କଟକ: ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ଢାଞ୍ଚାରେ ପିଲା ସରକାରୀ ସ୍କୁଲରେ ବି ପାଠ ପଢ଼ିବେ। ସେମାନଙ୍କୁ ଉଚ୍ଚମାନର ଶିକ୍ଷାଦାନ ଦିଆଯିବ ଓ ପିଲା ସିବିଏସ୍‌ଇ ପିଲାଙ୍କ ସହିତ ସମତାଳ ଦେଇ ଚାଲି ପାରିବେ। ଏଭଳି ମହତ ଉଦ୍ଦେଶ୍ୟ ନେଇ ସରକାର ଆରମ୍ଭ କରିଛନ୍ତି ଆଦର୍ଶ ବିଦ୍ୟାଳୟ। ହେଲେ, କଟକ ଜିଲ୍ଲାର ୧୪ଟି ବ୍ଲକ୍‌ରେ ୧୪ଟି ଆଦର୍ଶ ବିଦ୍ୟାଳୟ ରହିଥିବା ବେଳେ କୌଣସି ଗୋଟିଏ ବି ବିଦ୍ୟାଳୟରେ ନାହାନ୍ତି ପ୍ରିନ୍‌ସିପାଲ୍‌। କାରଣ ପ୍ରିନ୍‌ସପାଲ ପଦ ପାଇଁ ଶିକ୍ଷା ବିଭାଗ ଯେଉଁସବୁ ମାପଦଣ୍ଡ ରଖିଛି ସେ ଆଧାରରେ କେହି ନିଯୁକ୍ତି ପାଇବାକୁ ଯୋଗ୍ୟ ହୋଇପାରୁ ନାହାନ୍ତି। କେବଳ ସେତିକି ନୁହେଁ, କିଛି ବିଦ୍ୟାଳୟରେ ଆବଶ୍ୟକତା ଅନୁସାରେ ଶିକ୍ଷକ ରହିଥିବା ବେଳେ ଅର୍ଦ୍ଧାଧିକ ସ୍କୁଲରେ ଆବଶ୍ୟକ ମୁତାବକ ଶିକ୍ଷକ ନଥିବା ଜଣାପଡିଛି। ଏପରିକି ୩ଟି ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢୁଥିବା ବେଳେ ୧୪ରୁ କେବଳ ୯ଟିର ନିଜସ୍ବ କୋଠା ରହିଛି। ଅନ୍ୟ ୫ଟିର ଛାତ୍ରଛାତ୍ରୀ ପାଖ ହାଇସ୍କୁଲରେ ପାଠ ପଢୁଛନ୍ତି। କଟକ ଜିଲ୍ଲାର ୧୪ଟି ବ୍ଲକ୍‌ରେ ୧୪ଟି ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ସେଥିରୁ ପ୍ରଥମ ପର୍ଯ୍ୟାୟରେ ଟାଙ୍ଗୀ, ବାଙ୍କୀ ଓ ଡମପଡା ବ୍ଲକ୍‌ରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥିଲା। ‌ଯେଉଁଠି ପ୍ରତ୍ୟେକ ବିଦ୍ୟାଳୟରେ ୮୦ଜଣ ଲେଖାଏ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ଓ ଏଥିରେ ୬ଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢୁଛନ୍ତି। ବାଙ୍କୀ‌ରେ ଆବଶ୍ୟକସଂଖ୍ୟକ ଶିକ୍ଷକ ଥିବା ବେଳେ ଡମପଡ଼ାରେ ୧୬ଜଣଙ୍କ ସ୍ଥାନରେ ୧୨ଜଣ ଅଛନ୍ତି।

Advertisment

ସେହିପରି ଟାଙ୍ଗୀ ବିଦ୍ୟାଳୟରେ ୧୬ଜଣ ଶିକ୍ଷକଙ୍କ ସ୍ଥାନରେ ୧୩ଜଣ ଅଛନ୍ତି। ଫଳରେ ୩ଟି ପଦ ଖାଲି ରହିଛି। ସେହିପରି ଡମପଡାରେ ମଧ୍ୟ ପ୍ରିନ୍‌ସପାଲ ପଦ ଖାଲି ପଡିଛି ଓ ସଂସ୍କୃତ, ସାମାଜିକ ପାଠର ଶିକ୍ଷକ ନାହାନ୍ତି ଓ କିରାଣି ମଧ୍ୟ ନଥିବା ଜଣାପଡିଛି। ସେହିପରି ବାରଙ୍ଗ, ମାହାଙ୍ଗା ଓ ନରସିଂହପୁରରେ ୨ୟ ପର୍ଯ୍ୟାୟରେ ଯେଉଁ ଆଦର୍ଶ ବିଦ୍ୟାଳୟ ‌ଖୋଲାଯାଇଥିଲା ସେଥିରେ ୬ଷ୍ଠରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢୁଛନ୍ତି। ସେଠାରେ ସ୍କୁଲର ନିଜସ୍ବ କୋଠା ରହିଛି। ବାରଙ୍ଗରେ ଆବଶ୍ୟକତା ଅନୁସାରେ ଶିକ୍ଷକ ଥିବାବେଳେ ନରସିଂହପୁରରେ ୧୪ଜଣ ରହିବା ସ୍ଥାନରେ ୮ଜଣ ଅଛନ୍ତି। ସେଥିରୁ କଳା, ହିନ୍ଦୀ ଶିକ୍ଷକ ପଦ ଖାଲି ପଡ଼ିଥିବାବେଳେ ଗଣିତ ଓ ସୋସିଆଲ୍‌ ଷ୍ଟଡିରେ ଜଣେ ଲେଖାଏ ଶିକ୍ଷକ ରହିଛନ୍ତି। ଆଠଗଡ଼, ବଡମ୍ବା ଓ କଟକ ସଦରରେ ବି ଶିକ୍ଷକ ପଦ ଖାଲି ପଡିଛି। ସେଠାରେ ନିଜସ୍ବ କୋଠା ରହିଛି। ହେଲେ, ସାଲେପୁର, ନିଶ୍ଚିନ୍ତକୋଇଲି, ନିଆଳି, ତିଗିରିଆ, କଣ୍ଟାପଡ଼ା ବ୍ଲକ୍‌ରେ ଚଳିତବର୍ଷ ଖୋଲାଯାଇଥିବାରୁ ଏହାର ବିଦ୍ୟାଳୟ ନାହିଁ। ନିକଟସ୍ଥ ହାଇସ୍କୁଲରେ ପିଲାଙ୍କ ପାଠପଢ଼ା ଚାଲିଛି। ଜିଲ୍ଲାରେ କୋଠା ରହିଥିବା ବେଳେ ଶିକ୍ଷକ ଅଭାବ ଓ ପ୍ରିନ୍ସପାଲ ନଥିବାରୁ ପିଲାଙ୍କୁ ଯେଉଁ ଢାଞ୍ଚାରେ ଶିକ୍ଷାଦାନ ଦିଆଯିବା କଥା ତାହା ଦିଆଯାଇ ପାରୁନି।