ବିଶ୍ବସ୍ତରୀୟ ‌ଏସ୍‌ସିବି ପାଇଁ ଟେଣ୍ଡର କେବେ ?

କଟକ: ଖାନ୍‌ନଗରସ୍ଥିତ ନେତାଜୀ ବସ୍‌ ଟର୍ମିନାଲ ପ୍ରକଳ୍ପ ପରେ ଘୋଷଣା ହୋଇ ବି ଟେଣ୍ଡର ହେଲାଣି। କିନ୍ତୁ ବର୍ଷକ ତଳୁ ଘୋଷଣା ହୋଇଥିବା ବିଶ୍ବସ୍ତରୀୟ ଏସ୍‌ସିବି ଏମ୍ସ ପ୍ଲସ୍‌ ଯୋଜନା ପାଇଁ ହୋଇପାରୁନି ଟେଣ୍ଡର। ଯଦିଓ ଏସ୍‌ସିବି ନବକଳେବର ଯୋଜନା ପାଇଁ ସଂପ୍ରସାରଣ କାର୍ଯ୍ୟ, ତାଳଦଣ୍ଡା କେନାଲର ପୁରରୁଦ୍ଧାର କାର୍ଯ୍ୟ ଚାଲିଛି କିନ୍ତୁ ମୂଳ ପ୍ରକଳ୍ପ କାର୍ଯ୍ୟ ପାଇଁ ବୈଷୟିକ ମଂଜୁରୀରେ ଅଟକିଛି ଟେଣ୍ଡର ପ୍ରକ୍ରିୟାର ଭାଗ୍ୟ ।ଗତବର୍ଷ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଶ୍ବସ୍ତରୀୟ ଏସସିବି ପାଇଁ କଟକରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ପ୍ରାରମ୍ଭରେ ହଜାରେ କୋଟିର ଯୋଜନା ଏବେ ୩୫ଶହ କୋଟିରେ ପହଞ୍ଚିଲାଣି। ୨୦୨୩ ସୁଦ୍ଧା ପ୍ରକଳ୍ପ ସାରିବା ପାଇଁ ମାଷ୍ଟର ପ୍ଲାନ୍‌ ସରିଛି। ପ୍ରକଳ୍ପକୁ ବୈଷୟିକ ମଂଜୁରୀ ମଧ୍ୟ ମିଳିଛି। କିନ୍ତୁ ଏଥିପାଇଁ ଆଜି ପର୍ଯ୍ୟନ୍ତ ହୋଇପାରୁନି ଟେଣ୍ଡର। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁସାରେ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଟେଣ୍ଡର ହେବାର ଯୋଜନା ରହିଛି।

ଅନ୍ୟପଟେ ନେତାଜୀ ଜୟନ୍ତୀ ଅର୍ଥାତ୍‌ ୨୦୨୧ ଜାନୁଆରି ୨୩‌ରେ କଟକ ସହରର ଖାନ୍‌ନଗରଠାରେ ନେତାଜୀ ବସ୍‌ଟର୍ମିନାଲ ପାଇଁ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ୬୪.୬୯କୋଟିର ଏହି ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବାବେଳେ ମାର୍ଚ୍ଚ ୨୩ରେ ଟେଣ୍ଡର ଖୋଲାଯିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଥିବା ୧୪ଏକର ସ୍ଥାନରୁ ୧୩ଏକର ସ୍ଥାନ ରାଜସ୍ବ ବିଭାଗ ଅଧିନକୁ ଆସି ସାରିଥିବାବେଳେ ବାକି ଗୋଟିଏ ଏକର କିଣାଯିବ। ଏହି ପ୍ରକଳ୍ପ କାର୍ଯ୍ୟ ଓବିସିସି ଅଧିନରେ ହେବାକୁ ଥିବାବେଳେ ବସ୍‌ ରହଣୀ ସ୍ଥଳ(ପାର୍କିଂ ପ୍ଲେସ୍‌), ବସ୍‌ ଟର୍ମିନାଲ ବିଲଡିଙ୍ଗ, ଅପେକ୍ଷା ଗୃହ(ୱେଟିଂ ପ୍ଲେସ୍‌) ଆଦି ବିଭିନ୍ନ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଯାହାର ଟେଣ୍ଡର ପକାଇବାର ଶେଷ ତାରିଖ ମାର୍ଚ୍ଚ ୨୩ ରହିଛି ଓ ସେହିଦିନ ମଧ୍ୟ ଟେଣ୍ଡର ଖୋଲାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର