ହଜିଗଲା କି ହାଇଦର ଫାଇଲ୍? ପୁଅ, ପୁତୁରା ଓ ସହଯୋଗୀ କେଉଁଠି?

କେନ୍ଦ୍ରାପଡ଼ାରେ ଚକ୍କର କାଟୁଛି ଚୁନ୍ନେଇ, କୋର୍ଟରୁ ୩ ଜଣଙ୍କ ବିରୋଧରେ ଵାରେଣ୍ଟ

କଟକ: ଗ୍ୟାଙ୍ଗଷ୍ଟର ହାଇଦର୍ କଟକ ବଡ଼ ଡାକ୍ତରଖାନାରୁ ଫେରାର ପଛର କାର୍ପଟଦାର ମଝିଆ ପୁଅ ସେକ୍‌ ଆଜାରୁଦ୍ଦିନ, ସାନ ପୁଅ ସେକ୍‌ ଚୁନ୍ନେଇ, ପୁତୁରା କାଲା, ଶଳା ଗୋରା, ସାନ ଜ୍ବାଇଁ ଓ ଆଜାରୁଦ୍ଦିନର ସହଯୋଗୀ ତିନିଘରିଆର କାଳିଆ ଏବେ କେଉଁଠି? ହାଇଦର ଫେରାର ଓ ଏନକାଉଣ୍ଟରକୁ ଏକ ବର୍ଷ ବିତି ଯାଇଥିବା ବେଳେ ଏବେ ଏହି ଅପରାଧୀମାନେ କେଉଁଠି ଅଛନ୍ତି, ସେ ସମ୍ପର୍କରେ କମିସନରେଟ୍ ପୁଲିସ ନିରବ। କୋର୍ଟରୁ ଏମାନଙ୍କ ବିରୋଧରେ ଗଲା ତିନି ମାସ ତଳେ ଵାରେଣ୍ଟ ଜାରି ହୋଇଥିବା ବେଳେ ପୁଲିସ ଏମାନଙ୍କୁ ଢିଲା ଛାଡ଼ି ଦେଇଛି। ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର ହେବାର ମାତ୍ର ୫ ଦିନ ଭିତରେ ତେଲେଙ୍ଗାନାରୁ ଗିରଫ କରିବାର ଦକ୍ଷତା ରଖୁଥିବା କମିସନରେଟ୍ ପୁଲିସ ନୂଆ ନୂଆ ଅପରାଧ ଦୁନିଆରେ ପାଦ ଦେଇଥିବା ହାଇଦର ସହଯୋଗୀଙ୍କୁ ଧରିବାରେ ବିଫଳତାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ସୂଚନା ଅନୁଯାୟୀ, କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଗ୍ୟାଙ୍ଗଷ୍ଟର ହାଇଦର ୨୦୨୧ ଏପ୍ରିଲ ୧୦ ତାରିଖ ଅପରାହ୍ନରେ ମଝିଆ ପୁଅ ଆଜାରୁଦ୍ଦିନ ସହାୟତାରେ ଫେରାର ହୋଇଯାଇଥିଲା। ହାଇଦରକୁ ଫେରାର ପଛରେ ଆଜାରୁଦ୍ଦିନ ସମେତ ଉପରୋକ୍ତ ୬ ଜଣ ସମ୍ପୃକ୍ତ ଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ହାଇଦ୍ରାବାଦର ମୁର୍ସିଦାବାଦରେ ଆଜାରୁଦ୍ଦିନ ଏକ ଭଡ଼ା ଘରେ ହାଇଦରକୁ ଆଶ୍ରୟ ଦେଇଥିଲା। ସେଠୁ ସାଙ୍ଗାରେଡ୍ଡି ଜିଲ୍ଲା ଜାହିରାବାଦ ହୁଦନୁଲ ଅଞ୍ଚଳରେ ଥିବା ବେଳେ ଏପ୍ରିଲ ୧୫ ତାରିଖରେ କଟକ କମିସନରେଟ୍ ପୁଲିସ ତାକୁ ଗିରଫ କରିଥିଲା। ଏହି ଘଟଣା ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିବା ବେଳେ ମଙ୍ଗଳାବାଗ ଥାନା ପୁଲିସ ହାଇଦରର ପ୍ରାୟ ୮ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। କିନ୍ତୁ ଫେରାର ପଛର ଉପରୋକ୍ତ ସହଯୋଗୀଙ୍କ କ୍ଷେତ୍ରରେ ପୁଲିସ ଏକ ପ୍ରକାର ନିରବ ରହିଯାଇଛି। ଚୌଦ୍ବାର ସର୍କଲ ଜେଲରୁ ହାଇଦରକୁ ୨୦୨୧ ଜୁଲାଇ ୨୪ ତାରିଖରେ ବାରିପଦା ସର୍କଲ ଜେଲକୁ ସ୍ଥାନାନ୍ତର ସମୟରେ ବାଲେଶ୍ବର ନିକଟରେ ପୁଲିସ ଏନକାଉଣ୍ଟରର ଶିକାର ହୋଇଥିଲା। ତାକୁ ଏନକାଉଣ୍ଟର କରିଥିବା ତତ୍କାଳୀନ ପୁଲିସ ଇନସ୍ପେକ୍ଟର ଗଙ୍ଗାଧର ଶାସେନୀଙ୍କର ନିକଟରେ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଯାଇଛି।

ବାଲେଶ୍ବର ଜିଲ୍ଲା ପୁଲିସ ହାଇଦର ଏନକାଉଣ୍ଟରକୁ ନେଇ ଏକ ତଦନ୍ତ କରୁଥିବା ବେଳେ ଗଙ୍ଗାଧର ଶାସେନୀଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା। ତତ୍କାଳୀନ କଟକ ଡିସିପି ପ୍ରତୀକ ସିଂହ ଏବେ ବଦଳି ହୋଇ ଭୁବନେଶ୍ବର ଡିସିପି ହୋଇଥିବା ବେଳେ ହାଇଦର୍ ମାମଲାକୁ ଅତି ନିକଟରୁ ଅନୁଧ୍ୟାନ କରୁଥିବା ତତ୍କାଳୀନ ଏଡିସିପି ପ୍ରମୋଦ ରଥ ଏବେ ଦେବଗଡ଼ ଏସପି ଭାବେ ନିଯୁକ୍ତି ପାଇଛନ୍ତି। ବଡ଼ ଡାକ୍ତରଖାନାରୁ ହାଇଦର ଫେରାର ପରଠାରୁ ଘଟଣାର ତଦନ୍ତକାରୀ ଅଇଧିକାରୀ ତତ୍କାଳୀନ ମଙ୍ଗଳାବାଗ ଥାନା ଆଇଆଇସି ଅମିତାଭ ମହାପାତ୍ର ଏବେ ଏସିପି ପାହ୍ୟାକୁ ପଦୋନ୍ନତି ପାଇ କଟକ ଡିସିପି ଅଫିସରେ ନିଯୁକ୍ତି ପାଇଛନ୍ତି। ଏଭଳି ପରିସ୍ଥିତିରେ ହାଇଦରକୁ ଫେରାର କରାଇବା ପଛର କାର୍ପଟଦାରଙ୍କୁ ଧରିବାରେ ବର୍ତ୍ତମାନର ନୂଆ ପୁଲିସ ଅଧିକାରୀ ଏକ ପ୍ରକାର ଶିଥିଳ ପଡ଼ି ଯାଇଛନ୍ତି। ଥାନା ଆଇଆଇସିଙ୍କଠାରୁ ଆରମ୍ଭ କରି ଡିସିପିଙ୍କ ଯାଏ ସମସ୍ତେ ନୂଆ ଥିବା ବେଳେ ହାଇଦର ଫେରାର ଭଳି ବହୁ ଚର୍ଚ୍ଚିତ ଘଟଣା ପରଦା ଆଢ଼ୁଆଳକୁ ଚାଲିଯିବାର ଆଶଙ୍କା କରାଯାଉଛି। ଆଜାରୁଦ୍ଦିନ ଏବେ ହାଇଦ୍ରାବାଦରେ ଥିବା କୁହାଯାଉଥିବା ବେଳେ ସାନ ପୁଅ ଚୁନ୍ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ବୁଲୁଥିବା କୁହାଯାଉଛି। ହାଇଦରକୁ ଏନକାଉଣ୍ଟର କରିବା ପରେ ହାଇଦର ଫେରାର ପଛର ଏହି କାର୍ପଟଦାରଙ୍କୁ ପୁଲିସ ଏଭଳି ଖୋଲା ଛାଡ଼ିଦେବା ପଛର ରହସ୍ୟ କଣ? ହାଇଦର ଫେରାର ପଛରେ ପୁଲିସ ଓ କଟକ ବଡ଼ ଡାକ୍ତରଖାନାର ଦୋଷ ଦୁର୍ବଳ ଲୁଚି ରହିଥିବାରୁ ପୁଲିସ ଏହି ମାମଲାକୁ ଅଧିକ ଘଣ୍ଟାଚକଟା କରିବାକୁ ପଛଘୁଞ୍ଚା ଦେଉ ନାହିଁ ତ? ଏ ସଂପର୍କରେ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ହାଇଦର ଏନକାଉଣ୍ଟର ମାମଲାର ତଦନ୍ତ ପୁଲିସ ଶୀଘ୍ର ଶେଷ କରିବାର ଆବଶ୍ୟକ। ଏବେ କମିସନରେଟ୍ ପୁଲିସରେ ନୂଆ ପୁଲିସ ଅଧିକାରୀ ନିଯୁକ୍ତ ହୋଇଥିବା ବେଳେ ଏହି ମାମଲାକୁ ତ୍ବରାନ୍ବିତ କରିବାକୁ ବରିଷ୍ଠ ଅଧିକାରୀମାନେ ଦାୟିତ୍ବ ନେବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର