ଖୁଣ୍ଟୁଣୀ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ସ୍ଥିତ ଶ୍ରୀ ସିମେଣ୍ଟ ଦ୍ବାରା ପରିଚାଳିତ ଓଡ଼ିଶା ସିମେଣ୍ଟ ପ୍ଲାଣ୍ଟରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶ୍ରମିକଙ୍କ ପୁଅକୁ ସ୍ଥାୟୀ ଚାକିରି, ଝିଅ ବାହାଘର ବାଦରେ ଅର୍ଥ ଓ ଶୁଦ୍ଧିକ୍ରିୟା ଲାଗି ୨ ଲକ୍ଷ ଟଙ୍କା ଦାବିରେ ଉତ୍ତ୍ୟକ୍ତ ଲୋକେ ଓଡ଼ିଶା ସିମେଣ୍ଟ ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଇଛନ୍ତି। ମୃତ ଶ୍ରମିକ ଜଣଙ୍କ ହେଲେ ଦିବାକର ପ୍ରଧାନ(୪୮)।
ସୂଚନା ଅନୁଯାୟୀ, ଗତ ରାତିରେ ଦିବାକର ପ୍ଲାଣ୍ଟରେ କାମ କରୁଥିବା ସମୟରେ ଏକ ମାଲ ବୋଝେଇ ଟ୍ରକ୍ ପଛପଟୁ ତାଙ୍କ ଗୋଡ଼ ଉପରେ ଚଢ଼ିଯାଇଥିଲା। ଏହାଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୧୦ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଦିବାକର ପ୍ରଧାନଙ୍କ ମୃତ୍ୟୁ ପରେ ଉତ୍ତେଜିତ ଶ୍ରମିକମାନେ ଆଜି ସକାଳୁ ଧାରଣା ଦେଇଛନ୍ତି।