ଫୁଲନଖରା: ଉଭୟ କୃଷି ଓ କୃଷକଙ୍କ ହିତ ପାଇଁ ରାଜ୍ୟ ସରକାର 'କାଳିଆ' ଯୋଜନା ପ୍ରବର୍ତ୍ତନ କରିବା ସହିତ ଏହା ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି ବୋଲି କୁହାଯାଉଛି। ତେବେ ବାସ୍ତବରେ ଏହା କୃଷକଙ୍କ ଖାତାକୁ ଯାଉଛି ତ? ଖବର ନେବାରେ ଜଣା ପଡ଼ିଛି ଯେ ପ୍ରକୃତ ଚାଷୀ ଏହାର ଉପକାର ପାଉନଥିଲା ବେଳେ ଗାଡ଼ି ଚାଳକ, ରାଜମିସ୍ତ୍ରୀ, ଗ୍ୟାରେଜ ମାଲିକ, ରଙ୍ଗମିସ୍ତ୍ରୀ, କାଠମିସ୍ତ୍ରୀ, ବ୍ୟବସାୟୀ, ଓ୍ବେଲିଡ଼ିଙ୍ଗ ମିସ୍ତ୍ରୀ, ଇଟାଭାଟି ମାଲିକ, ଧାନକଳ ମାଲିକଙ୍କ ପରି ଲୋକଙ୍କ ଖାତାକୁ ଏହି ଟଙ୍କା ଯାଉଛି। ଏପରି ଅନେକ ଦୃଷ୍ଟାନ୍ତ ବାରଙ୍ଗ ବ୍ଲକ ଅନ୍ତର୍ଗତ ୩୩ ନମ୍ବର ଜୋନ ଅଞ୍ଚଳରେ ଦେଖିବାକୁ ମିଳିଛି। ଏ ନେଇ କୃଷି ବିଭାଗ, ଉଦ୍ୟାନ ବିଭାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ପଚାରିଲେ ସେମାନେ ଏ ବିଷୟରେ କିଛି ଜାଣନ୍ତି ନାହିଁ କିମ୍ବା ଟଙ୍କା କିପରି ଆସୁଛି କିପରି ଯାଉଛି ଏବଂ କିଏ ଉପକୃତ ହେଉଛନ୍ତି ବା ହିତାଧିକାରୀଙ୍କୁ କିଭଳି ଚୟନ କରାଯାଉଛି ସେ ବାବଦରେ ମଧ୍ୟ ସେମାନେ ଅବଗତ ନୁହନ୍ତି ବୋଲି କହୁଛନ୍ତି।
ମୋଟାମୋଟିଭାବେ 'କାଳିଆ' ସମ୍ପର୍କିତ କୌଣସି ତଥ୍ୟ ବିଭାଗୀୟ ଅଧିକାରୀଙ୍କ ନିକଟରେ ନାହିଁ କହିଲେ ଚଳେ। ତେବେ ଯେଉଁ ଉଦ୍ଦେଶ୍ୟରେ ଏହି ମହତ ଯୋଜନା ଆରମ୍ଭ ହୋଇଥିଲା ତାହା କେତେଦୂର କାର୍ଯ୍ୟକାରୀ ହେଉଛି ତା'ର ଦତାରଖ କରିବାକୁ ମଧ୍ୟ କେହି ନାହିଁ। ଚାଷ ବିଷୟରେ କୌଣସି ଅଭିଜ୍ଞତା ନଥିବା ଏପରିକି ଚାଷ ଜମି ନଥିବା ବ୍ୟକ୍ତି ମଧ୍ୟ କାଳିଆ ଟଙ୍କା ହାତେଇବାରେ ସକ୍ଷମ ହେଉଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ବାଦ ପଡ଼ିଥିବା ପ୍ରକୃତ ଚାଷୀ କିପରି ଏହି ଯୋଜନାରେ ସାମିଲ ହୋଇ ଉପକୃତ ହୋଇପାରିବେ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/kalia-scheme-bk.jpg)