ସରକାରଙ୍କ ପାର୍ବଣ କଟକଣା ଯୋଗୁଁ ରୋଜଗାର ହରାଇଛନ୍ତି ଲକ୍ଷାଧିକ ଶ୍ରମିକ, ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ: ପାର୍ବଣରେ ସରକାର ଜାରି କରିଥିବା କଟକଣା ଯୋଗୁଁ ରାଜ୍ୟରେ ପ୍ରାୟ ଏକ ଲକ୍ଷ ଶ୍ରମିକ ଏବେ ରୋଜଗାର ହରାଇଛନ୍ତି। ମୂର୍ତ୍ତି କାରିଗର, କପଡା ଡେକେ‌ାରେସନ୍ କରୁଥିବା ଶ୍ରମିକ, କାଠ କାମ କରୁଥିବା କାରିଗର, ଲାଇଟ ଓ ସାଉଣ୍ଡ୍ ସିଷ୍ଟମ ବ୍ୟବସ୍ଥା କରୁଥିବା ଇଲେକ୍ଟ୍ରିସିଆନ୍, ତାରକସି ଓ ଗହଣା କାରିଗର ଦୁର୍ଗପୂଜା ଋତୁରେ ରୋଜଗାର କରି ସାରା ବର୍ଷ ଚଳିଥାନ୍ତି। କିନ୍ତୁ କରୋନା କଟକଣା ଯୋଗୁଁ ନିରାଡମ୍ବର ଭାବେ ପୂଜା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏପରି ପ୍ରାୟ ୧ ଲକ୍ଷ ଶ୍ରମିକ ଓ କାରିଗର ନିଜ ରୋଜଗାର ହରାଇଛନ୍ତି। ଏଭଳି ପ୍ରସଂଗ ନେଇ ହାଇକୋର୍ଟରେ ଆମେ ଓଡ଼ିଆ ସେବା ଟ୍ରଷ୍ଟର ସଭାପତି ସରୋଜ କୁମାର ସିଂ, କଟକ ଭୁବନେଶ୍ବର ଗଣେଶ ପୂଜା କମିଟି ଉପସଭାପତି ସରୋଜ କୁମାର ଛୋଟରାୟଙ୍କ ସମେତ ୩୫ଟି ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ପକ୍ଷରୁ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ ପାର୍ବଣ ସମୟରେ ସାଜସଜା, ଆଲୋକୀକରଣ, ମୂର୍ତ୍ତି ନିର୍ମାଣ, ଚାନ୍ଦି କାମ କରି କାରିଗର ଓ ଶ୍ରମିକମାନେ ଭଲ ରୋଜଗାର କରିଥାନ୍ତି। ଏହି ସିଜିନାଲ ଲେବରମାନେ ପାର୍ବଣ ସମୟରେ କରିଥିବା ରୋଜଗାରରେ ବର୍ଷ ସାରା ପରିବାର ଚଳାଇଥାନ୍ତି। କିନ୍ତୁ ଗତ ବର୍ଷଠାରୁ କରୋନା ସଂକ୍ରମଣ ସ୍ଥିତି ଓ କଟକଣା ଯୋଗୁଁ ଏହି ଶ୍ରମିକମାନେ ରୋଜଗାର ହରାଇଛନ୍ତି।

ଚଳିତ ବର୍ଷ ମଧ୍ୟ ଅଗଷ୍ଟ ୯ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ପୂଜାରେ କଟକଣା ଜାରି କରିଛନ୍ତି। ମୂର୍ତ୍ତିର ଉଚ୍ଚତା ୪ ଫୁଟରେ ସୀମିତ ରଖିବା ସହିତ ଅନ୍ୟାନ୍ୟ କଟକଣା ଜାରି କରାଯାଇଛି। ଏଭଳି ସ୍ଥିତିରେ ଏହି ସିଜିନାଲ ଲେବରଙ୍କ ରୋଜଗାର ଏକ ପ୍ରକାର ବନ୍ଦ ହୋଇଛି। ପରମ୍ପରା ଅନୁସାରେ ମୂର୍ତ୍ତି ନିର୍ମାଣ କରି ମଣ୍ଡପରେ କୋଭିଡ କଟକଣା ଭିତରେ ପୂଜା ଆୟୋଜନ ପାଇଁ ସରକାର ଅନୁମତି ଦିଅନ୍ତୁ। ଯାହା ଦ୍ବାରା ଏହି ଶ୍ରମିକମାନେ ଡେକୋରେସନ୍, ଆଲୋକୀକରଣ ଓ ଅନ୍ୟାନ୍ୟ ସାଜସଜା କାମ କରି କିଛି ରୋଜଗାର କରି ପାରିବେ। ଦ୍ବୈତ ନଗରିରେ ଭିଡ଼ ଏଡ଼ାଇବା ପାଇଁ ପୂଜା ସମୟରେ ୧୪୪ ଧାରା ଜାରି କରାଯାଉ। ପୁରୀ ରଥଯାତ୍ରା ଭଳି ଦୁର୍ଗାପୂଜା ମଣ୍ଡପରୁ ଗଣମାଧ୍ୟମରେ ସିଧା ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ ସରକାର ଅଗଷ୍ଟ ୯ରେ ଜାରି କରିଥିବା କଟକଣାରେ ପରିବର୍ତ୍ତନ କରନ୍ତୁ। ନଚେତ ମୂର୍ତ୍ତି କାରିଗର, କପଡା ଡେକେ‌ାରେସନ୍ କରୁଥିବା ଶ୍ରମିକ, କାଠ କାମ କରୁଥିବା କାରିଗର, ଲାଇଟ ଓ ସାଉଣ୍ଡ୍ ସିଷ୍ଟମ ବ୍ୟବସ୍ଥା କରୁଥିବା ଇଲେକ୍ଟ୍ରିସିଆନ୍, ତାରକସି ଓ ଗହଣା କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ କୁମାର ରାୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର