କେବେ ସୁଧୁରିବ କଟକ ଟ୍ରାଫିକ୍‌? ନିୟମ ଖିଲାପି ବସ୍‌, ଅଟୋରେ ହାତ ମାରିବାକୁ ଡର!

କଟକ: ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ବସ୍ ଓ ଅଟୋ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୁଲିସ କାହିଁକି ସାହସ କରି ପାରୁ ନାହିଁ? ବାଇକ୍ ଓ କାର୍‌‌ରେ ‌ଯାଉଥିବା ଲୋକଙ୍କ ଅଜାଣତରେ ସେମାନଙ୍କ ପଛରୁ ଫଟୋ ଉଠାଇ ପୁଲିସ ଚାଲାଣ୍ ଜାରି କରି ବାହାଦୁରି ଦେଖାଉଥିବା ବେଳେ ଏ କ୍ଷେତ୍ରରେ ଏତେ କୋହଳ କାହିଁକି? ବାରମ୍ବାର ସମାଲୋଚିତ ହେଉଥିଲେ ବି ପୁଲିସ ବାଦାମବାଡ଼ିରୁ ମଧୁପାଟଣା ଏବଂ ଜାତୀୟ ରାଜପଥରେ ଶିଖରପୁରରୁ ପ୍ରେସ୍ ଛକ ପର୍ଯ୍ୟନ୍ତ ଟ୍ରାଫିକ ନିୟମକୁ ଫୁ କରି ଦେଇଥିବା ବସ୍, ଅଟୋ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ଲୋକ ଦେଖାଣିଆ ଭାବେ କେତେକ ଜରିମାନା ଆଦାୟ କରି ଦୋଷ ଖସାଇବାକୁ ବସିଛି। ସହରର ଏହି ପ୍ରମୁଖ ରାସ୍ତା ସବୁଠୁ ଅଧିକ ସମ୍ବେଦନଶୀଳ ହୋଇଥିବା ବେଳେ ପୁଲିସର ଏ ପ୍ରକାର କାର୍ଯ୍ୟକଳାପ ଏବେ ସନ୍ଦେହର କାରଣ ହୋଇଛି। ସବୁଠୁ ଉଦ୍‌ବେଗର ପ୍ରସଙ୍ଗ ହେଉଛି, ଟ୍ରାଫିକ ବ୍ୟବସ୍ଥା ସଜାଡ଼ିବାକୁ ଆଲୋଚନା କରିବା ପାଇଁ କିଛି ଦିନ ପୂର୍ବରୁ ଅଟୋ ସଂଘ କର୍ମକର୍ତ୍ତାଙ୍କୁ ପୁଲିସ ବୈଠକକୁ ଡାକିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ତାହାକୁ ବାତିଲ୍ କରି ଦିଆଯାଇଥିଲା। ନିୟମ ଖିଲାପି ବସ୍, ଅଟୋଙ୍କ ପ୍ରତି ପୁଲିସର ଦରଦ ପଛର କାରଣ ଏବେ ସନ୍ଦେହର ବିଷୟ ହୋଇଛି।
୨୦୦୮ରୁ ଆରମ୍ଭ ହୋଇଥିବା କମିସନରେଟ୍ ପୁଲିସରେ ପ୍ରଥମ ଡିସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ ପୁଲିସ କମିସନର। ତାଙ୍କଠାରୁ ବର୍ତ୍ତମାନ ପିନାକ ମିଶ୍ରଙ୍କ ପର୍ଯ୍ୟନ୍ତ ୭ ଜଣ ଆଇପିଏସ୍ ଅଫିସର କଟକର ଡିସିପି ହେଲେଣି। କିନ୍ତୁ କଟକର ସବୁଠୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ବାଦାମବାଡ଼ିର ଟ୍ରାଫିକ୍ ଅବ୍ୟବସ୍ଥା ସୁଧୁରିଲା ନାହିଁ। ଏହି ରାସ୍ତାର ଦୁଇ ମୁଣ୍ଡରେ ଦୁଇଟି ଥାନା ଏବଂ ଟ୍ରାଫିକ୍ ଥାନା ଥାଇ ବି ସ୍ଥିତି ନ ସୁଧୁରିବା ଏବେ ଅସନ୍ତୋଷର କାରଣ ହୋଇଛି।

ବାଦାମବାଡ଼ି-ପାଲାମଣ୍ଡପ ରାସ୍ତାର ଦୁଇ ପାର୍ଶ୍ବରେ ଅଧା ରାସ୍ତା କେବଳ ବସ୍ ଓ ଅଟୋ ଚାଳକଙ୍କ କବ୍‌ଜାରେ ରହୁଛି। ବାଦାମବାଡ଼ି ଭଳି ଗୁରୁତ୍ବପୂର୍ଣ୍ଣ ଛକକୁ ଦୈନିକ ୧ ହଜାର ବସ୍ ଓ ଦେଢ଼ ହଜାର ଅଟୋ ଚଳାଚଳ କରୁଥିବାରୁ ବେଆଇନ ପାର୍କିଂ ଓ ନିଷିଦ୍ଧାଞ୍ଚଳରେ ଗାଡ଼ି ଅଟକାଇ ଯାତ୍ରୀଙ୍କୁ ଉଠାଇବା ବାଦାମବାଡ଼ିରେ ଟ୍ରାଫିକ ଅବ୍ୟବସ୍ଥା ପଛର ପ୍ରମୁଖ କାରଣ କୁହାଯାଉଛି। ଆଜି ଅପରାହ୍ନ ୪ଟା ୫୦ ବେଳେ ଏଭଳି ସ୍ଥିତି ପରଖିଥିଲା ‘ସମ୍ବାଦ’ ଟିମ୍। ନିଷିଦ୍ଧାଞ୍ଚଳ ଭାବେ ଚିହ୍ନଟ ହୋଇଥିବା ବିସାଲ-ଇନ୍ ହୋଟେଲ୍ ସାମନାରେ ପୂର୍ବ ଭଳି ‘ମୋ ବସ୍’ ଠାରୁ ଆରମ୍ଭ କରି ଘରୋଇ ବସ୍ ଅଟକୁଥିବା ବେଳେ ବାଦାମବାଡ଼ି ଥାନା ନିକଟରେ ଅଟୋ ଚାଳକ ରାସ୍ତା ଉପରେ ଗାଡ଼ି ଅଟକାଉଛନ୍ତି। ସେହିଭଳି ଭରତିଆ ଟାଓ୍ବାର ଭଳି ନିଷିଦ୍ଧାଞ୍ଚଳରେ ଅଟୋ ଚାଳକମାନେ ଅଟକି ରହି ଯାତ୍ରୀଙ୍କୁ ଉଠାଉଥିବା ବେଳେ ବାଇକ୍ ଚାଳକ ଜୟଶ୍ରୀ ସିନେମା ହଲ୍ ଯାଏ ଗାଡ଼ି ପାର୍କିଂ କରୁଥିବାରୁ ଏହି ଅଞ୍ଚଳ ଦୈନିକ ଭିଡ଼ ପରିସ୍ଥିତି ସୃଷ୍ଟି ହେଉଛି। ଏପଟେ ମଧୁପାଟଣା ଛକରେ ବି ଅଟୋ ଚାଳକ ଟ୍ରାଫିକ ପୁଲିସ ସାମନାରେ ରାସ୍ତା ମଝିରେ ଗାଡ଼ି ରଖି ଯାତ୍ରୀ ଉଠାଉଛନ୍ତି। ପୁଲିସର ପ୍ରଶ୍ରୟରେ ଏଭଳି ଅବ୍ୟବସ୍ଥା ଚାଲିଛି କି ବୋଲି ଏବେ ସହରବାସୀ ପ୍ରଶ୍ନ କଲେଣି।

ପୁଲିସ ଚୁପ୍‌ ରହୁଛି କେମିତି?
କଟକରେ ମୁଖ୍ୟତଃ ବାଦାମବାଡ଼ି ଅଞ୍ଚଳରେ ଯେଉଁଭଳି ଟ୍ରାଫିକ ସମସ୍ୟା ସୃଷ୍ଟି ହେଲାଣି, ପୁଲିସ କମିସନର କି ଟ୍ରାଫିକ ଡିସିପି କେହି କଟକ ଆସି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ବାଦାମବାଡ଼ିରେ ବେଆଇନ ପାର୍କିଂ ଏକ ନିୟମିତ ସମସ୍ୟା ହୋଇଥିବାରୁ ବ୍ୟସ୍ତ ଲାଗିଲାଣି। ଏଥିପ୍ରତି ଟ୍ରାଫିକ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ବଦଳରେ ଚୁପ ବସିପଡ଼ୁଛି କେମିତି? ଆଗାମୀ ବୈଠକରେ ଏହାର ‌ଜୋରଦାର ବିରୋଧ କରାଯିବ।
ବିଷ୍ଣୁମୋହନ ଦାସସାମନ୍ତ, ଟିଏମ୍‌ସି ସଦସ୍ୟ

ଟିଏମ୍‌ସି ବୈଠକରେ ଏ ପ୍ରସଂଗ ଉଠିବ
ବାଦାମବାଡ଼ିରେ ଶହ ଶହ ଗାଡ଼ି ଯିବା ଆସିବା କରୁଛି। ରାସ୍ତା ଉପରେ ଗାଡ଼ି ପାର୍କିଂ ହୋଇଥିବା ସଂପର୍କରେ ଟ୍ରାଫିକ୍‌ ପରିଚାଳନା କମିଟି ବୈଠକରେ ଦୃଷ୍ଟି ଆକର୍ଷଣ କରିବୁ। ଏ ସମସ୍ୟା ଦୀର୍ଘ ଦିନର। ପରବର୍ତ୍ତି ଟ୍ରାଫିକ ପରିଚାଳନା କମିିଟି ବୈଠକରେ ନିଶ୍ଚିତ ଆଲୋଚନା ହେବ। ପ୍ରଶାନ୍ତ ନାୟକ, ଟିଏମ୍‌ସି ସଦସ୍ୟ

Sambad

ଟ୍ରାଫିକ୍‌ ଡିସିପି କଟକ ଆଦୌ ଆସୁନାହାନ୍ତି
ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ବୈଠକ ଗଲା ପ୍ରାୟ ୪ ମାସ େହବ ବସିନାହିଁ। କମିଟି ଯେହେତୁ ବସୁନାହିଁ, କେହି କାହା କଥା ଶୁଣୁନାହାନ୍ତି। କଟକ ଓ ଭୁବନେଶ୍ବରର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ବତନ୍ତ୍ର ଭାବେ ଜଣେ ଡିସିପି ନିଯୁକ୍ତ ହୋଇଛନ୍ତି। କିନ୍ତୁ ଟ୍ରାଫିକ ଡିସିପି କଟକ ପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। କେବଳ ଭୁବନେଶ୍ବରରେ ରହୁଛନ୍ତି। ସପ୍ତାହକୁ ଅତି କମରେ ତିନି ଦିନ ତ ଆସିବା କଥା। ଟ୍ରାଫିକ ଏସିପି ପ୍ରଦୀପ ଦଳାଇଙ୍କ ପରଠାରୁ ବାରମ୍ବାର ବଦଳୁଛନ୍ତି। ତେଣୁ କଟକର ଟ୍ରାଫିକ ସମସ୍ୟା ପରିବର୍ତ୍ତନ କ୍ଷେତ୍ରରେ କେହି ଗୁରୁତ୍ବ ଦେଉନାହାନ୍ତି। ନିୟମିତ ବାଇକ ଚାଳକଙ୍କ ନିକଟରୁ ଜରିମାନା ହେବାରୁ ବାଧ୍ୟ ହୋଇ ସମସ୍ତେ ହେଲମେଟ୍ ପିନ୍ଧିଲେଣି। ବେଆଇନ ପାର୍କିଂ କରୁଥିବା ଗାଡ଼ି ଚାଳକଙ୍କ ନିକଟରୁ ଦୈନିକ ଜରିମାନା ଆଦାୟ ହେଲେ କେହି ଆଉ ନିଷିଦ୍ଧାଞ୍ଚଳରେ ପାର୍କିଂ କରନ୍ତେ ନାହିଁ।
ଜୟଦୀପ ପାଲ୍, ଟିଏମ୍‌ସି ସଦସ୍ୟ

ପ୍ରଶାସନିକ ନିରବତା ବଡ଼ ସମସ୍ୟା କଲାଣି
ପୁଲିସ ବେଆଇନ ପାର୍କିଂକୁ ଅପରାଧ ଭାବେ ଗ୍ରହଣ ନକରି ହେଲମେଟ ନପିନ୍ଧିବାକୁ ଅପରାଧ ଭାବେ ଧରିନେଉଛି। କଟକ ସହରରେ ବେଆଇନ ପାର୍କିଂ ଏକ ବଡ଼ ସମସ୍ୟା ହେଲାଣି। ପାର୍କିଂ ପାଇଁ ଉଭୟ ଗାଡ଼ି ଚାଳକ ଓ ପୁଲିସ ଦାୟୀ। କେବଳ ହେଲମେଟ୍ ଚେକିଂ ପଛରେ ଲାଗିଲେ ଚଳିବ କି? ବେଆଇନ ପାର୍କିଂ ପାଇଁ ପ୍ରଶାସନିକ ନିରବତା ବଡ଼ ସମସ୍ୟା ସୃଷ୍ଟି କଲାଣି। ‘ସମ୍ବାଦ’ରେ ନିୟମିତ ବାଦାମବାଡ଼ି ଟ୍ରାଫିକ ସମ୍ପର୍କିତ ଖବର ପ୍ରକାଶ ପାଉଥିବା ବେଳେ ପୁଲିସ ଏଥିପ୍ରତି ଦୃଷ୍ଟି ଦେଉନାହିଁ।
ଅଶୋକ ସ୍ବାଇଁ, ମୁଖପାତ୍ର, କଟକ ଜିଲ୍ଲା କଂଗ୍ରେସ

ବାଦାମବାଡ଼ିରେ ଜଗିବେ ପୁଲିସ
ବାଦାମବାଡ଼ିରେ ବେଆଇନ ପାର୍କିଂ ରୋକିବାକୁ ନୂଆ ଡିସିପି ସାର୍‌ଙ୍କ ସହିତ କଥା ହୋଇ ବାଦାମବାଡ଼ି ଅଞ୍ଚଳରେ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ। କିଭଳି ବେଆଇନ ପାର୍କିଂ ରୋକାଯାଇପାରିବ ଏଥିପ୍ରତି ଦୃଷ୍ଟି ଦିଆଯିବ। ବେଆଇନ ଭାବେ ଯେଉଁ ବସ୍ ଚାଳକ ଯାତ୍ରୀଙ୍କୁ ଓହ୍ଲାଉଛନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ହେଉଛି। ଦୈନିକ ପାଖାପାଖି ୨୦ରୁ ୩୦ଟି ବସରୁ ଜରିମାନା ଆଦାୟ କରାଯାଉଛି। ଅରୁଣୋଦୟ ମାର୍କେଟ ଏଲଆଇସି ଅଫିସ ନିକଟରେ ଯେଉଁ ବସ୍ ବେଆଇନ ପାର୍କିଂ କରୁଛି ଏଥିପ୍ରତି ବି ଦୃଷ୍ଟି ଦିଆଯିବ।
ଦିଲ୍ଲୀପ କୁମାର ଦାସ, ଟ୍ରାଫିକ ଏସିପି

ସମ୍ବନ୍ଧିତ ଖବର