ଟିକେଟ୍‌କୁ ନେଇ ପ୍ରତାପ-ପ୍ରଭାତ ଟଣାଓଟରା, ୩୯ ନମ୍ବର ୱାର୍ଡ ବିଜେଡି ପ୍ରାର୍ଥୀ ଓହରିବେ!

ବିଜେଡି କାହାକୁ ଦେବ ସମର୍ଥନ? ଶ୍ରୀରାମ ପାଣ୍ଡେ ମେୟର୍‌, କର୍ପୋରେଟର୍‌ ପାଇଁ ସ୍ବାଧୀନ ପ୍ରାର୍ଥୀ; ପତ୍ନୀ ବିଜେପିର କର୍ପୋରେଟର୍‌ ପ୍ରାର୍ଥୀ

କଟକ: କଟକ ମହାନଗର ନିଗମର ୩୯ ନମ୍ବର ୱାର୍ଡକୁ ନେଇ ଏବେ ରୋଚକ ସ୍ଥିତି ସୃଷ୍ଟି ହୋଇଛି। ୱାର୍ଡରୁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ଲୋକନାଥ ଲେଙ୍କାଙ୍କୁ କୁଆଡେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଆସିଛି। ଶ୍ରୀ ଲେଙ୍କା ନିର୍ବାଚନରୁ ଓହରିବେ ଏବଂ ସେଠାରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ଦଳ ସମର୍ଥନ ଦେବ। ଏଭଳି ଘଟଣା ଯେତିକି ରୋଚକ, ତା’ ଠାରୁ ଅଧିକ ରୋଚକ ହେଉଛି ଟିକେଟ ବଣ୍ଟନକୁ ନେଇ ମନ୍ତ୍ରୀ ପ୍ରତାପ ଜେନା ଓ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କ ମଧ୍ୟରେ ଶୀତଳଯୁଦ୍ଧ ଓ ଟଣାଓଟରା। ମନ୍ତ୍ରୀ ପ୍ରତାପ ଜେନା ସେହି ୱାର୍ଡରୁ ଲୋକନାଥ ଲେଙ୍କାଙ୍କୁ ଟିକେଟ୍ ଦେବା ସପକ୍ଷରେ ଥିଲେ। କିନ୍ତୁ ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀରେ ଯାଉଥିବା ଏହି ୱାର୍ଡରେ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ଶ୍ରୀ ଲେଙ୍କାଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ନଥିଲେ। କିନ୍ତୁ ଟଣାଓଟରାରେ ପ୍ରତାପଙ୍କ ପ୍ରଭାବ ରହିଲା ଏବଂ ଲୋକନାଥଙ୍କୁ ଦଳୀୟ ଟିକେଟ୍ ମିଳିଲା। କିନ୍ତୁ କୁହାଯାଉଛି ଯେ ଲୋକନାଥଙ୍କ ସଂପର୍କରେ ଖବର ପହଞ୍ଚିଲା ଦଳର ଉଚ୍ଚକର୍ତ୍ତୃପକ୍ଷଙ୍କ ନିକଟରେ। ତାଙ୍କ ବିରୋଧରେ ରହିଥିବା ଅପରାଧୀକ ମାମଲା ଦଳକୁ ଅଡୁଆରେ ପକାଇବ ବୋଲି କୁହାଗଲା। ଏଭଳି ସ୍ଥିତିରେ ଦଳ ଅଧିକ ବିବାଦୀୟ ନ ହେବାକୁ ଲୋକନାଥଙ୍କୁ ନିର୍ବାଚନରୁ ଓହରି ଯିବା ପାଇଁ ପରାମର୍ଶ ଦିଆଯାଇଛି।

କିନ୍ତୁ ଦଳ ସେଠି କେଉଁ ସ୍ବାଧୀନ ପ୍ରାର୍ଥୀଙ୍କୁ ଟିକେଟ ଦେବ, ତାହାକୁ ନେଇ ବି ରୋଚକ ସ୍ଥିତି ସୃଷ୍ଟି ହୋଇଛି। ବିଜେଡି ଟିକେଟ ଆଶାୟୀ ଥିବା ପୂର୍ବତନ କର୍ପୋରେଟର ଶ୍ରୀରାମ ‌ପାଣ୍ଡେ ସେହି ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଶ୍ରୀରାମ ପାଣ୍ଡେ ସ୍ବାଧୀନ ପ୍ରାର୍ଥୀ ଭାବେ ମେୟର ପାଇଁ ବି ନାମାଙ୍କନ ଦାଖଲ କରିଛନ୍ତି। ଶ୍ରୀରାମ ପାଣ୍ଡେଙ୍କ ପତ୍ନୀ ପଡୋଶୀ ୱାର୍ଡରେ ବିଜେପି ପ୍ରାର୍ଥୀ ଭାବେ କର୍ପୋରେଟର ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏଭଳି ସ୍ଥିତିରେ ବିଜେଡି ଶ୍ରୀରାମ ପାଣ୍ଡେଙ୍କୁ ସମର୍ଥନ ଦେବ କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଅନ୍ୟପଟେ ଏହି ୱାର୍ଡରୁ ଦଳ ଆଉ କେଉଁ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେବ, ତାହା ଏବେ ବିବାଦର ପ୍ରସଙ୍ଗ ହୋଇଛି। ଆଜି ଏହି ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଥିବା ବେଳେ ଲୋକନାଥ ଲେଙ୍କା କିନ୍ତୁ ତାଙ୍କ ଟିକେଟ୍ ବା ପ୍ରାର୍ଥିପତ୍ର କଟିବା ଖବରକୁ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ବଦନାମ୍ କରିବା ପାଇଁ ତାଙ୍କ ବିରୋଧୀମାନେ ଏବେ ଏଭଳି ଅପପ୍ରଚାର କରୁଛନ୍ତି। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ। ପରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ରହିଛି। ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ବେଳେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଲୋକନାଥ କହିଛନ୍ତି।

ସମ୍ବନ୍ଧିତ ଖବର