ଛାତ୍ରଛାତ୍ରୀଙ୍କୁ କେବେ ମିଳିବ ପୋଷାକ? ଏପ୍ରିଲ୍‌‌ରେ ମିଳିବା କଥା; ଜୁଲାଇ ସରିବାକୁ ବସିଲାଣି, ସ୍କୁଲ ଆକାଉଣ୍ଟକୁ ଟଙ୍କା ଆସିଲାନି

କଟକ: ଶିକ୍ଷାବର୍ଷ ଆରମ୍ଭ ହୋଇଗଲାଣି। ହ‌େଲେ ଏଯାଏ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସାଧନ ମିଳିନାହିଁ। କେଉଁ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି ତ’ କେଉଁଠି ସବୁ ପିଲାଙ୍କୁ ପାଠ୍ୟପୁସ୍ତକ ମିଳି ନାହିଁ। ଖାଲି ‌ସେତିକି ନୁ‌ହେଁ, ମାସେ ହେଲା ସ୍କୁଲ ଖୋଲିଥିଲେ ମଧ୍ୟ ପିଲାଙ୍କୁ ଏଯାଏ ପୋଷାକ ମିଳି ନାହିଁ। ପୋଷାକ ମିଳିବା ତ’ ଦୂରର କଥା, ଏଯାଏ ବିଦ୍ୟାଳୟ ଆକାଉଣ୍ଟକୁ ପୋଷାକ ବାବଦ ଅର୍ଥ ବି ଆସି ନାହିଁ। ଏମିତିକା ଖାମଖିଆଲ ନୀତିରେ ଚାଲିଛି ସର୍ବଶିକ୍ଷା ଅଭିଯାନ। ସର୍ବଶିକ୍ଷା ଅଭିଯାନ ଜରିଆରେ ପ୍ରଥମରୁ ଅଷ୍ଟମ ପିଲାଙ୍କୁ ମାଗଣାରେ ପୋଷାକ, ଜୋତା, ମୋଜା, ପାଠ୍ୟପୁସ୍ତକ ପ୍ରଦାନର ବ୍ୟବସ୍ଥା ରହିଛି। ସର୍ବଶିକ୍ଷା ଅଭିଯାନରେ ପୋଷାକ ବାବଦକୁ ଜଣେ ଛାତ୍ର/ଛାତ୍ରୀଙ୍କୁ ବର୍ଷକୁ ୬ଶହ ଟଙ୍କା ମିଳିଥାଏ। ଏହି ଅର୍ଥ ବିଦ୍ୟାଳୟ ଆକାଉଣ୍ଟକୁ ଆସେ। ଏହି ଅର୍ଥରେ ସ୍କୁଲ କର୍ତ୍ତୃପକ୍ଷ ଜଣେ ପିଲାଙ୍କୁ ୨ହଳ ପୋଷାକ, ୨ହଳ ମୋଜା, ୧ ହ‌‌ଳ ଜୋତା ପ୍ରଦାନ କରିଥାନ୍ତି। ପ୍ରଥମେ ସ୍କୁଲ କର୍ତ୍ତୃପକ୍ଷ ଡିପିସିଙ୍କୁ ପିଲାଙ୍କ ତାଲିକା ପଠାଇଥାନ୍ତି। ସେହି ଅନୁସାରେ ସ୍କୁଲ୍‌ ଆକାଉଣ୍ଟଙ୍କୁ ଟଙ୍କା ଆସିଥ‌ାଏ।

ଆକାଉଣ୍ଟକୁ ଟଙ୍କା ଆସିବା ପରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବସି ଏବିଷୟରେ ନିଷ୍ପତ୍ତି ହୁଏ। ବିଭିନ୍ନ ପୋଷାକ ବ୍ୟବସାୟୀ ବା ଦୋକାନୀଙ୍କ ଠାରୁ କୋଟେସନ ମଗାଯାଏ। କୋଟେସନ୍‌ ଆସିବା ପରେ ବିଦ୍ୟାଳୟ ପରିଚାଳନା କମିଟିର ଦ୍ବିତୀୟ ବୈଠକରେ ଗୁଣାତ୍ମକ ମାନ ଯାଞ୍ଚ କରାଯାଇ କମ୍ପାନି ବା ବ୍ୟବସାୟୀଙ୍କୁ ଚୟନ କରାଯାଏ। ମନୋନୀତ ହୋଇଥିବା କମ୍ପାନି ଛାତ୍ରଛାତ୍ରୀଙ୍କୁ ପୋଷାକ ପ୍ରଦାନ କରିଥାନ୍ତି। ଏସବୁ ପ୍ରକ୍ରିୟା ଶିକ୍ଷାବ‌ର୍ଷ ଆରମ୍ଭରୁ ଅର୍ଥାତ୍‌ ଏପ୍ରିଲ୍ ମାସରେ ସମାପ୍ତ ହୁଏ। କିନ୍ତୁ ଚଳିତ ଶିକ୍ଷାବର୍ଷରେ ପାଠ୍ୟପୁସ୍ତକଠୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ପୋଷାକ ପ୍ରଦାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବିଭ୍ରାଟ ଦେଖିବାକୁ ମିଳିଛି। ଯେଉଁ କାମ ଏପ୍ରିଲ୍‌ରେ ହେବା କଥା, ଜୁଲାଇ ସରିବାକୁ ବସିଥିଲେ ମଧ୍ୟ ତାହା ଆରମ୍ଭ ହୋଇ ନାହିଁ। ଜଣେ ପ୍ରଧାନଶିକ୍ଷକଙ୍କ କହିବା ଅନୁସାରେ, କଟକ ଜିଲ୍ଲରେ ବହୁଦିନ ହେଲା ଡିପିସି ନଥିବାରୁ ବିଦ୍ୟାଳୟ ପକ୍ଷରୁ ପିଲାଙ୍କ ତାଲିକା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଠାଇ ଦିଆଯାଇଛି। କିନ୍ତୁ ସ୍କୁଲ ଆକାଉଣ୍ଟକୁ ଏଯାଏ ଟଙ୍କା ଆସି ନାହିଁ। ଟଙ୍କା ଆସିବା ପରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବସିବ। ପ୍ରଥମ ବୈଠକରେ ବିଭିନ୍ନ ପୋଷାକ ବ୍ୟବସାୟୀଙ୍କ ଠାରୁ କୋଟେସନ୍‌ ମଗାଯିବ ଓ ଦ୍ବିତୀୟ ବୈଠକରେ ବ୍ୟବସାୟୀ ଚୟନ କରାଯିବ। ପରେ ସେମାନେ ପୋଷାକ ଦେବ‌େ। ଏହି ପ୍ରକ୍ରିୟା ସମାପ୍ତ ହେବାକୁ ପାଖାପାଖି ୨୦/୨୫ଦିନ ସମୟ ଲାଗିବ ବ‌ୋଲି ସଂପୃକ୍ତ ପ୍ରଧାନଶିକ୍ଷକ ସୂଚନା ‌ଦେଇଛନ୍ତି। ଏଯାଏ ସ୍କୁଲକୁ ଟଙ୍କା ଆସି ନ ଥିବାରୁ କେବେ ପିଲାଙ୍କୁ ପୋଷାକ ମିଳିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି।

ସମ୍ବନ୍ଧିତ ଖବର