ବିନା ଫାର୍ମାସିଷ୍ଟରେ ଚାଲିଛି ଆଚାର୍ଯ୍ୟ ହରିହର ଓଟି; ଓଟି ପାଇଁ ଜଣେ ଫାର୍ମାସିଷ୍ଟ, ସେ ବି ଛୁଟିରେ

ଏପଟେ ଛଟେଇ କରିଦେଲେ ୨ଜଣ ଓଟି ଫାର୍ମାସିଷ୍ଟଙ୍କୁ

କଟକ: ବିନା ଫାର୍ମାସିଷ୍ଟରେ ଚାଲିଛି କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓଟି। ୫/୬ଦିନ ହେଲା ଓଟି ପାଇଁ ନିଯୁକ୍ତ ଥିବା ମାତ୍ର ଜଣେ ଫାର୍ମାସିଷ୍ଟ ବ୍ୟକ୍ତିଗତ କାରଣରୁ ଛୁଟିରେ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଚର୍ଚ୍ଚା ହେଉଛି। ଗତମାସରେ କର୍କଟ କେନ୍ଦ୍ରର ୧୫ଜଣ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯାଇଛି। ଏବେ ଏମିତି ସ୍ଥିତି ଯେ, ଚାକିରିରୁ ଛଟେଇ କରାଯାଇଥିବା କର୍ମଚାରୀଙ୍କ ବଦଳରେ କୋଭିଡ୍‌ ଦାୟିତ୍ବରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ନେଇ କାମ ଚଳାଇ ନେଉଥିଲେ କର୍ତ୍ତୃପକ୍ଷ। ହେଲେ ଗତକାଲି ଚଳିତମାସ ଶେଷ ସୁଦ୍ଧା କୋଭିଡ୍‌ ପାଇଁ ନିଯୁକ୍ତ ପାଇଥିବା ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର ପାଇଁ ସରକାରୀ ନିର୍ଦ୍ଦେଶ ଆସିବା ପରେ ସେହି ଏବେ କର୍କଟ କେନ୍ଦ୍ରରେ ସ୍ଥିତି ସଙ୍ଗିନ ହେବା ଆଶଙ୍କା କରାଯାଉଛି।

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପୂର୍ବରୁ ୩ଜଣ ଓଟି ଫାର୍ମାସିଷ୍ଟ ଥିଲେ। ହେଲେ ଛଟେଇ ପରେ ୨ଜଣ ଚାକିରି ହରାଇଛନ୍ତି। ଏବେ ମାତ୍ର ଜଣଙ୍କୁ ନେଇ ଚାଲିଛି ଅସ୍ତ୍ରୋପଚାର। ଓଟି‌ରେ ଫାର୍ମାସିଷ୍ଟଙ୍କ ଏକ ଗୁରୁଦାୟିତ୍ବ ରହିଥାଏ। ହେଲେ ଏବେ ଓଟି ପାଇଁ ଫାର୍ମାସିଷ୍ଟ ଅଭାବ ଆଗକୁ ସଙ୍କଟଜନକ ସ୍ଥିତି ଉପୁଜାଇପାରେ ବୋଲି ଆଶଙ୍କା କରାଯାଉଛି। କର୍କଟ କେନ୍ଦ୍ରରେ କେବଳ ଫାର୍ମସିଷ୍ଟ ନୁହଁନ୍ତି ଆସିଷ୍ଟାଣ୍ଟ ପ୍ରଫେସର ପଦ ସହ ବହୁ ଗୁରୁତ୍ବପୂର୍ଣ୍ଣ ଖାଲି ପଡିଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ। ବାରମ୍ବାର ଖାଲିଥିବା ପଦ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଉଥିଲେ ବି ତା ପୂରଣ ହୋଇପାରୁନି। ଅନ୍ୟପଟେ ଫାର୍ମାସିଷ୍ଟଙ୍କ ଅନୁପସ୍ଥିତିରେ ଏସ୍‌ଆରଙ୍କୁ ଏହି ଦାୟିତ୍ବ ଦିଆଯାଇଥିବା ଜଣାପଡିଛି। କିନ୍ତୁ ଏହା କେ‌ତେ ଦୂର ଠିକ୍‌ ତାକୁ ନେଇ ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର