ରାଜ୍ୟ ବିଜେପି ବିବାଦ କଟକରେ ପ୍ରତିଫଳିତ, ଦୁଇ ସମାନ୍ତରାଳ ତ୍ରିରଙ୍ଗା ଯାତ୍ରାକୁ ନେଇ ଚର୍ଚ୍ଚା

ଜିଲ୍ଲା ନେତୃତ୍ବ ଅଜାଣତରେ ତ୍ରିରଙ୍ଗା ଯାତ୍ରା ପଛରେ କିଏ?

କଟକ: ରାଜ୍ୟ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ଏବେ କଟକରେ ବି ଦେଖିବାକୁ ମିଳିଛି। ବିଜେପିର ଦୁଇ ସମାନ୍ତରାଳ ତ୍ରିରଙ୍ଗା ଯାତ୍ରା ଆୟୋଜନରୁ ଏଭଳି ବିବାଦ ଏବେ ଜଳଜଳ ହୋଇ ଦିଶୁଛି। ତଥ୍ୟ ଅନୁଯାୟୀ ନଗର ବିଜେପି ପକ୍ଷରୁ ଆସନ୍ତାକାଲି (୧୩ ତାରିଖ) ଏକ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଛି। ଜିଲ୍ଲା ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ନୟନ ମହାନ୍ତି ଓ ଦିଲ୍ଲୀପ ମଲ୍ଲିକଙ୍କ ସମେତ ଜିଲ୍ଲାର ଅନ୍ୟ ତୁଙ୍ଗ ନେତାଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କିନ୍ତୁ ଆଜି ବିଜେପିର ଏକ ଗୋଷ୍ଠୀ କଟକ ସହରରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଏହି ତ୍ରିରଙ୍ଗା ଯାତ୍ର‌ାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତିଶଗଡ଼ ପ୍ରଭାରୀ ଆଲୋକ ଡଙ୍ଗସ୍ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦକ ରଶ୍ମିରେଖା ଦାସ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ ଗୋଛାୟତ ପ୍ରମୁଖ ସାମିଲ ହୋଇଥିଲେ।

ଜିଲ୍ଲା ନେତୃତ୍ବଙ୍କୁ ନ ଜଣାଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଏବେ ବିବାଦର କାରଣ ହୋଇଛି। ମହିଳା ମୋର୍ଚ୍ଚା ସଭାପତି ଯୋଗ ଦେଉଥିବା ଏଭଳି ଏକ କାର୍ଯ୍ୟକ୍ରମ ସଂପର୍କରେ କଟକ ଜିଲ୍ଲା ସଭାପତିଙ୍କୁ ଜଣା ନଥିବା ଦଳର କର୍ମୀଙ୍କୁ ଚକିତ କରିଛି। ଏ ସଂପର୍କରେ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ କହିଛନ୍ତି ଯେ ଆଜିର ତ୍ରିରଙ୍ଗା ଶୋଭାଯାତ୍ରା କିଏ ଆୟୋଜନ କରିଥିଲା, ତାହା ସେ ଜାଣନ୍ତି ନାହିଁ। ଗତ ୮ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ସମ୍ମୁଖ‌ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଆଜିର ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ତଥାକଥିତ ଦୁଇ ଗୋଷ୍ଠୀଙ୍କ ବିବାଦର ଚର୍ଚ୍ଚାକୁ ହାୱା ଦେଇଛି।

ସମ୍ବନ୍ଧିତ ଖବର