ଏସ୍‌ସିବିରେ ଠିକା ସଂସ୍ଥା ଉପରେ ଲଗାମ୍‌ ନାହିଁ, କାମ ନ କରି ଦରମା ନେଉଛନ୍ତି କର୍ମଚାରୀ!

କଟକ: ଏସ୍‌ସିବିରେ ପ୍ରତି ବିଭାଗରେ କାମ କରିବା ପାଇଁ ଘରୋଇ ସଂସ୍ଥା ଦ୍ବାରା ପାଖାପାଖି ୫୦୦ ଆଟେଣ୍ଡାଣ୍ଟ୍‌ ନିଯୁକ୍ତି ପାଇଛନ୍ତି। କିନ୍ତୁ ସେମାନଙ୍କୁ ଜଗିବାକୁ କେହି ନାହାନ୍ତି। ମନଇଚ୍ଛା ବିଲ୍‌ କରି ଦରମା ଉଠାଉଛନ୍ତି ‌ଏହି କର୍ମଚାରୀମାନେ। ଏଭଳି କାରବାର ପଛରେ ଏକ ବଡ଼ ଧରଣର ରାକେଟ୍‌ କାମ କରୁଛି। ଦୈନିକ ବହୁସଂଖ୍ୟକ କର୍ମଚାରୀ କାମକୁ ନ ଆସି କାଗଜପତ୍ରରେ ଦର୍ଶାଇ ଦରମା ନେଉଥିବା ଅଭିଯୋଗ ହେଉଛି। ନିୟମ ମୁତାବକ, ଏହି କର୍ମଚାରୀମାନଙ୍କ ଭିତରୁ କିଏ କାମକୁ ଆସିଲା‌, କାହା ନାଁ ତାଲିକାରେ ରହିଛି, ସେ ସବୁକୁ ସଂପୃକ୍ତ ୱାର୍ଡର ଇନ୍‌ଚାର୍ଜ ସେବିକା ଯାଞ୍ଚ କରିବା କଥା। ସେହି ଅନୁସାରେ ସେମାନେ କେତେଦିନ କାମ କରିଛନ୍ତି ତାର ରେକର୍ଡ ମାସ ଶେଷରେ ଯାଞ୍ଚ ହେବ ଓ ଉକ୍ତ ରେକର୍ଡ ଅନୁସାରେ ବିଭାଗୀୟ ମୁଖ୍ୟଙ୍କ ଦସ୍ତଖତ ପରେ ଘରୋଇ ସଂସ୍ଥାର ଆଟେଣ୍ଡାଣ୍ଟ୍‌ମାନେ ଦରମା ପାଇବେ। କିନ୍ତୁ, ସେଭଳି କିଛି ହେଉ ନାହିଁ।

ଏହାରି ସୁଯୋଗରେ ଘରୋଇ ସଂସ୍ଥା ଦ୍ବାରା ନିଯୁକ୍ତ ଆଟେଣ୍ଡାଣ୍ଟ୍‌ମାନେ ମାସ ମାସ ଧରି କାର୍ଯ୍ୟକୁ ନ ଆସି ବି ଦରମା ଉଠାଉଛନ୍ତି। ଦାୟିତ୍ବରେ ଥିବା ଷ୍ଟାଫ୍‌ନର୍ସ ଅନେକ ସ୍ଥାନରେ ଯାଞ୍ଚ ନ କରି ଦସ୍ତଖତ କରୁଥିବାର ଅଭିଯୋଗ ହେଉଛି। ସେପଟେ, ବିଭାଗୀୟ ମୁଖ୍ୟମାନେ ସେଗୁଡିକୁ ଆଦୌ ନ ଦେଖି ଅନୁମୋଦନ କରୁଛନ୍ତି। ଏକ ନିର୍ଦ୍ଦିଷ୍ଟ ବିଭାଗରେ ଏଭଳି ଏକ ଜାଲିଆତି ସାମ୍ନାକୁ ଆସିବା ପରେ କାମକୁ ନ ଆସି ଦରମା ନେଉଥିବା କର୍ମଚାରୀ ପ୍ରଣବ କୁମାର ସିହ୍ନାଙ୍କୁ ‘ମଂଜୁଶ୍ରୀ’ ସଂସ୍ଥା ଚାକିରିରୁ ବାହାର କରିଦେଇଥିବା ନେଇ ଉକ୍ତ ସଂସ୍ଥାର ସୁପରଭାଇଜର୍‌ ସୂଚନା ଦେଇଛନ୍ତି। ସେ ଦୁଇମାସରୁ ଅଧିକ ସମୟ ଧରି ଜାଲି ଦସ୍ତଖତ କରି ଦରମା ଉଠାଉଥିବା ବେଳେ ସନ୍ଦେହ ହେବାରୁ ସଂସ୍ଥା ପକ୍ଷରୁ ଏହାକୁ ଯାଂଚ କରାଯିବା ପରେ ଏଭଳି ଘଟଣା ଧରାପଡିଥିଲା।

ସମ୍ବନ୍ଧିତ ଖବର