କଟକ: ଏଥର କୁଆଡ଼େ ଢଳିବେ ଅଣଓଡ଼ିଆ ଭୋଟର?

୧୩, ୧୮, ୨୦, ୨୧ ନମ୍ବର ୱାର୍ଡରେ ପ୍ରଭାବ ଦେଖାଇବେ ମାରୱାଡ଼ି, ବଙ୍ଗାଳି ସଂପ୍ରଦାୟ

କଟକ: କଟକ ମହାନଗରରେ ଅଛନ୍ତି ପାଖାପାଖି ୧ ଲକ୍ଷ ଅଣଓଡ଼ିଆ ଭୋଟର। ସେମାନଙ୍କ ମଧ୍ୟରେ ମାରୱାଡି, ବଙ୍ଗାଳି, ତେଲୁଗୁ, ବିହାରୀ ଓ ଗୁଜୁରାଟୀ ଭୋଟର ବିଭିନ୍ନ ୱାର୍ଡରେ ଫଳାଫଳକୁ ପ୍ରଭାବିତ କରିବାର କ୍ଷମତା ରଖିଛନ୍ତି। ପୂର୍ବରୁ ଅନେକ ନିର୍ବାଚନକୁ ମଧ୍ୟ ଏହି ଭୋଟରମାନେ ପ୍ରଭାବିତ କରି ଆସିଛନ୍ତି। ଦୀର୍ଘ ଦିନ ଧରି ଏହି ସଂପ୍ରଦାୟ କଟକରେ ବିଜେପି ସପକ୍ଷରେ ରହି ଆସିଥିଲେ। ବିଶେଷକରି ପୂର୍ବତନ ମନ୍ତ୍ରୀ ସମୀର ଦେ ତାଙ୍କର କଟକ ଭାଇଚାରା ରଣକୌଶଳରେ ଏହି ଭୋଟରମାନଙ୍କ ମଧ୍ୟରେ ନିଜର ପ୍ରଭାବ ରଖି ପାରିଥିଲେ। ହାଟ୍ରିକ ବିଜୟ ହାସଲ କରିଥିବା ସମୀର ଦେଙ୍କର ଭୋଟ ବ୍ୟାଙ୍କ ଭାବେ ଏହି ଅଣଓଡ଼ିଆ ଭୋଟର ପରିଗଣିତ ହେଉଥିଲେ। କିନ୍ତୁ ୨୦୦୯ରେ ସମୀର ଦେଙ୍କ ପରାଜୟ ଏବଂ ବିଜେଡିରେ ଦେବାଶିଷ ସାମନ୍ତରାୟଙ୍କର କଟକରେ ଅଭ୍ୟୁଦୟ ଘଟଣା ପରେ ଏହି ଅଣଓଡ଼ିଆ ଭୋଟ ଭାଗ ହେବାରେ ଲାଗିଥିଲା। ଗୋଟିଏ ଭାଗ ସମୀର ଦେଙ୍କ ସହିତ ରହିଥିବା ବେଳେ ଗୋଟିଏ ଭାଗ ଦେବାଶିଷଙ୍କ ସପକ୍ଷରେ ଯାଇଥିଲା। ଏଭଳି ସ୍ଥିତି ୨୦୧୯ ପର୍ଯ୍ୟନ୍ତ ଲାଗି ରହିଥିବା ବେଳେ ୨୦୧୯ରେ କଂଗ୍ରେସ ବିଧାୟକ ଭାବେ ଇଂଜିନିୟର ମହମ୍ମଦ ମୋକିମଙ୍କ ବିଜୟ ପୁଣି ଏକ ନୂଆ ସମୀକରଣକୁ ଜନ୍ମ ଦେଇଛି। ଯଦିଓ ଅଣଓଡ଼ିଆ ‌ଭୋଟ ଉପରେ ଏବେ ବି ସମୀର ଓ ଦେବାଶିଷଙ୍କ ପ୍ରଭାବ ରହିଛି କିନ୍ତୁ ମୋକିମ୍ ଏଥିରେ ଗଳାବାଟ ତିଆରି କରି ପାରିଛନ୍ତି। ୨୧ ନମ୍ବର ୱାର୍ଡରେ କର୍ପୋରେଟର ଉପନିର୍ବାଚନ ଫଳାଫଳ ଥିଲା ତାର ପ୍ରମାଣ।

ଏହି ୱାର୍ଡରେ ଅଣଓଡ଼ିଆ ଭୋଟ ଅଧିକ ରହି ଥିବା ବେଳେ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜିତିବା ଘଟଣା ଆଭାସ ଦେଇଥିଲା ଯେ ‌ସଂଖ୍ୟାଧିକ ଅଣଓଡ଼ିଆ ଭୋଟ କଂଗ୍ରେସ ପ୍ରାର୍ଥୀଙ୍କୁ ଯାଇଛି। ୨୦୨୨ରେ କଟକ ମହାନଗର ନିଗମ ନିର୍ବାଚନ ହେଉଥିବା ବେଳେ ଏହି ଭୋଟର ମାନେ କଟକର ୭ରୁ ଅଧିକ ୱାର୍ଡର ଫଳାଫଳକୁ ପ୍ରଭାବିତ କରିବାର କ୍ଷମତା ରଖିଛନ୍ତି। ଏହି ନିର୍ବାଚନର ବିଶେଷତା ହେଉଛି ଯେ ଏ ପର୍ଯ୍ୟନ୍ତ ବିଜେପି ପ୍ରଚାର ଦୃଷ୍ଟିରୁ ଦୁର୍ବଳ ସ୍ଥିତିରେ ରହିଛି। ସମୀର ଦେ ଆଗକୁ ବାହାରିବା ସ୍ଥିତିରେ ନାହାନ୍ତି। ଫଳରେ ବିଜେଡି ବିରୋଧରେ ଥିବା ଅଣଓଡ଼ିଆ ଭୋଟ କଂଗ୍ରେସ ଆଡକୁ ଯିବ ନା ବିଜେପି ସହିତ ରହିବ, ତାହା ଏବେ ଏକ ବିରାଟ ପ୍ରଶ୍ନ ଭାବେ ଉଭା ହୋଇଛି। ବରିଷ୍ଠ ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନାରିଆ, ଶଙ୍କର ଗୁପ୍ତାଙ୍କ ଭଳି ବ୍ୟକ୍ତିବିଶେଷ ମାରୱାଡି ଭୋଟ ଉପରେ ବିଶେଷ ପ୍ରଭାବ ରଖିଛନ୍ତି। ୧୩, ୧୮, ୨୦, ୨୧ ନମ୍ବର ୱାର୍ଡର ଫଳାଫଳ ସଂଖ୍ୟାଧିକ ଅଣଓଡିଆ ଯେଉଁ ପଟକୁ ଢଳିବେ, ତାଙ୍କ ସପକ୍ଷରେ ଯିବ। ହାତରେ ଆଉ ୧୧ ଦିନ ରହିଛି। ଏ ଭୋଟ ନିଷ୍ପତ୍ତି ହୋଇ ସାରିଛି ବୋଲି ଗୋଟିଏ ପଟେ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ଶେଷ ମୁହୂର୍ତ୍ତରେ ସମୀକରଣ ବଦଳିବା ଆଶାରେ ବିଭିନ୍ନ ଗୋ‌ଷ୍ଠୀ ଗୋଟି ଚାଳନା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର