ଗୃହିଣୀ ଜାଣିଛନ୍ତି ଶିକ୍ଷାର ମହତ୍ତ୍ବ : ଜଙ୍ଗଲରେ ରହୁଥିବା ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି ସୁରେଖା

ଜଙ୍ଗଲକୁ ଚାଲି ଚାଲି ଯାଆନ୍ତି ୨ କିଲୋମିଟର

ଆଠଗଡ, (ଅର୍ଦ୍ଧେନ୍ଦୁଶେଖର ମହାନ୍ତି): ଶିକ୍ଷାଦାନ ପରି ମହତ କାର୍ଯ୍ୟକୁ ‌ନିଜର ସାମାଜିକ ପ୍ରତିବଦ୍ଧତାର ବାଟ ରୂପେ ବାଛି ନେଇଛନ୍ତି ଜଣେ ଗୃହିଣୀ। ନିଜର ଘର କାର୍ଯ୍ୟ ଓ ପାରିବାରିକ ଉତ୍ତରଦାୟିତ୍ବ ସହିତ ସେ ଜଙ୍ଗଲରେ ରହୁଥିବା ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ଏଭଳି ଏକ ମହତ ଉଦ୍ଦେଶ୍ୟରେ ନିଃସ୍ବାର୍ଥପର ଭାବେ ନିଜକୁ ଉତ୍ସର୍ଗ କରିଛନ୍ତି ଆଠଗଡ଼ ଜେନାପଦା ଦେଶର ରସାନନ୍ଦ ଖଟୁଆଙ୍କ ପତ୍ନୀ ସୁରେଖା ଖଟୁଆ।

ଆଠଗଡ ବ୍ଳକ ଅନ୍ତର୍ଗତ ଜେନାପଦା ଦେଶର ଶାଳବଣି ସ˚ରକ୍ଷିତ ଜଙ୍ଗଲ ନିକଟରେ ମାଟିଆ ସ˚ପ୍ରଦାୟର ୧୮ ପରିବାର ଆଜକୁ ୧୦ ବର୍ଷ ହେବ ରହି ଆସୁଛନ୍ତି। ସେମାନଙ୍କୁ ସରକାର ଭୋଟ ପରିଚୟପତ୍ର ଦେଇ ସାରିଛନ୍ତି। ଏହି ସ˚ପ୍ରଦାୟର ଲୋକେ ଝଜୁରି ଝାଡୁ ବିକ୍ରି କରିବା ସହ ଆଳୁ ତୋଳିବା ଏବଂ ଜଙ୍ଗଲରୁ କାଠ ଆଣି ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ଶିକ୍ଷା ଏହି ସଂପ୍ରଦାୟର ପିଲାମାନଙ୍କ ପାଇଁ ଅପହଞ୍ଚ ଥିବାବେଳେ ସ୍ଥାନୀୟ ଗିରିଗୋବର୍ଦ୍ଧନପୀଠ କୃଷ୍ଣବାଟିକାର ସଭ୍ୟମାନେ ସେଥିପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଦୈନନ୍ଦିନ ଘର କାମ କରି ସାରିବା ପରେ ସୁରେଖା ଗ୍ରାମର ଶୈଳବାଳା ମହାନ୍ତିଙ୍କ ସହ ୨ କିଲୋମିଟରରୁ ଅଧିକ ରାସ୍ତା ଚାଲି ଚାଲି ଯାଇ ମାଟିଆ ସ˚ପ୍ରଦାୟର ପିଲାଙ୍କୁ ପାଠ ପଢାନ୍ତି। ଖୋଲା ଆକାଶ ତଳେ ଗଛ ମୂଳେ ମାଟିଆ ସ˚ପ୍ରଦାୟର ୪ ରୁ ୧୦ ବର୍ଷର ୨୫ ଜଣ ପିଲାମାନଙ୍କୁ ସେମାନେ ପାଠ ପଢାନ୍ତି। ଦୈନିକ ୩ ରୁ ୪ ଘଣ୍ଟା ସେମାନେ ଏଥିପାଇଁ ସମୟ ଦିଅନ୍ତି। ପାଠ ପଢାଇସାରିବା ପରେ କୃଷ୍ଣବାଟିକା ସ˚ଘ ପକ୍ଷରୁ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥାଏ। ସୁରେଖା ଆଜକୁ ବର୍ଷେରୁ ଅଧିକ ହେବ ଏଭଳି ଏକ ମହତ କାର୍ଯ୍ୟ ବିନା ବେତନରେ କରି ଆସୁଛନ୍ତି। ଗ୍ରାଜୁଏସନ କରିଥିବା ସୁରେଖାଙ୍କ ସ୍ବାମୀ ଜଣେ ବ୍ୟବସାୟୀ ହୋଇଥିଲା ବେଳେ ପୁଅ +୨ ଓ ଝିଅ ମାଟ୍ରିକ ପଢୁଛନ୍ତି। ଏଥିପାଇଁ ପରିବାରର ସମସ୍ତେ ତାଙ୍କୁ ନୈତିକ ସମର୍ଥନ ଦେଇ ଆସୁଛନ୍ତି।

ସମ୍ବନ୍ଧିତ ଖବର