ଭଡ଼ାରେ ଆସୁଛନ୍ତି ଫଟୋଗ୍ରାଫର‌! ‘କ୍ରାଇମ ସିନ୍‌’ର ରେକର୍ଡ କିଏ କରିବ?

କଟକ: ଦୀର୍ଘ ୪୦ ବର୍ଷ ପୁରୁଣା ଓଡ଼ିଶା ପୁଲିସ ଫଟୋ ବ୍ୟୁରୋକୁ ଏକ ପ୍ରକାର ଅଚଳ କରି ଦିଆଗଲାଣି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ଯେ ପୁଲିସ ବିଭାଗରେ ଅଛି, ଏକଥା ବି ବିଭାଗ ଭୁଲି ଗଲାଣି। ରାଜ୍ୟରେ ଫଟୋ ଡାର୍କ ଆଟେଣ୍ତାଣ୍ଟଙ୍କଠାରୁ ଆରମ୍ଭ କରି ଫଟୋ ଡିଏସ୍‌ପି ଯାଏ ପ୍ରାୟ ୬୦ ପଦବି ଥିବା ବେଳେ ସ୍ଥାୟୀ କର୍ମଚାରୀ ଅଛନ୍ତି ମାତ୍ର ୨୦। କନଷ୍ଟେବଳ ଓ ଡାର୍କ ଆଟେଣ୍ତାଣ୍ଟଙ୍କ ପାଇଁ ଥିବା ୧୦ଟି ପଦବି ବିଭାଗ ଉଚ୍ଛେଦ କରି ଦେଇଛି। ଏବେ ଜିଲ୍ଲାସ୍ତରରେ ପରିସ୍ଥିତି ଏଭଳି ଉପୁଜିଲାଣି ଯେ ଭଡ଼ାରେ ଷ୍ଟୁଡିଓ ଫଟୋଗ୍ରାଫର‌୍‌ଙ୍କୁ ‘ସିନ୍‌ ଅଫ୍‌ କ୍ରାଇମ’ର ଫଟୋ ଓ ଭିଡିଓ କରିବାକୁ ଅଣାଯାଉଥିବା କୁହାଯାଉଛି। ଏମାନେ ଫରେନ୍‌ସିକ୍‌ ଆଙ୍ଗେଲ୍‌ରୁ କୌଣସି ଅପରାଧ କିମ୍ବା ଆଇନଶୃଙ୍ଖଳା ପରିସ୍ଥିତିରେ ଫଟୋ ଉଠାଇବା କେତେ ଦୂର ଗ୍ରହଣଯୋଗ୍ୟ ଏବ˚ ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ କେତେ ସହଯୋଗ କରିପାରିବ ସେ ନେଇ ସନ୍ଦେହ ସୃଷ୍ଟି ହେଉଛି।

୧୯୮୦ ପୂର୍ବରୁ ଆରମ୍ଭ ହୋଇଥିଲା ଓଡ଼ିଶା ପୁଲିସ ଫଟୋ ବ୍ୟୁରୋ। ଆଇନଶୃଙ୍ଖଳା, ପୁଲିସର ବିଭିନ୍ନ କ୍ରୀଡ଼ା ଓ ବୈଠକରେ ଏମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। କୌଣସି ଅପରାଧ ଘଟିଲେ ଡିଏଫ୍‌ଏସ୍‌ଏଲ୍‌(ଡିଷ୍ଟ୍ରିକ୍‌ ଫରେନ୍‌ସିକ ସାଇନ୍ସ ଲାବୋରେଟୋରି) ଟିମ୍‌ ସହିତ ଜଣେ ଫିଙ୍ଗର ପ୍ରିଣ୍ଟ ଏସ୍‌ଆଇ, ସାଇଣ୍ଟିଫିକ ଅଫିସର, ଲାବୋରେଟୋରି ଆସିଷ୍ଟାଣ୍ଟ, ଲାବୋରେଟୋରି ଆଟେଣ୍ତାଣ୍ଟଙ୍କ ସମେତ ପୁଲିସ ଫଟୋଗ୍ରାଫର ବି ସାଙ୍ଗରେ ଯାଇଥାଏ। ଫଟୋଗ୍ରାଫର‌୍‌ଙ୍କ ମୁଖ୍ୟ କାମ ସିନ୍‌ ଅଫ୍‌ କ୍ରାଇମ୍‌ ରେକର୍ଡ କରିବା। ଏମାନେ ଫିଙ୍ଗର ପ୍ରିଣ୍ଟ ଓ ହ୍ୟାଣ୍ତ ରାଇଟି˚ ବ୍ୟୁରୋକୁ ବି ସହଯୋଗ କରିଥାନ୍ତି। ଅପରାଧୀର ଫିଙ୍ଗର‌୍‌ ପ୍ରିଣ୍ଟ, ଫୁଟ୍‌ ପ୍ରିଣ୍ଟ, ହ୍ୟାଣ୍ତ ରାଇଟି˚ ସ˚ଗ୍ରହ କରିଥାଏ। ଖପୁରୀ କି କଙ୍କାଳ ହୋଇଥିଲେ ଏସବୁର ଫଟୋ ସ˚ଗ୍ରହ କରାଯାଏ। ଏହାର ଭିଡିଓଗ୍ରାଫ୍‌ ବି କରାଯାଏ। ଏସବୁ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ତଦନ୍ତ ପ୍ରକ୍ରିୟାରେ ପରବର୍ତ୍ତି ପର୍ଯ୍ୟାୟରେ ସହଯୋଗ କରିଥାଏ। କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅଧିନରେ କାର୍ଯ୍ୟକ୍ଷମ ହେଉଥିବା ଏହି ବିଭାଗରେ ଏବେ ଅଚଳାବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି। ୩୦ ଜିଲ୍ଲାରେ ୩୦ ଜଣ ଫଟୋ ଏଏସଆଇ ପଦବି ଥିବା ବେଳେ ଏବେ ପ୍ରାୟ ୨୫ ପଦବି ଖାଲି ପଡ଼ିଛି। ରସୁଲଗଡ଼ସ୍ଥିତ ଫରେନ୍‌ସିକ ସାଇନ୍ସ ଲାବ୍ରୋଟାରି କ୍ୟାମ୍ପରେ ଥିବା ଓଡ଼ିଶା ପୁଲିସ ଫଟୋ ବ୍ୟୁରୋର ମୁଖ୍ୟ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ। ସେ ୪ ବର୍ଷ ତଳେ ଅବସର ନେଇଥିଲେ। ହ୍ୟାଣ୍ତ ରାଇଟି˚ ବ୍ୟୁରୋର ଅତିରିକ୍ତ ଏସ୍‌ପି ଏବେ ଦାୟିତ୍ବରେ ଅଛନ୍ତି।

image source-odisha police

ଜଣେ ଡିଏସ୍‌ପିଙ୍କୁ ମିଶାଇ ୨ ଜଣ ଇନସ୍ପେକ୍ଟର, ୪ ଜଣ ଏସଆଇ, ୪ ଜଣ ଏଏସଆଇ, ୪ ଜଣ କନଷ୍ଟେବଳ, ୪ ଜଣ ଡାର୍କ ଆଟେଣ୍ତାଣ୍ଟ ମଞ୍ଜୁରି ପଦବି ରହିଛି। ନୂଆ କ୍ୟାଡର‌୍‌ ରୁଲ୍‌ ଅନୁଯାୟୀ, କନଷ୍ଟେବଳ ଓ ଡାର୍କ ଆଟେଣ୍ତାଣ୍ଟ ପଦବି ଉଚ୍ଛେଦ ହୋଇଯିବା ବେଳେ ଏବେ ଥିବା ୨ ଇନସ୍ପେକ୍ଟର ଓ ୪ ଏସଆଇଙ୍କ ମଧ୍ୟରୁ ଆସନ୍ତା ମେ ମାସରେ ୨ ଜଣ ଏସଆଇ ଅବସର ନେବାକୁ ଯାଉଛନ୍ତି। ଏଏସଆଇ ୩ ଜଣ ଅଛନ୍ତି। ଗୋଟିଏ ପଦବି ଖାଲି ପଡ଼ିଛି। ସେହିଭଳି ଡିଜି ଅଫିସରେ କୌଣସି ଫଟୋ ଗ୍ରାଫର‌୍‌ ମଞ୍ଜୁରି ପଦବି ନାହିଁ। ଏବେ ଜଣେ ଏସଆଇ ଓ କନଷ୍ଟେବଳ ଡେପୁଟେସନ୍‌ରେ ଫଟୋ ବ୍ୟୁରୋରୁ ଆସିଛନ୍ତି। ପୂର୍ବରୁ ଜଣେ ଇନସ୍ପେକ୍ଟର, ଜଣେ ଏସଆଇ ଏବ˚ ଦୁଇ ଜଣ ଏଏସ୍‌ଆଇ କାର୍ଯ୍ୟ କରୁଥିଲେ। ୬ ବର୍ଷ ହେବ କର୍ମଚାରୀଙ୍କ ସ˚ଖ୍ୟା ଖାଲି ପଡ଼ିଛି। ମାତ୍ର ଦୁଇ ଜଣ କର୍ମଚାରୀ ଡିଜି ଅଫିସର ସାମ୍ବାଦିକ ସମ୍ମିଳନୀଠାରୁ ଆରମ୍ଭ କରି ବୈଠକ, କ୍ରୀଡ଼ା, କ୍ରାଇମବ୍ରାଞ୍ଚର ବୈଠକ, ଏଚଆରପିସି, ଭିଜିଲାନ୍ସ, ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏମିତିକି ଉପାନ୍ତ ଜିଲ୍ଲାରେ ଡିଜିଙ୍କ ଗସ୍ତ, ପୁଲିସ ମୁଖ୍ୟାଳୟର କୌଣସି ବରିଷ୍ଠ ଅଧିକାରୀଙ୍କ ଗସ୍ତ, ଅଲ୍‌ ଓଡ଼ିଶା ପୁଲିସ ହକି, ଫୁଟବଲ ମ୍ୟାଚ୍‌, ରାଜ୍ୟରେ ବଡ଼ ଧରଣର ଆଇନଶୃଙ୍ଖଳା ପରିସ୍ଥିତି ଓ ପୁରୀ ରଥଯାତ୍ରାରେ ଡିଜି ଅଫିସରେ ଥିବା ଦୁଇ କର୍ମଚାରୀଙ୍କୁ ହିଁ ନିୟୋଜିତ କରାଯାଉଛି। କୋରାପୁଟ, କଳାହାଣ୍ତି ଭଳି ଉପାନ୍ତ ଜିଲ୍ଲାକୁ ବି ଡିଜି ଅଫିସରୁ ଫଟୋ ବ୍ୟୁରୋ କର୍ମଚାରୀ ଯାଉଛନ୍ତି।

ଭିଜିଲାନ୍ସରେ ଗୋଟିଏ ଡିଏସ୍‌ପି ପଦବି ଥିବା ବେଳେ ପ୍ରାୟ ୬ ବର୍ଷ ହେବ ଖାଲି ପଡ଼ିଛି। ଜଣେ ଏସଆଇଙ୍କୁ କାମଚଳା ପାଇଁ ନିଯୁକ୍ତ କରାଯାଇଛି। ସମ୍ପୃକ୍ତ ଅଫିସର ମେ ମାସରେ ଅବସର ନେବାକୁ ଯାଉଛନ୍ତି। ସ୍ପେଶାଲ ବ୍ରାଞ୍ଚରେ ଜଣେ ଇନସ୍ପେକ୍ଟର ଓ ଜଣେ କନଷ୍ଟେବଳ ଅଛନ୍ତି। ଏଠି କିନ୍ତୁ ମଞ୍ଜୁରି ପଦବି ସ˚ଖ୍ୟା ଦେଖିବାକୁ ଗଲେ ଜଣେ ଇନସ୍ପେକ୍ଟର, ଜଣେ ଏସଆଇ, ଜଣେ ଏଏସ୍‌ଆଇ ଓ ୨ ଜଣ କନଷ୍ଟେବଳ। ଏଠି ଏବେ ଇନସ୍ପେକ୍ଟର ଦାୟିତ୍ବରେ ଥିବା ଅଫିସର ପୂର୍ବରୁ ଏଏସଆଇ ଭାବେ ଯୋଗ ଦେଇଥିଲେ। ପରେ ଏସଆଇ ଓ ଏବେ ଇନସ୍ପେକ୍ଟର ପଦବିକୁ ସମ୍ପୃକ୍ତ ଅଫିସର ପଦୋନ୍ନତି ପାଇଛନ୍ତି। ବିପିଏସ୍‌ପିଏ (ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମି)ରେ ଜଣେ ଏଏସ୍‌ଆଇ ଅଛନ୍ତି। ଯେଉଁମାନେ ଏହି ସବୁ ପୁଲିସ ଏଷ୍ଟାବ୍ଲିସମେଣ୍ଟରେ ଅଛନ୍ତି, ସେମାନଙ୍କ ପଦୋନ୍ନତି ବି ଦୀର୍ଘ ଦିନ ହେବ କରାଯାଇନାହିଁ। ନିର୍ଦ୍ଦିଷ୍ଟ ଗୋଟିଏ ପଦବିରେ କର୍ମଚାରୀମାନେ ଦୀର୍ଘ ଦିନ ଅବସ୍ଥାନ କରୁଛନ୍ତି।

ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଜିଲ୍ଲାସ୍ତରରେ କୌଣସି ଅପରାଧ ଘଟିଲେ ଅନେକ କ୍ଷେତ୍ରରେ ଭଡ଼ାରେ ବାହାରୁ ଫଟୋ ଓ ଭିଡିଓ ଗ୍ରାଫର‌୍‌ ଆସୁଛନ୍ତି। ହତ୍ୟାକାଣ୍ତ ଭଳି ମାମଲାରେ ଫିଙ୍ଗର‌୍‌ ପ୍ରିଣ୍ଟ  କିମ୍ବା ଫୁଟ୍‌ ପ୍ରିଣ୍ଟର ଫଟୋ ପ୍ରୋସେସ୍‌ କରି ବାହାର କଲା ବେଳକୁ ଫଟୋ ସେକ୍‌ ହେଇଯିବା କିମ୍ବା ମେମୋରି କାର୍ଡ କରପ୍ଟ ହୋଇଯିବାର ଉଦାହରଣ ଅତୀତରେ ରହିଛି। କୋର୍ଟରେ ମାମଲାର ବିଚାର ଚାଲିଥିବା ବେଳେ ଏହି ଫଟୋର ଗୁରୁତ୍ବ କମିଯାଉଛି। ସେଭଳି କ୍ଷେତ୍ରରେ ତଦନ୍ତକାରୀ ଅଧିକାରୀ ସମସ୍ୟାରେ ପଡ଼ିଯାନ୍ତି। ଏ କ୍ଷେତ୍ରରେ ସମ୍ପୃକ୍ତ ଘରୋଇ ଫଟୋଗ୍ରାଫରଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ବି ପୁଲିସ ବିଭାଗ ଗ୍ରହଣ କରିପାରେ ନାହିଁ।

ପୂର୍ବତନ ପୁଲିସ ଡିଜି ଗୋପାଳ ନନ୍ଦଙ୍କ କହିବା ଅନୁଯାୟୀ, କୌଣସି ଅପରାଧରେ ଫଟୋ ବ୍ୟୁରୋର କର୍ମଚାରୀ ଯେଭଳି କ୍ରାଇମ ସିନ୍‌ର ରେକର୍ଡ କରି ପାରିବେ, ସେଭଳି ଢ˚ଗରେ ଫଟୋ ବାହାରୁ ଆସୁଥିବା ଫଟୋ ଗ୍ରାଫର‌୍‌ ଉଠାଇବା ସମ୍ଭବପର ନୁହେଁ। ଡିଏଫ୍‌ଏସ୍‌ଏଲ୍‌(ଡିଷ୍ଟ୍ରିକ୍‌ ଫରେନ୍‌ସିକ ସାଇନ୍ସ ଲାବ୍ରୋଟୋରି) ଟିମ୍‌ରେ ଜଣେ ପ୍ରଫେସନାଲ୍‌ ପୁଲିସ ଫଟୋଗ୍ରାଫର‌୍‌ ରହିବା ଜରୁରୀ।

ସମ୍ବନ୍ଧିତ ଖବର