୫-ଟି ସ୍କୁଲ ରୂପାନ୍ତରଣ ଉଦ୍‌ଘାଟନ ୬ରେ, ଅଧାପନ୍ତରିଆ କାମରେ ଉଦ୍‌ଘାଟନ ଯୋଜନା

କଟକ: କେଉଁ ସ୍କୁଲରେ ନାମଫଳକ ଲାଗିନାହିଁ ତ ଆଉ କେଉଁଠି କ୍ରୀଡ଼ାର ଉନ୍ନତିକରଣ କାମ ଆରମ୍ଭ ବି ହୋଇନାହିଁ। ଆଉ କେଉଁଠି ସ୍କୁଲ ସମ୍ମୁଖ ପଡ଼ିଆର ସମତୁଲ ଓ ସୌନ୍ଦର୍ଯ୍ୟକରଣ କାମ ଅଧାପନ୍ତରିଆ ହୋଇ ପଡ଼ିଛି। ଅନେକ ସ୍କୁଲରେ ପାର୍କ ବା ଗାର୍ଡେନ ନାହିଁ। ଏଭଳି ସ୍ଥିତିରେ କଟକ ମହାନଗର ଅନ୍ତର୍ଗତ ୧୧ଟି ବିଦ୍ୟାଳୟକୁ ମିଶାଇ କଟକ ଜିଲ୍ଲାର ମୋଟ ୧୩୫ଟି ବିଦ୍ୟାଳୟର ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମର ଉଦ୍‌ଘାଟନ ପାଇଁ ଆସନ୍ତା ୬ତାରିଖ ଚୂଡାନ୍ତ ହୋଇଛି। ସୟଦ୍‌ ସେମିନାରି ସ୍କୁଲରେ ସୋମବାର ଅପରାହ୍‌ଣରେ ଉଦ୍‌ଘାଟନ ଉତ୍ସବ ଆୟୋଜିତ ହେବ। ଏଥି ପାଇଁ ସିଏମ୍‌ସି, ଆର୍‌ ଆଣ୍ଡ୍ ବି ଯନ୍ତ୍ରୀ, ଅଧିକାରୀ ସ୍କୁଲ ପରିଦର୍ଶନ କରିସାରିଛନ୍ତି। କିନ୍ତୁ ଅଧିକାଂଶ ସ୍କୁଲରେ ଏଯାଏ ୫-ଟି ଯୋଜନାରେ ହେବାକୁ ଥିବା ସମସ୍ତ କାମ ସଂପୂର୍ଣ୍ଣ ହୋଇ ନଥିବା ଦେଖିବାକୁ ମିଳିଛି। ଦ୍ବିତୀୟ ପର୍ଯ୍ୟାୟରେ କଟକ ମହାନଗର ଅନ୍ତର୍ଗତ ତୁଳସୀପୁର ହାଇସ୍କୁଲ, ରଘୁନାଥ ଜିଉ ହାଇସ୍କୁଲ, ସନତନଳିନୀ ହାଇସ୍କୁଲ, ବକ୍‌ଲୀ ଗାର୍ଲସ ହାଇସ୍କୁଲ, ପ୍ୟାରୀମୋହନ ଏକାଡେମି, ସୟଦ ସେମିନାରୀ ହାଇସ୍କୁଲ, ଛତ୍ରବଜାର ହାଇସ୍କୁଲ, ମୁନିସପାଲ ସରକାରୀ ହାଇସ୍କୁଲ(ଯୋବ୍ରା), ମା’ ତାରିଣୀ ବିଦ୍ୟାପୀଠ(ଗୋପାଳପୁର), ଓଡ଼ିଶା ସରକାରୀ ପ୍ରେସ୍ ହାଇସ୍କୁଲ(ନୂଆପଡ଼ା), ‌ସିଆର୍‌ଆର୍‌ଆଇ ହାଇସ୍କୁଲ(ବିଦ୍ୟାଧରପୁର) ସମେତ ଜିଲ୍ଲାର ୧୩୫ଟି ହାଇସ୍କୁଲ ଆସନ୍ତା ୬ତାରିଖ ଅପରାହଣରେ ୫-ଟି ରୂପାନ୍ତରଣରେ ସ୍ମାର୍ଟ ସ୍କୁଲ ଘୋଷିତ ହେବ। ସୟଦ ‌ସେମିନାରୀ ସ୍କୁଲ ପରିସରରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନଲାଇନ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ସ୍କୁଲଗୁଡ଼ିକୁ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଉତ୍ସବସ୍ଥଳ ସେମିନାରୀ ହାଇସ୍କୁଲରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବ‌େଳେ ଅଧିକାଂଶ ବିଦ୍ୟାଳୟରେ ୫-ଟି ରୂପାନ୍ତରଣ ଯୋଜନାରେ ହେବାକୁ ଥିବା ସମସ୍ତ କାର୍ଯ୍ୟ ସରିନଥିବା ଜଣାପଡ଼ିଛି। ଯୋବ୍ରା ମ୍ୟୁନିସପାଲ ହାଇସ୍କୁଲରେ ପାଥ୍‌ୱେ ଅଳ୍ପ କିଛି କାମ ବାକି ରହିଥିବା ବ‌େଳେ ସମ୍ମୁଖ ପଡ଼ିଆ ଆଦୌ ସମତଳ ହୋଇନାହିଁ କିମ୍ବା ପାର୍କ ନିର୍ମାଣ ହୋଇନାହିଁ।

ଯୋବ୍ରା ହାଇସ୍କୁଲ ପଛ ପାର୍ଶ୍ବ ପଡ଼ିଆ ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ରହିଛି। ସେହିପରି ଛତ୍ରବଜାର ହାଇସ୍କୁଲରେ ମୁଖ୍ୟଫାଟକ ସଂଲଗ୍ନ ପାଚେରୀ ବିପଦସଂକୁଳ ଅବସ୍ଥାରେ ରହିଥିବା ବ‌େଳେ ବିଦ୍ୟାଳୟରେ ନାମଫଳକ ନାହିଁ। ଜଣେ ପ୍ରଧାନଶିକ୍ଷକଙ୍କ କହିବା ଅନୁସାରେ, ୫-ଟି ରୂପାନ୍ତରଣ ପାଇଁ ବିଦ୍ୟାଳୟକୁ ମୋଟ ୪୫ଲକ୍ଷ ଟଙ୍କା ମିଳିଥିବା ବେଳେ ଏଥିରେ ୧୯ ଲକ୍ଷ ଟଙ୍କା ସିଭିଲ ୱାର୍କ ପାଇଁ ରହିଛି। ଗ୍ରାମାଞ୍ଚଳରେ ଏହି କାର୍ଯ୍ୟ ବିଡିଓ ଓ ସହରାଞ୍ଚଳରେ ଏହି କାର୍ଯ୍ୟ ସିଏମ୍‌ସି ‌ଡେପୁଟି କମିସନରଙ୍କ ଜରିଆରେ ଖର୍ଚ ହେବାକୁ ଅଛି। ଏଥିରେ ୨ଟି ସ୍ମାର୍ଟ କ୍ଲାସ୍‌ ରୁମ୍ ପାଇଁ ୪.୫ଲକ୍ଷ, ସାଟିଟେସନ ଓ ଟଏଲଟ୍ ପାଇଁ ୩.୫ଲକ୍ଷ, ଗାର୍ଡେନ/ପାର୍କ ପାଇଁ ୨ଲକ୍ଷ, ୱାଲ୍ ପେଣ୍ଟିଂ ପାଇଁ ୨ଲକ୍ଷ, ମରାମତି ପାଇଁ ୨ଲକ୍ଷ ଟଙ୍କା ଏହି ପରି ୧୯ଲକ୍ଷ ଟଙ୍କା ଖର୍ଚ ହେବାକୁ ଅଛି। କିନ୍ତୁ ଏହି କାମ ନା ଠିକ୍‌ରେ ହେଉଛି ନା ଠିକ୍ ସମୟରେ ସରୁଛି ବୋଲି ସଂପୃକ୍ତ ପ୍ରଧାନଶିକ୍ଷକ କହିଛନ୍ତି। କିଣିବାକୁ ଥିବା ଉପକରଣ ଟେଣ୍ଡର କରି ଦିନେ/ଦୁଇ ଦିନରେ କିଣି ହେବ। କିନ୍ତୁ ସିଭିଲ୍ କାମ ଠିକାଦାରଙ୍କ ହାତରେ ରହିଥିବାରୁ ଅଧିକାଂଶ ବିଦ୍ୟାଳୟରେ ଏହି କାମ ସରି ନଥିବା ସେ କହିଛନ୍ତି। ସେମିନାରୀ ସ୍କୁଲ ପରିଚାଳନା କମିଟି ସଭାପତି ମହମ୍ମଦ ଆସ୍‌ଫାକ୍ କହିବା ଅନୁସାରେ, ୫-ଟି ଅନ୍ତର୍ଗତ ସମସ୍ତ କାମ ସେମିନାରୀ ହାଇସ୍କୁଲରେ ସରିଯାଇଛି। କେବଳ ସମ୍ମୁଖ ଖେଳପଡ଼ିଆ ଏବେ ସମତୁଲ ଚାଲିଛି ବୋଲି ସଭାପତି ଶ୍ରୀ ଆସଫାକ୍ ସୂଚନା ‌ଦେଇଛନ୍ତି।

ସମ୍ବନ୍ଧିତ ଖବର