କୋଭିଡ୍‌ ସଂକ୍ରମଣରେ କାହା ରିପୋର୍ଟ ଠିକ୍‌?

ଜିଲ୍ଲା ପ୍ରଶାସନର ୧୦୨କୁ ସିଏମ୍‌ସିର ୧୦୦; ସହରରେ କମୁଛି ସଂକ୍ରମଣ, ଜୁନ୍‌ର ପ୍ରଥମ ୧୫ ଦିନରେ ୨,୯୮୫ ଆକ୍ରାନ୍ତ

କଟକ: ସହରରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ। ଜୁନ୍‌ମାସ ଆରମ୍ଭରୁ ସଂକ୍ରମଣ କମୁଥିବା ବେଳେ ପ୍ରଥମ ୧୫ ଦିନରେ ସିଏମ୍‌ସି ଅଞ୍ଚଳରୁ ୨,୯୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ସିଏମ୍‌ସିରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ଶହେ ରହିଛି। ଏପ୍ରିଲ ୧୭ ତାରିଖରେ ଶେଷଥର ପାଇଁ ନିଗମରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ଥିଲା। କରୋନାର ଦ୍ବିତୀୟ ଲହରରେ ଗତ ମେ’ ମାସ ପିକ୍‌ ସମୟ ଥିବା ବେଳେ ଏହାର ପ୍ରଥମ ୧୫ ଦିନରେ ୬,୧୧୨ ଆକ୍ରାନ୍ତ ବାହାରିଥିଲେ ଓ ମୋଟ୍‌ ୩୧ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୩,୧୯୯ ଥିଲା। ଜୁନ୍‌ ୧ ତାରିଖକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ତଳକୁ ରହିଛି। ଗତମାସର ୩୧ ଦିନରୁ ୭ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୫ଶହ ଉପରକୁ ଥିବାବେଳେ ମେ’ ୧୫ ତାରିଖରେ ସର୍ବାଧିକ ଗୋଟିଏ ଦିନରେ ୬୮୦ ଆକ୍ରାନ୍ତ ବାହାରିଥିଲେ।

ଆଜି ସିଏମ୍‌ସି ଅଞ୍ଚଳରେ ୧୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ‌ସେମାନଙ୍କ ମଧ୍ୟରୁ ସରକାରୀ କ୍ବାରାଣ୍ଟିନ୍‌ରୁ ୧୪, ହୋମ୍‌ ଆଇସୋଲେସନ୍‌ରୁ ୬୧ ଓ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୨୫ଜଣ ଅଛନ୍ତି। ସିଡିଏ ସେକ୍ଟର-୯ରେ ଆଜି ସର୍ବାଧିକ ସଂଖ୍ୟକ ସଂକ୍ରମିତ ବାହାରିଛନ୍ତି। ଉକ୍ତ ଅଞ୍ଚଳରୁ ହୋମ୍‌ କ୍ବାରାଣ୍ଟିନ୍‌ରୁ ୬ ଓ ‌ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୩ଜଣଙ୍କୁ ମିଶାଇ ମୋଟ ୯ ଆକ୍ରାନ୍ତ ଅଛନ୍ତି। ମହାନଗର ନିଗମରେ ଆଜି ସୁଦ୍ଧା ମୋଟ ୩୬,୪୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୪,୪୨୦ଜଣ ସୁସ୍ଥ ହୋଇଥିବାବେଳେ ୧୯ଶହ ଜଣଙ୍କ ଚିକିତ୍ସା ଚାଲିଛି ଓ ୯୧ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବା ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଜିଲ୍ଲା ପ୍ରଶାସନର ୧୦୨କୁ ସିଏମ୍‌ସିର ୧୦୦

ସାଧାରଣ ଲୋକଟି କାହାକୁ ବିଶ୍ବାସ କରିବ? କାହା ତଥ୍ୟକୁ ଠିକ୍‌ ବୋଲି ଗ୍ରହଣ କରିବ? ଗୋଟିଏ ଦିନରେ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ (ସିଏମ୍‌ସି) ଦେଉଥିବା କରୋନା ସଂକ୍ରମଣ ସଂଖ୍ୟାରେ ତାଳମେଳ ରହୁନି।

ସହରର କୋଭିଡ୍ ପରିଚାଳନା ଦାୟିତ୍ବରେ ଥିବା ସିଏମ୍‌ସି କର୍ତ୍ତୃପକ୍ଷ ଟ୍ବିଟ୍ କରି ଆଜି, ଜୁନ୍‌ ୧୫ ତାରିଖ ମଙ୍ଗଳବାର କଟକ ସହରରେ ସଂକ୍ରମଣ ସଂଖ୍ୟା‌ ୧୦୦ ‌ବୋଲି କହିଥିବା ‌ବେଳେ ଜିଲ୍ଲା ପ୍ରଶାସନ ଟ୍ବିଟ୍ କରି ଏହା ୧୦୨ ବୋଲି ଦର୍ଶାଇଛି। ଏହାକୁ‌ ନେଇ ସାଧାରଣରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। କିଏ ଠିକ୍; ସିଏମ୍‌ସି ନା’ ଜିଲ୍ଲା ପ୍ରଶାସନ ବୋଲି ଲୋକେ ସନ୍ଦେହରେ ପଡ଼ିଯାଇଛନ୍ତି।

ସମ୍ବନ୍ଧିତ ଖବର