କଟକ: କିଏ ବସିବ କଟକ ଜିଲ୍ଲାପରିଷଦ ସଭାପତି ଆସନରେ? ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା। କଟକ ଜିଲ୍ଲାପରିଷଦ ଆସନ ଅଣସଂରକ୍ଷିତ ରହିଥିବାରୁ ଆଶାୟୀଙ୍କ ସଂଖ୍ୟା ଏବେ ଅଧାଡଜନ ଉପରେ। କିନ୍ତୁ କେଉଁ ନିର୍ବାଚନମଣ୍ଡଳୀ ଭାଗରେ ସଭାପତି ଆସନ ପଡିବ, ତାହାକୁ ନେଇ ବିଧାୟକ ଓ ନେତାଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ବନ୍ଦ୍ବିତା ଓ ଲବି ଆରମ୍ଭ ହୋଇଯାଇଛି। ଆଶାୟୀ ଦୌଡରେ ନରସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବର୍ତ୍ତମାନ ଜିଲ୍ଲାପରିଷଦ ସଭ୍ୟଭାବେ ନିର୍ବାଚିତ ହୋଇଥିବା କିଶୋର ମିଶ୍ର, ବଡମ୍ବା ୨୯ ନମ୍ବର ଜୋନରୁ ନିର୍ବାଚିତ ହୋଇଥିବା ତଥା ବ୍ଲକ୍ ବିଜେଡି ସଭାପତି ରବୀନ୍ଦ୍ର ସାହୁ, ବାଙ୍କୀ ଜୋନ- ୩୮ରୁ ନିର୍ବାଚିତ ହୋଇଥିବା ବିଜେଡିର ଜଣାଶୁଣା ନେତା ଆଶିଷ ସାହୁ, ନିଆଳି ଜୋନ-୨୨ରୁ ଦେବାଶିଷ ଷଢଙ୍ଗୀ, କଣ୍ଟାପଡା ଜୋନ-୮ରୁ ପିୟୂଷ ମିଶ୍ର, ଜୋନ-୭ରୁ ସୁଭଦ୍ରା ଦାସ ପ୍ରମୁଖ ଦୌଡରେ ରହିଛନ୍ତି। ମାର୍ଚ୍ଚ ୧୩ରେ ଜିଲ୍ଲାପରିଷଦ ସଭାପତି ପଦ ପାଇଁ ନିର୍ବାଚନ ଥିବାରୁ ଏଥିପାଇଁ ଏବେ ଆଶାୟୀଙ୍କ ମଧ୍ୟରେ ଦୌଡ଼ ଆରମ୍ଭ ହୋଇଯାଇଛି। ଜିଲ୍ଲାପରିଷଦ ସଭାପତି ପଦ ପୂର୍ବରୁ ସାଲେପୁର ହାତକୁ ଦୁଇଥର, କଟକ ସଦର, ଟାଙ୍ଗୀ-ଚୌଦ୍ବାର ହାତକୁ ଯାଇ ସାରିଛି। ଉପସଭାପତି ପଦ ପୂର୍ବରୁ ନରସିଂହପୁର, କଣ୍ଟାପଡା, ବଡମ୍ବା, ତିଗିରିଆ, ଆଠଗଡ଼ ହାତକୁ ଯାଇଛି। ଏଯାଏ ଏହି ଆସନ ବାଙ୍କୀ, ନିଆଳି, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ବାଙ୍କୀ-ଡ଼ମପଡା ହାତକୁ ଯାଇନି। ଫଳରେ ଏଥର ଯଦି ନିର୍ବାଚନମଣ୍ଡଳୀ କଥା ଦେଖାଯାଏ ତାହେଲେ ବାଙ୍କୀ ଖାତାକୁ ଏହି ଆସନ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ କିଶୋର ମିଶ୍ର ଯେହେତୁ ଦୁଇଥର ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲାପରିଷଦ ଉପସଭାପତି ରହି ସାରିଛନ୍ତି ତେଣୁ ସେ ମଧ୍ୟ ସଭାପତି ଦୌଡରେ ରହିଛନ୍ତି। ଅନ୍ୟପଟେ ନିଆଳିରୁ କ୍ରମାଗତ ୩ୟ ଥର ପାଇଁ ଜିଲ୍ଲାପରିଷଦ ସଭ୍ୟଭାବେ ନିର୍ବାଚିତ ହୋଇଥିବା ଦେବାଶିଷଙ୍କୁ ସଭାପତି ଆସନରେ ବସାଇବା ପାଇଁ ବିଧାୟକ ପ୍ରମୋଦ ମଲ୍ଲିକ ଅଣ୍ଟା ଭିଡିଛନ୍ତି। ଏପଟେ ଆଶିଷ, ରବୀନ୍ଦ୍ର ଓ ସୁଭଦ୍ରା ବର୍ଷ ବର୍ଷ ହେଲା ସଂଗଠନ ଦାୟିତ୍ବରେ ରହିଥିବାରୁ ଆନୁଗତ୍ୟ ଦୃଷ୍ଟିରୁ ସେମାନଙ୍କୁ ଏହି ଆସନରେ ବସାଯାଉ ବୋଲି ମଧ୍ୟ ସେମାନଙ୍କ ପାଇଁ ଲବି ଆରମ୍ଭ ହୋଇଛି।
୧୯୯୭ରେ ହୋଇଥିଲା କଟକ ଜିଲ୍ଲାପରିଷଦ ପାଇଁ ପ୍ରଥମ ନିର୍ବାଚନ। ତା’ ପରଠାରୁ ୫ଟି ଜିଲ୍ଲାପରିଷଦ ନିର୍ବାଚନ ହୋଇ ସାରିଲାଣି। ୫ ଜଣ ଜିଲ୍ଲାପରିଷଦ ସଭାପତି ଆସନରେ ବସିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା। ପ୍ରଥମ ନିର୍ବାଚନରେ କଂଗ୍ରେସ ହାତକୁ ଯାଇଥିଲା ଜିଲ୍ଲାପରିଷଦ ସଭାପତି ଆସନ। କିନ୍ତୁ ପରବର୍ତ୍ତି ୪ଟି ନିର୍ବାଚନରେ କଂଗ୍ରେସ ଆଉ ତାର ଗଡ଼ ସୁରକ୍ଷିତ ରଖି ପାରିନି କି ଆଖିଦୃଶିଆ ସଂଖ୍ୟାରେ ଜିଲ୍ଲା ପରିଷଦ ଜୋନ୍ ବି ନିଜ ଦଖଲରେ ରଖି ପାରିନି। ୨୦୦୨ରୁ ୨୦୨୨ ପର୍ଯ୍ୟନ୍ତ ଜିଲ୍ଲାପରିଷଦ ସଭାପତି ଆସନ ନିଜ ଦଖଲରେ ରଖିବାକୁ ସଫଳ ହୋଇଛି ବିଜେଡି। କଟକ ଜିଲ୍ଲା ପରିଷଦ ପ୍ରଥମ ସଭାପତିଙ୍କ ଦେହାନ୍ତ ହୋଇ ସାରିଛି। ଜିଲ୍ଲା ପରିଷଦ ସଭାପତି ହୋଇଥିବା ଉର୍ମିଳା ସେଠୀ ବିଧାୟକ ମାୟାଧର ସେଠୀଙ୍କ ପତ୍ନୀ ହୋଇଥିବା ବେଳେ, ଲକ୍ଷ୍ମୀ ବିଳାସିନୀ ବିଶ୍ବାଳ ହେଉଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ପତ୍ନୀ। ଜିଲ୍ଲା ପରିଷଦ ସଭାପତି ଥିବା ପ୍ରଶାନ୍ତ ବେହେରା ହେଉଛନ୍ତି ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରାଙ୍କ ପୁଅ। ସିଏ ଏବେ ସାଲେପୁର ବିଧାୟକ। ପୂର୍ବତନ ସଭାପତି ଦେବ ପ୍ରସାଦ ପ୍ରଧାନ ଆଉ ଆଗକୁ ବଢି ପାରି ନଥିବା ବେଳେ ବର୍ତ୍ତମାନର ସଭାପତି ଥିବା ଜ୍ୟୋତିରେଖା ନାୟକ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ବିଜୟୀ ହୋଇଛନ୍ତି। ତେବେ ଏଥର ଜିଲ୍ଲାପରିଷଦ ସଭାପତି ଆସନରେ କିଏ ବସିବ ତାହାକୁ ନେଇ ସବୁ ମହଲରେ ଏବେ ଜୋରଦାର ଚର୍ଚ୍ଚା ।