କାହା ସ୍ବାର୍ଥରେ ରେଭେନ୍‌ସାରେ ଅନ୍ତଃବିଭାଗୀୟ ଅଦଳବଦଳ? କୁଳପତିଙ୍କ ବିନା ଅନୁମତିରେ ବଦଳିଲେ ୧୪ ଅଫିସ୍‌ କର୍ମଚାରୀ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ସ୍ଥାୟୀ କୁଳପତି କିମ୍ବା କୁଳସଚିବ ନଥିବା ସମୟରେ ୧୪ଜଣ ଅଫିସ୍‌ କର୍ମଚାରୀଙ୍କୁ ବିଭିନ୍ନ ବିଭାଗ ମଧ୍ୟରେ ବଦଳି କରାଯାଇଛି। ଏହାକୁ ନେଇ ବିଶ୍ବବିଦ୍ୟାଳୟର କର୍ମଚାରୀମାନେ ଅଭିଯୋଗ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶ୍ବବିଦ୍ୟାଳୟର ସିଓଏଫ୍ ଏବେ କୁଳସଚିବଙ୍କ ଦାୟିତ୍ବରେ ଥିବାବେଳେ ସେ ଏହି ବଦଳି ନୋଟିସ୍ ଗତ ୧୧ ତାରିଖରେ ବାହାର କରିଛନ୍ତି। ଅନ୍ୟପଟେ କୁଳପତିଙ୍କ ଅନୁମତିକ୍ରମେ କର୍ମଚାରୀଙ୍କୁ ବଦଳି କରିବାର ନିୟମ ଥିବାବେଳେ ଅସ୍ଥାୟୀ କୁଳସଚିବ ତାଙ୍କ ବଦଳି ନୋଟି‌ସ୍‌ରେ କୁଳପତିଙ୍କ ଅନୁମତି ବି‌ଷୟରେ କିଛି ଉଲ୍ଲେଖ କରି ନାହାନ୍ତି।
କୁଳସଚିବଙ୍କ ପଦରେ ଅସ୍ଥାୟୀ ଭାବେ ରହି ବିଶ୍ବବିଦ୍ୟାଳୟ ସିଓଏଫ୍‌ଙ୍କ ପକ୍ଷରୁ ଏପରି ବଦଳି ନୋଟିସ୍‌ ବାହାରିଛି। ବଦଳି ହୋଇଥିବା ୧୪ଜଣ କର୍ମଚାରୀଙ୍କ ମଧ୍ୟରେ ସ୍ଥାୟୀ, ଠିକା ଓ ଡେଲିୱେଜ୍‌ର କାର୍ଯ୍ୟାଳୟ କର୍ମଚାରୀ ଅଛନ୍ତି। ସେମାନଙ୍କୁ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗ ମଧ୍ୟରେ ଅଦଳବଦଳ କରାଯାଇଛି।

ସ୍ଥାୟୀ କୁଳପତି କିମ୍ବା କୁଳସଚିବ ନଥିବା ବେଳେ ଏପରି ବଦଳି କରାଯିବା ଓ କୁଳପତିଙ୍କ ବିନା ଅନୁମତିରେ ଏପରି କରାଯାଇଥିବା ଅନେକ କର୍ମଚାରୀ ଅଭିଯୋଗ କରିଛନ୍ତି। ବଦଳି ନୋଟିସ୍‌ରେ କୁଳପତିଙ୍କ ନିର୍ଦ୍ଦେଶକ୍ରମେ (ବାଏ ଅର୍ଡର ଅଫ୍‌ ଭାଇସ୍‌ ଚାନସେଲର୍‌) ଲେଖାଯିବା ସହିତ କୁଳସଚିବଙ୍କ ଦସ୍ତଖତ ରହିବା ଜରୁରୀ। ମାତ୍ର ଏହି ଚିଠି (ନଂ- ୩୯୦, ତା ୧୧-୧-୨୧)ରେ କେବଳ କୁଳସଚିବଙ୍କ ଦସ୍ତଖତ ଥିବାବେଳେ କୁଳପତିଙ୍କ ଅନୁମତି ବି‌ଷୟରେ କିଛି ଲେଖାଯାଇ ନାହିଁ। ଏହାକୁ ନେଇ ଅନେକ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିବା ସହିତ ସିଓଏଫ୍‌ ତଥା ଅସ୍ଥାୟୀ କୁଳସଚିବ କାହା ସ୍ବାର୍ଥରେ ଏପରି କରିଥିବା ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଗତ ଡିସେମ୍ବରରୁ ବିଶ୍ବବିଦ୍ୟାଳୟର ସ୍ଥାୟୀ କୁଳପତି ପଦବି ଖାଲି ରହିଛି। ରମାଦେବୀ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଅସ୍ଥାୟୀ ଭାବେ ଏହି ଦାୟିତ୍ବ ଦିଆଯାଇଛି। ସେହିପରି କୁଳସଚିବ ପଦବି ଗତବର୍ଷ ମାର୍ଚ୍ଚରୁ ଖାଲି ପଡିଛି। ଏଥିରେ ବିଭିନ୍ନ ସମୟରେ ବିଶ୍ବବିଦ୍ୟାଳୟର ସିସିଡି, ସିଓଏଫ୍‌ ଅସ୍ଥାୟୀ ଭାବେ ଦାୟିତ୍ବ ତୁଲାଇଉଛନ୍ତି। ଏବେ ବିଶ୍ବବିଦ୍ୟାଳୟର ସିଓଏଫ୍‌ (କମ୍‌ପଟ୍ରୋରଲର ଅଫ୍‌ ଫାଇନାନ୍ସ) ଜାହାଙ୍ଗିର ଖାନ୍‌ ଅସ୍ଥାୟୀ ଭାବେ କୁଳସଚିବଙ୍କ ଦାୟିତ୍ବରେ ଅଛନ୍ତି। ଚଳିତମାସ ୨୨ ତାରିଖରେ ସ୍ଥାୟୀ କୁଳସଚିବ ବିଶ୍ବବିଦ୍ୟାଳୟରେ ଯୋଗଦେବାର ସୂଚନା ରହିଛି।

ସମ୍ବନ୍ଧିତ ଖବର