କଟକ: କଟକ ସଦର ତହସିଲ କାର୍ଯ୍ୟାଳୟର କାର୍ଯ୍ୟଶୈଳୀକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଣେ ବ୍ୟକ୍ତି ଏକ ମାମଲାର ନଥିପତ୍ର ଓ ନି‌ର୍ଦ୍ଦେଶର ସାର୍ଟିଫାଏଡ୍‌ କପି ପାଇଁ ତହସିଲ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ୨୦୨୦ ମାର୍ଚ୍ଚ ୧୯ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କୁ ଦରଖାସ୍ତ ମୁତାବକ ସାର୍ଟିଫାଏଡ‌୍ କପି ପ୍ରଦାନ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ ପ୍ରାର୍ଥନା କରିଥିଲେ। ମାମଲା ବିଚାରାଧୀନ ଥିବା ବେଳେ ଆବେଦନକାରୀଙ୍କୁ ସାର୍ଟିଫାଏଡ୍‌ କପି ପ୍ରଦାନ କରାଯାଇ ନଥିଲା। ୨୦୨୦ ମେ’ ୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏକବର୍ଷ ପରେ ହାଇକୋର୍ଟରେ ଆଜି ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରସଂଗରେ କୌଣସି ତଥ୍ୟ ପ୍ରଦାନ କରାଯାଇ ନ ଥିବା ସ୍ପଷ୍ଟ ହୋଇଥିଲା। ସାର୍ଟିଫାଏଡ୍‌ କପି ପ୍ରଦାନ କରିବା ପ୍ରସଙ୍ଗରେ କଟକ ତହସିଲ କାର୍ଯ୍ୟାଳୟର କାର୍ଯ୍ୟଶୈଳୀ ବିଚିତ୍ର ବୋଲି ହାଇକୋର୍ଟ କହିଛନ୍ତି। କଟକ ତହସିଲଦାରଙ୍କ କାର୍ଯ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ହାଇକୋର୍ଟ କହିବା ସହିତ ଆବେଦନକାରୀଙ୍କୁ ତିନି ଦିନ ଭିତରେ ସାର୍ଟିଫାଏଡ୍‌ କପି ପ୍ରଦାନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ୍‌.ସେଠୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।