କେଉଁଠି ରହିବ ବିଜୁଙ୍କ ଡାକୋଟା? କୋଲକାତାରୁ ଭୁବନେଶ୍ବର ଆଣିବାକୁ ଟେଣ୍ଡର୍ ଆହ୍ବାନ
ଟେଣ୍ଡର୍ରେ କଟକ ନାଁ ନ ଥିବାରୁ ପୁଣି ବଢ଼ିଲା ଦ୍ବନ୍ଦ୍ବ
କଟକ: ଓଡ଼ିଶା ଆସିବ ବିଜୁଙ୍କ ଡାକୋଟା ବିମାନ। ଏଥିପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଛି। କିନ୍ତୁ ଡାକୋଟା କଟକରେ ବିଜୁବାବୁଙ୍କ ଜନ୍ମସ୍ଥାନ କଟକର ଆନନ୍ଦ ଭବନ ସାମନାରେ ରହିବ ନା ଭୁବନେଶ୍ବର ବିମାନ ବନ୍ଦରରେ ରହିବ, ତାହାକୁ ନେଇ ପୁଣି ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କୋଲକାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନବନ୍ଦରରେ ପଡ଼ିଥିବା ଡାକୋଟାକୁ ଭୁବନେଶ୍ବର ଆଣିବା ପାଇଁ ଏବେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ ଏଭଳି ଦ୍ବନ୍ଦ୍ବକୁ ହାୱା ଦେଇଛି। ଜୁଲାଇ ୩୦ ଟେଣ୍ଡର ଆବେଦନର ଶେଷ ତାରିଖ ରହିଥିବା ବେଳେ ଟେଣ୍ଡର ଫଇସଲା ପରେ ଡାକୋଟା ଓଡ଼ିଶା ଆସିବା ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଟେଣ୍ଡରରେ ବିମାନକୁ କଟକ ଅଣାଯିବା ପ୍ରସଙ୍ଗ ନ ଥିବାରୁ ବାସ୍ତବରେ ଏହାକୁ କେଉଁଠାରେ ରଖାଯିବ ତାହାକୁ ନେଇ ବିବାଦୀୟ ସ୍ଥିତି ଉପୁଜିଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନକୁ ଓଡ଼ିଶା ଆଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଡାକୋଟା ବିମାନକୁ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ରଖିବାକୁ ଐତିହାସିକ ଅନିଲ ଧୀର୍ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ। ଏହା ପରେ ବିଭିନ୍ନ ମହଲରେ ଏହାକୁ ନେଇ ବିବାଦ ଦେଖା ଦେଇଥିଲା।
ସବୁ ଦୃଷ୍ଟିରୁ ଡାକୋଟାକୁ କଟକ ତୁଳସୀପୁରସ୍ଥିତ ତାଙ୍କ ଜନ୍ମସ୍ଥାନ ଆନନ୍ଦଭବନ ସମ୍ମୁଖରେ ରଖିବାକୁ କଟକବାସୀଙ୍କ ସମେତ ଓଡ଼ିଶାର ବହୁ ବୁଦ୍ଧିଜୀବୀ ମତ ଦେଇଥିଲେ। କଟକ ସହରରେ ବିଜୁ ପଟ୍ଟନାୟକଙ୍କ ଜନ୍ମ, ବାଲ୍ୟଜୀବନ, ସ୍କୁଲ ଓ କଲେଜ ଶିକ୍ଷା, ପାଇଲଟ୍ ହେବାର ସ୍ବପ୍ନ ଆଦି ପୂରଣ ହୋଇଥିବାରୁ କଟକ ହିଁ ଡାକୋଟା ରଖିବାର ଉପଯୁକ୍ତ ସ୍ଥାନ ବୋଲି ଯୁକ୍ତି ବାଢ଼ିଥିଲେ ଓଡ଼ିଶାର ବୁଦ୍ଧିଜୀବୀ। ସବୁଠୁ ବଡ଼ କଥା, ବିଜୁଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପରିବାର ପକ୍ଷରୁ ଆନନ୍ଦଭବନକୁ ଓଡ଼ିଆବାସୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯିବା ସହିତ ସେଠାରେ ଜନ୍ମସ୍ଥାନ ସଂଗ୍ରହାଳୟ ହେଲା। ତେଣୁ ବିଜୁଙ୍କ ସବୁ ସାମଗ୍ରୀ, ସ୍ମାରକୀକୁ ଯଦି ଆନନ୍ଦଭବନରେ ରଖାଗଲା, ତାଙ୍କର ପ୍ରିୟ ଡାକୋଟାକୁ ଅଲଗା କରାଯିବ କେମିତି ବୋଲି ପ୍ରଶ୍ନ ଉଠିଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧରେ କୋଲକାତାରେ ପରିତ୍ୟକ୍ତ ହୋଇ ପଡ଼ିଥିବା ଡାକୋଟାକୁ ବିଜୁ ପଟ୍ଟନାୟକ ନୂତନ ଜୀବନଦାନ କରିଥିଲେ। ପରେ ଡାକୋଟା ସହାୟତାରେ ଡକ୍ ଅଧିକୃତ ଇଣ୍ଡୋନେସିଆରୁ ସୁକର୍ଣ୍ଣ (ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି) ଓ ତାଙ୍କ ପରିବାର ସଦସ୍ୟଙ୍କୁ ଉଦ୍ଧାର କରିଥିଲେ। ଏହି ଦୁର୍ଦ୍ଦଶ ଅଭିଯାନରେ ବିଜୁଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକ ବି ଡାକୋଟାରେ ଥିଲେ। ଇଣ୍ଡୋନେସିଆ ସ୍ବାଧୀନ ରାଷ୍ଟ୍ର ହେଲା ଓ ବିଜୁ ପଟ୍ଟନାୟକ ହେଲେ ଇଣ୍ଡୋନେସିଆର ଭୂମିପୁତ୍ର। ଏସବୁ ଦୃଷ୍ଟିରୁ ବିଚାର କଲେ କଟକ ହିଁ ଡାକୋଟା ପାଇଁ ଉପଯୁକ୍ତ ସ୍ଥାନ।