ବିପର୍ଯ୍ୟସ୍ତ ମାଧବାନନ୍ଦ ପୋଖରୀ, ଶିଳାନ୍ୟାସର ୨ବର୍ଷ ପରେ ବି ଉନ୍ନତିକରଣ ହେଲାନି

ଜଗତପୁର: କଟକ ମହାନଗର ନିଗମ ୪୯ ନମ୍ବର ୱାର୍ଡ ଅନ୍ତର୍ଗତ ଇମାମ୍‌ନଗର ଗ୍ରାମର ଐତିହାସିକ ମାଧବାନନ୍ଦ ପୋଖରୀ ବର୍ଷ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ୫ଏକରରୁ ଅଧିକ ଅଞ୍ଚଳରେ ବ୍ୟାପ୍ତ ଏହି ପୋଖରୀର ରକ୍ଷଣାବେକ୍ଷଣ ପ୍ରତି ସିଏମ୍‌ସିର ଦୃଷ୍ଟି ପଡୁ ନଥିବା ଅଭିଯୋଗ ହୋଇଛି। ଜଗତପୁର ଅଞ୍ଚଳର ମଧ୍ୟବର୍ତ୍ତୀ ଖାଲୁଆ ସ୍ଥାନରେ ଅବସ୍ଥିତ ଏହି ପୋଖରୀ ଭିତରକୁ ବିଭିନ୍ନ କଲୋନିରୁ ନିର୍ଗତ ଜଳ, ବଜାର ଏବଂ ଜଗତପୁର ନୂତନ ଶିଳ୍ପାଞ୍ଚଳର ଦୂଷିତ ଜଳ ପଶି ଥାଏ। ଫଳରେ ଏହି ପୋଖରୀରେ ମଶାମାଛି ବଂଶବୃଦ୍ଧି ହୋଇ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ପଳଟିଛି। ପୋଖରୀ ନିକଟରେ ମନ୍ଦିର, ଉତ୍କଳମଣି ଗୋପବନ୍ଧୁ ଶିଶୁଉଦ୍ୟାନ ସହିତ ଏକାଧିକ ଜନବସତି ରହିଛି। ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ୨୦୧୩ ମସିହାରେ ୯ଲକ୍ଷ ୫୦ହଜାର ଟଙ୍କା ଅଟକଳରେ ସିଏମ୍‌ସି ପକ୍ଷରୁ ଦଳ ସଫେଇ ଓ ପଙ୍କ ଉଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଥିଲା। ମାତ୍ର, ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହାର ବର୍ଷକ ପରେ ପଙ୍କ ଓ ଦଳ ଭର୍ତ୍ତି ହୋଇ ଜଳାଶୟଟି ପୂର୍ବସ୍ଥିତିକୁ ଫେରି ଆସିଥିଲା। ଏ ସମ୍ପର୍କରେ ୱାର୍ଡ ବାସିନ୍ଦାଙ୍କ ପକ୍ଷରୁ ସିଏମସି କର୍ତ୍ତୃପକ୍ଷଙ୍କ ସହିତ ସାକ୍ଷତ ଆଲୋଚନା କରି ଏହାର ଉନ୍ନତୀକରଣ ନିମନ୍ତେ ଲିଖିତ ଭାବେ ଆପତ୍ତି ଅଭିଯୋଗ କରାଯିବା ପରେ ୨୦୧୯ ମସିହା ସ୍ୱାୟତ୍ତ ଶାସନ ଦିବସ ଅବସରରେ ୨କୋଟି ୮୬ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଶିଳାନ୍ୟାସ କରାଯାଇଥିଲା। ଏହା ଭିତରେ ଶିଳାନ୍ୟାସକୁ ଦୁଇବର୍ଷ ବିତି ଯାଇଥିଲେ ବି ଅମୃତ ଯୋଜନାରେ ହେବାକୁ ଥିବା ଏହି ବୃହତ୍ତ ଜଳାଶୟର ଉନ୍ନତୀକରଣ କାର୍ଯ୍ୟ ହୋଇପାରି ନାହିଁ। ଏହାକୁ ନେଇ ୱାର୍ଡବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସ୍ଥାନୀୟ ଅଧିବାସୀ ଶିବ ପ୍ରଧାନ କହନ୍ତି ଯେ, ଏହି ବୃହତ୍ତ ଜଳାଶୟଟି ତତ୍କାଳୀନ ରାଜା ମାଧବାନନ୍ଦଙ୍କ ନାମରେ ନାମିତ ହୋଇଛି। ରାଜାଙ୍କ ସମୟରେ ଏହି ଜଳାଶୟ ନୌକାବିହାରରେ ନିୟୋଜିତ ଥିବା କିମ୍ବଦନ୍ତୀ ରହିଛି। ପୋଖରୀଟି ଲୋକଙ୍କ ଭାବବେଗ ସହିତ ଜଡିତ ହୋଇଥିବାରୁ ଏହାର ଉନ୍ନତୀକରଣ କରାଯିବା ଜରୁରୀ। ସେହିପରି ସ୍ଥାନୀୟ ବାସିନ୍ଦା ଆଇନଜୀବୀ ବିକାଶ ରାଉତରାୟ କହିଛନ୍ତି, ଏହି ପ୍ରାଚୀନ ପୁଷ୍କରିଣୀର ପୁନରୁଦ୍ଧାର ହେଲେ ପର୍ଯ୍ୟଟକମାନଙ୍କ ନିମନ୍ତେ ଆକର୍ଷଣ ସୃଷ୍ଟି ହେବା ସହିତ ମାଛ ଚାଷ କରାଯାଇ ପାରିବ। ଶ୍ରୀରାମ କଲୋନି ବାସିନ୍ଦା ଅଶୋକ ସାମଲ କହିଛନ୍ତି, ଦୀର୍ଘବର୍ଷରୁ ଏହି ବିଶାଳ ପୋଖରୀର ଦଳ ସଫା ନ ହେବାରୁ ମଶାବଂଶ ବୃଦ୍ଧି ପାଇ ରୋଗ ସଂକ୍ରମଣର କାରଣ ପାଲଟିଛି। ତେଣୁ, ତୁରନ୍ତ ଏହାର ଉନ୍ନତିକରଣ କାର୍ଯ୍ୟ କରାଯିବା ଦରକାର। ଏ ସମ୍ପର୍କରେ ଉପରୋକ୍ତ ଜଳାଶୟ ଉନ୍ନତୀକରଣ ଦାୟିତ୍ୱରେ ଥିବା ସିଏମ୍‌ସି ସହକାରୀ ଯନ୍ତ୍ରୀ ଡି.କେ. ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି, ମାଧବାନନ୍ଦ ପୋଖରୀର ଉନ୍ନତୀକରଣ ନିମନ୍ତେ ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହୋଇଛି। ଖୁବ୍‌ ଶୀଘ୍ର କାର୍ଯ୍ୟାଦେଶ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର