାକର୍ମୀ ଚୟନରେ କୌଣସି ପ୍ରକାର ମାପଦଣ୍ଡ ବି ରଖାଯାଇନାହିଁ। ଏଥିପାଇଁ ତତ୍କାଳୀନ ଡିସିପି ପ୍ରତୀକ ସିଂହଙ୍କ ସମୟରେ ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ବଡ଼ ଡାକ୍ତରଖାନା ଫାଣ୍ଡି ନିୟନ୍ତ୍ରଣରେ ରଖିବାକୁ ଏକ ପ୍ରସ୍ତାବ ଦିଆଯାଇଥିଲା। ପୁଲିସର ନିୟନ୍ତ୍ରଣକୁ ଆସିଲେ ଶୃଙ୍ଖଳିତ ରହିବା, ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ଭଳି ତାଲିମ ଦିଆଯାଇଥାନ୍ତା। ପୁଲିସର ନିୟନ୍ତ୍ରଣରେ ରହିଥିଲେ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ହେବାକୁ ଭୟ କରିଥାନ୍ତେ। କିନ୍ତୁ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଏଭଳି ପ୍ରସ୍ତାବ ଉପରେ କୌଣସି ପ୍ରକାର ନିଷ୍ପତ୍ତି ଆଜିସୁଦ୍ଧା ଗ୍ରହଣ କଲେନାହିଁ। ଏବେ ସୁରକ୍ଷାକର୍ମୀଙ୍କ ସମେତ ଅନ୍ୟ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ନିୟନ୍ତ୍ରଣ କରିବାକୁ କେହି ନଥିବାରୁ ଡ୍ୟୁଟି ଛାଡ଼ି ଘରୋଇ ହସିପଟାଲ ପାଇଁ ଦଲାଲି ଓ ଚୋରି ଭଳି ଅପରାଧିକ ମାମଲାରେ ସାମିଲ ହେଉଥିବା ଭଳି ସଂଗିନ ଅଭିଯୋଗ କ୍ରମାଗତ ଭାବେ ସାମନାକୁ ଆସିଲାଣି। ଡିସିପି ପିନାକ୍ ମିଶ୍ର କହିଛନ୍ତି ଯେ ଘରୋଇ ସଂସ୍ଥାରେ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଥାନାକୁ ଜଣାଇ ସେମାନଙ୍କ ଅପରାଧିକ ରେକର୍ଡ ଯାଞ୍ଚ କରିବା କଥା। ବଡ଼ ଡାକ୍ତରଖାନାରେ ଅନେକ ସଂଖ୍ୟାରେ ଆଉଟ୍‌ସୋର୍ସିଂ କର୍ମଚାରୀ କାମ କରୁଥିବାରୁ ଏମାନଙ୍କ ଅପରାଧିକ ରେକର୍ଡ ସମ୍ପର୍କରେ ତର୍ଜମା କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।