କଟକରୁ ଉଠିଯିବ ୱାକଫ୍‌ ବୋର୍ଡ ଅଫିସ୍‌!

କଟକ: ୧୯୫୯ ମସିହାରୁ କଟକର ପୁରୁଣା ସଚିବାଳୟରେ ଥିବା ୱାକଫ୍ ବୋର୍ଡ କାର୍ଯ୍ୟାଳୟକୁ ଭୁବନେଶ୍ବର ଉଠାଇ ନେବାର ମସୁଧା ଚାଲିଛି। ଗୋଟିଏ ପଟେ ଭୁବନେଶ୍ବରରେ ନୂଆ ହଜ୍ ହାଉସ୍ ନିର୍ମାଣ ହେବା ଏବଂ ଅନ୍ୟପଟେ ୱାକଫ୍ ବୋର୍ଡର ନୂଆ କୋଠା ପାଇଁ ଏଷ୍ଟିମେଟକୁ ସରକାର ୩ ବର୍ଷ ହେଲା ମଂଜୁର ନ କରିବା ଘଟଣାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରତିକ୍ରିୟା ବଢିବାରେ ଲାଗିଛି।

ୱାକଫ୍ ବୋର୍ଡ କଟକରେ ରହିବା ଦରକାର
ଭୁବନେଶ୍ବର ତୁଳନାରେ କଟକରେ ଅଧିକ ମୁସ୍‌ଲିମ୍ ବସବାସ କରୁଛନ୍ତି। ଏଥି ସହିତ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଆଦିରେ ସ୍ଥାନରେ ରହୁଥିବା ମୁସ୍‌ଲିମ୍‌ ସଂପ୍ରଦାୟଙ୍କର ସଂପର୍କ କଟକ ସହର ସହ ନିବିଡ଼। ଏସବୁ ଦୃଷ୍ଟିରୁ ହଜ୍ କାର୍ଯ୍ୟାଳୟ ହେଉ ବା ୱାକଫ୍ ବୋର୍ଡ କାର୍ଯ୍ୟାଳୟ, ତାହା କଟକରେ ରହିବା ଦରକାର।
ଭର୍ତ୍ତୃହରି ମହତାବ, ସାଂସଦ

୮୦ ପ୍ରତିଶତ ମୁସଲିମ୍ କଟକ ଓ ଆଖପାଖରେ ବସବାସ କରୁଛନ୍ତି
କଟକ ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଢ଼େଙ୍କାନାଳ ଆଦି ଅଞ୍ଚଳରେ ରାଜ୍ୟର ୮୦ ପ୍ରତିଶତ ମୁସଲିମ୍ ସଂପ୍ରଦାୟ ବସବାସ କରୁଛନ୍ତି। କଟକ ସହର ସମେତ ଆଖପାଖରେ ବହୁ ୱାକଫ୍‌ ଅନୁଷ୍ଠାନ ମଧ୍ୟ ରହିଛି। ମୁସ୍‌ଲିମ୍ ସଂପ୍ରଦାୟର ଜଣେ ବ୍ୟକ୍ତି କଟକ ଆସିଲେ, ଯେଉଁ ସୁବିଧା ପାଇବ, ଭୁବନେଶ୍ବରରେ ତାହା ହୋଇପାରିବ ନାହିଁ। ଏସବୁ ଦୃଷ୍ଟିରୁ ୱାକଫ୍‌ ବୋର୍ଡ କଟକରୁ ଉଠିବା ଆବଶ୍ୟକ ନାହିଁ। ମୁଖ୍ୟମନ୍ତ୍ରୀ କଟକ ସହରକୁ ଗୁରୁତ୍ବ ଦେଉଛନ୍ତି, ତେଣୁ କଟକ ସହରରେ ୱାକଫ୍ ବୋର୍ଡ କାର୍ଯ୍ୟାଳୟର ଉନ୍ନତି କରିବେ ବୋଲି ଆମର ଦୃଢ଼ ଆଶା।
ମହମ୍ମଦ ସକିଲ୍, ସଂପାଦକ, ରାଜ୍ୟ ବିଜୁ ଜନତା ଦଳ

ୱାକଫ୍ ‌ବୋର୍ଡ କାର୍ଯ୍ୟାଳୟ କଟକରେ ରହିବ
ୱାକଫ୍ ବୋର୍ଡ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେଲା କଟକରେ ଚାଲିଛି। ଏହା ଭୁବନେଶ୍ବରକୁ ସ୍ଥାନାନ୍ତର ହେବା ପ୍ରସଙ୍ଗରେ ମୋ ପାଖରେ ଖବର ନାହିଁ। କିନ୍ତୁ ସବୁ ଦୃଷ୍ଟିରୁ ବିଚାର କଲେ, ଏହି କାର୍ଯ୍ୟାଳୟ କଟକରେ ରହିବ ଓ ରାଜ୍ୟ ସରକାର ଏହାର ଉନ୍ନତି ପାଇଁ ପଦକ୍ଷେପ ନେବେ।
ସୁବାସ ସିଂହ, ସାଂସଦ

ସଂଖ୍ୟାଲଘୁଙ୍କ ପ୍ରତି ଅବହେଳା କରାଯାଉଛି
ରାଜ୍ୟର ସମସ୍ତ ମସ୍‌ଜିଦ୍‌, କବରସ୍ଥାନ, ଦରଘା, ମଦ୍ରାସା ଆଦିର ସୁରକ୍ଷା ଓ ଉନ୍ନତିକରଣ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହାୟତା, ତଲାକି ମହିଳାଙ୍କୁ ଆର୍ଥିକ ସହାୟତା ଆଦି ଅନେକ କାର୍ଯ୍ୟ ୱାକଫ୍‌ ‌ବୋର୍ଡ ଦ୍ବାରା ସଂପାଦିତ ହୁଏ। କିନ୍ତୁ ପରିତାପର ବିଷୟ ୱାକଫ୍ ବୋର୍ଡ, ସର୍ଭେ କମିସନର ଓ ହଜ୍ କମିଟି କାର୍ଯ୍ୟାଳୟ ପୁରୁଣା ଆଜ୍‌ବେଷ୍ଟସ୍ ଘରେ ଚାଲୁଥିଲେ ମଧ୍ୟ ଏଯାଏ କୋଠାଘରଟିଏ ନିର୍ମାଣ ହୋଇନାହିଁ। କିଛି ଦିନ ହେଲା ୱାକଫ ବୋର୍ଡ ଗଠନ ହୋଇନାହିଁ। ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପ୍ରତି ‌ବହୁ ଅବହେଳା କରାଯାଉଛି।
ସୟଦ୍ ଏକ୍ରାମ ହୁସେନ୍‌, ପୂର୍ବତନ ଅଧ୍ୟକ୍ଷ, ୱାକଫ୍ ବୋର୍ଡ

ଅଫିସ୍ ଘର ଭାଙ୍ଗିଗଲାଣି
ୱାକଫ୍ ବୋର୍ଡ କାର୍ଯ୍ୟାଳୟ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ଏଯାଏ ନୂଆ ଅଫିସ୍ ନିର୍ମାଣ ହୋଇନାହିଁ। ସରକାରଙ୍କ ପାଖରେ ଏଷ୍ଟିମେଟ୍ ପଡ଼ିରହିଛି। କ’ଣ ପାଇଁ ଏହାକୁ ଭୁବନେଶ୍ବରକୁ ନେବାକୁ ଉଦ୍ୟମ ଚାଲିଛି, ବୁଝି ହେଉନି।
ଶେଖ୍ ମୋତିଉଲ୍ଲା, ପୂର୍ବତନ ସଭ୍ୟ

ଭୁବନେଶ୍ବର ଯିବା ଯୁକ୍ତିଯୁକ୍ତ ନୁହେଁ
କଟକ ସହରରେ ଅଧିକାଂଶ ମସଜିଦ୍, କରବସ୍ତାନ, ମଦ୍ରାସା, ମୋଜାର ଆଦି ସମସ୍ତ ୱାକଫ୍ ଅନୁଷ୍ଠାନ ରହିଛି। କୋର୍ଟ ସମେତ ମୁସ୍‌ଲିମ୍ ଟ୍ରିବ୍ୟୁନାଲ୍ ରହିଛି। କଟକ ଆସିଲେ, ଜଣେ ସୁବିଧାରେ ରହି ସବୁ କାମ କରିପାରିବେ। ତେଣୁ ୱାକଫ୍ ବୋର୍ଡ ଅଫିସ୍ ଭୁବନେଶ୍ବରକୁ ନେବା ପଛରେ କୌଣସି ବାସ୍ତବ ଯୁକ୍ତି ନାହିଁ।
ଶେଖ୍ କମରୁଦ୍ଦିନ୍, ପୂର୍ବତନ ଅଧ୍ୟକ୍ଷ, ୱାକଫ୍ ବୋର୍ଡ

ସମ୍ବନ୍ଧିତ ଖବର