ସ୍ୱାମୀକୁ ପିଟିପିଟି ମାରିଦେଲା ସ୍ତ୍ରୀ

ବାଙ୍କୀ/ବାରଙ୍ଗ : ହାତଗୋଡ଼ ବାନ୍ଧି, ପାଟିରେ ଗାମୁଛା ପୂରାଇ, ଠେଙ୍ଗାରେ ପିଟିପିଟି ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ। ସ୍ୱାମୀର ଆଖିକୁ ଠେଙ୍ଗାରେ ଛେଚି ବିକୃତ କରିଛି। ଏଭଳି ଏକ ଅବିଶ୍ୱସନୀୟ, ନୃଶଂସ, ନରକୀୟ ଆଉ ଲୋମଟାଙ୍କୁରା ଘଟଣା ଘଟିଛି ବାଙ୍କୀ ଥାନା କଇଁମୁଣ୍ଡି ଫାଣ୍ଡି ଅନ୍ତର୍ଗତ ରାମଚଣ୍ଡୀ ଗ୍ରାମରେ। ପୁଲିସ ଅଭିଯୁକ୍ତ ମହିଳାକୁ ଗିରଫ କରିି କୋର୍ଟ ଚାଲାଣ କରିଛି।

ଗିରଫ ହୋଇଥିବା ମହିଳା ହେଉଛନ୍ତି କୁସୁମ ସାହୁ (୩୫)। କୁସୁମ ୧୨ ବର୍ଷ ପୂର୍ବେ ବାଙ୍କୀ ଥାନା ଅନ୍ତର୍ଗତ ରାମଚଣ୍ଡୀ ଗ୍ରାମର ଗଜେନ୍ଦ୍ର ସାହୁ (୪୨)ଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ଅଛନ୍ତି। ମଜୁରୀ ଲାଗି ଏବଂ ଚାଷବାସ କରି ପରିବାର ଚଳାଉଥିଲେ ଗଜେନ୍ଦ୍ର। କିନ୍ତୁ ଗଜେନ୍ଦ୍ର ଅତ୍ୟଧିକ ମଦ ପିଉଥିବା ଯୋଗୁ ଅଧିକାଂଶ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗୁଥିଲା। ଅନ୍ୟପଟେ କୁସୁମଙ୍କ ପରକୀୟା ପ୍ରୀତିକୁ ନେଇ ମଧ୍ୟ ଦୁଇ ଜଣଙ୍କ ଭିତରେ ପାଟିତୁଣ୍ଡ ହେଉଥିଲା। ଗତକାଲି ଅପରାହ୍ନରେ ଗଜେନ୍ଦ୍ର କୁୁସୁମର ପରକୀୟା ପ୍ରୀତି ଅଭିଯୋଗକୁ ନେଇ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ କୁସୁମ ଉତ୍ତ୍ୟକ୍ତ ହେବା ସହ ସ୍ୱାମୀ ଗଜେନ୍ଦ୍ରର ହାତ,ଗୋଡକୁ ତାର ଓ ରସିରେ ବାନ୍ଧି ଦେଇଥିଲା। ମୁହଁରେ ତଉଲିଆ ବାନ୍ଧି ଦେଇ ଘର ଭିତରେ ଗୋଟିଏ ଠେଙ୍ଗାରେ ନିସ୍ତୁକ ପିଟିଥିଲା।

ସେହି ସମୟରେ ଘର ଭିତରେ ବଡ ପୁଅ ସୁମନ(୧୧) ଓ ସାନ ପୁଅ ଚନ୍ଦନ(୬) ଥିଲେ। ବଡପୁଅ ସୁମନ ଏଭଳି ନକରିବାକୁ ମା’କୁ ବାରଣ କରିଥିଲା। କିନ୍ତୁ ସୁମନକୁ ମଧ୍ୟ କୁସୁମ ଆକ୍ରମଣ କରିଥିଲା। ବନ୍ଧା ହୋଇ ପଡିଥିବା ଗଜେନ୍ଦ୍ରକୁ ଜୀବନ ଯିବା ପର୍ଯ୍ୟନ୍ତ କୁସୁମ ପିଟି ଚାଲିଥିଲା। ଗଜେନ୍ଦ୍ର ଆଖିକୁ ଠେଙ୍ଗାରେ ଛେଚି ରକ୍ତାକ୍ତ କରିଦେଇଥିଲା। ଦୁଇ ପୁଅ ଆତଙ୍କିତ ହୋଇ ଘର ଭିତରେ ଚୁପ୍‌ଚାପ ବସି ରହିଥିଲେ। ସନ୍ଧ୍ୟାରେ ଗାଁର କିଛି ଲୋକ ଘଟଣା ସଂପର୍କରେ କଇଁମୁଣ୍ଡି ଫାଣ୍ଡିକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ରାମଚଣ୍ଡୀ ଗ୍ରାମକୁ ଆସିଥିବାବେଳେ ଗଜେନ୍ଦ୍ରଙ୍କ ମୃତଦେହ ଘର ସାମନାରେ ପଡିଥିଲା। ପୁଲିସ କୁସୁମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର