୩୦ ଫୁଟ୍‌ ପାଇପ୍‌ ଭିତରେ ୭ ଘଣ୍ଟା : ବଞ୍ଚିଗଲେ ପ୍ରାଣକୃଷ୍ଣ 

କଟକ : କଟକ ମହାନଗର ୮ ନମ୍ବର ଓ୍ଵାର୍ଡର ଦେଉଳସାହି, ସୁନାଦେଇ ମନ୍ଦିର ନିକଟରେ ରୁହନ୍ତି ପ୍ରାଣକୃଷ୍ଣ ମୁଦୁଲି(୫୫) ଓ ତାଙ୍କ ପରିବାର। ପ୍ରାଣକୃଷ୍ଣଙ୍କ ମା’ ଗତ ୬ ମାସ ତଳେ ପ୍ରାଣ ହରାଇଥିଲେ। ଅବିବାହିତ ପ୍ରାଣକୃଷ୍ଣ ମା’ଙ୍କ ମୃତ୍ୟୁପରେ ରୋଗାକ୍ରାନ୍ତ ହୋଇ ପଡିିଥିବାରୁ ଆଉ କାମ କରିବାକୁ ଯାଉନଥିଲେ। ପାଖରେ ଥିବା ଦୁଇ ଭଉଣୀ ତାଙ୍କର ସମସ୍ତ କଥା ବୁଝନ୍ତି। ପ୍ରତିଦିନ ସକାଳ ୬ରୁ ଘରୁ ବାହାରି ନଦୀକୂଳ ଦେଉଳସାହି ଛକକୁ ଆସି ୮ଟାରେ ଚା ଓ ଜଳଖିଆ ଖାଇ ଘରକୁ ଫେରନ୍ତି। ମାତ୍ର ଆଜି ୯ଟାରେ ଆଉଟ୍‌ ଲେଟ୍‌ ପଏଣ୍ଟ ପାଇପ୍‌ ମଧ୍ୟରେ ସେ ଫସିଥିବାର ଖବର ପାଇ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା ବୋଲି କହନ୍ତିି ଭଉଣୀ ମେନକା ପ୍ରଧାନ କହନ୍ତି। ପ୍ରାଣକୃଷ୍ଣଙ୍କର ଜଣେ ଭାଇ ଓ ତିନି ଭଉଣୀ। ସମସ୍ତେ ତ ଘଟଣାସ୍ଥଳରେ ଅଧିଆ ପଡ଼ିଥିଲେ। ସେମାନଙ୍କ ସହ ବି ହଜାର ହଜାର ଲୋକ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କାର୍ଯ୍ୟକୁ ଦେଖିବା ପାଇଁ ଭିଡ ଜମାଇଥିଲେ। ଶେଷରେ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମର ଉଦ୍ୟମ ସଫଳ ହୋଇଥିଲା। ୭ ଘଣ୍ଟାର ଉଦ୍ୟମ ପରେ ପ୍ରାଣକୃଷ୍ଣଙ୍କୁ ସୁରକ୍ଷିତ ଅବସ୍ଥାରେ ପାଇପ୍‌ ଭିତରୁ ଉଦ୍ଧାର କରାଯାଇଥିଲା।

ସାବାସ୍‌ ଧୀରଜ

ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମେ ମହାନଦୀ ପଟୁ ପାଇପ୍‌ ଭିତରେ ପଶିଥିଲେ ସିଡିଏ ଅଗ୍ନିଶମ କେନ୍ଦ୍ରର ଧୀରଜ ବିଧାର ଏବଂ ଗୌତମ ଲେଙ୍କା । ଚାମ୍ବରରେ ଅଣ୍ଟା ପଛ ପଟ ଲାଖି ଯାଇଥିବାରୁ ପ୍ରାଣକୃଷ୍ଣଙ୍କୁ ଏକ ଶାବଳ ସାହାଯ୍ୟରେ ଉଠାଇବାକୁ ଉଦ୍ୟମ କରିଥିଲେ। କିଛି ସମୟ ପରେ ଏଥିରେ ସେମାନେ ସଫଳ ହୋଇଥିଲେ । ସାମନା ପଟେ ତାଙ୍କ ଗୋଡ଼ରେ ବନ୍ଧା ହୋଇଥିବା ଦଉଡ଼ି ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। କିନ୍ତୁ ପାଇପ୍‌ ଭିତରେ ଅମ୍ଳଜାନ ଅଭାବରୁ ଶ୍ୱାସରୁଦ୍ଧ ହୋଇଯାଇଥିଲେ ଧୀରଜ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ତୁଳସୀପୁର ସ୍ଥିତ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ରେସ୍‌କ୍ୟୁ ପ୍ରୋସିଡ୍ୟୁର ପାଳନ ନହେବାରୁ ବିଳମ୍ବ ହେଲା: ଓଡ୍ରାଫ କର୍ମଚାରୀ

ଆରମ୍ଭରୁ ଯୋଜନା ମୁତାବକ ଉଦ୍ଧାର କାମ କରାଗଲା ନାହିଁ। ଲୋକମାନେ ଅଯଥାରେ ପାଇପ ମୁହଁରେ ଗଦା ହୋଇ ରହିଲେ। ପ୍ରଶିକ୍ଷଣ ପାଇଥିବା ଓ ଏପରି ଉଦ୍ଧାର କାମ ବହୁବାର କରିଥିବା ବ୍ୟକ୍ତିଙ୍କୁ କାମ କରିବାକୁ ସୁଯୋଗ ଦିଆଗଲା ନାହିଁ। ଟନେଲ୍‌ ରେସ୍‌କ୍ୟୁ ପ୍ରୋସିଡ୍ୟୁରକୁ ପାଳନ କରାଗଲା ନାହିଁ। ତିନି ଫୁଟର କଂକ୍ରିଟକୁ ମାର୍ବଲ କଟ୍‌ରରେ କଟାଯିବାରୁ ଉଦ୍ଧାର କାମ ପାଇଁ ୭ଘଣ୍ଟା ଲାଗିଲା। ଓଡ୍ରାଫ ଟିମ୍‌କୁ ଆରମ୍ଭରୁ କାମ କରିବାକୁ ସୁଯୋଗ ଦିଆଗଲା ନାହିଁ କି ଗାତ ମୁହଁ ନିକଟକୁ ଛଡା ଗଲାନାହିଁ ବୋଲି କହନ୍ତି ସିକ୍ସ ବାଟାଲିୟନ୍‌ କଟକର କର୍ମଚାରୀ ମନୋରଞ୍ଜନ ଆଚାର୍ଯ୍ୟ।

ପାଇପ୍‌ ମୁହଁରେ ଫ୍ୟାନ୍‌, ପାଦ ଘସିଲେ ଅଗ୍ନିଶମ କର୍ମଚାରୀ

୩୦ଫୁଟ ପାଇପ ଭିତରେ ୭ଘଣ୍ଟା ଧରି ଫସିଥିବା ପ୍ରାଣକୃଷ୍ଣଙ୍କୁ ପ୍ରତି ଅଧଘଣ୍ଟାକୁ ଥରେ ପିଇବାକୁ ଦିଆଯାଉଥିଲା ଗ୍ଲୁକୋଜ୍‌, ଓଆରଏସ୍‌ ପାଣି ସହ ଫ୍ରୁଟି। କଂକ୍ରିଟ କାଟିବା ସମୟରେ ଉଡୁଥିବା ଧୂଳିରୁ ପ୍ରାଣକୃଷ୍ଣଙ୍କ ଆଖିକୁ ଓ ନାକକୁ ରକ୍ଷା କରିବା ପାଇଁ ଦିଆଯାଇ ଥିଲା ଚଷମା, ମାକ୍ସ, ଗାମୁଛା। ନିଶ୍ୱାସ ନେବାରେ ପ୍ରାଣକୃଷ୍ଣଙ୍କୁ ଯେପରି ଅସୁବିଧା ନହୁଏ ସେଥିପାଇଁ ଅକ୍ସିଜେନ୍‌ ମାକ୍ସ ଯୋଗାଇ ଦିଆଯିବା ସହ ପବନ ପାଇଁ ପାଇପ୍‌ ମୁହଁରେ ଫ୍ୟାନ୍‌ ଲଗାଯାଇଥିଲା। ତାଙ୍କ ଶରୀରର ତାପମାତ୍ରା ଯେପରି ସ୍ଥିର ରୁହେ ଏଥିପାଇଁ ବିଭିନ୍ନ ସମୟରେ ଅଗ୍ନିଶମ ବିଭାଗର କର୍ମଚାରୀ ପାଇପ ଭିତରକୁ ପଶି ତାଙ୍କ ପାଦକୁ ଘସୁ ଥିଲେ।

ପ୍ରାଣକୃଷ୍ଣଙ୍କୁ କାମରେ ଲଗାଯାଇ ନଥିଲା

ପ୍ରାଣକୃଷ୍ଣ ୧୦ବର୍ଷ ଧରି ଆଉଟ୍‌-ଲେଟ୍‌ ପଏଣ୍ଟର ପାଣିକୁଣ୍ଡ ସଫେଇ କାମ କରୁଥିଲେ। ତାଙ୍କ ମା’ଙ୍କ ମୃତ୍ୟୁପରେ ଗତ ୬ମାସ ହେବ ସେ କାମ କରିବାକୁ ଆସୁନଥିଲେ। ପ୍ରତିଦିନ ମହାନଦୀରେ ଶୌଚ ହୋଇ ପଏଣ୍ଟକୁ ଆସି ପାଣିକୁଣ୍ଡ ଉପରେ ବସନ୍ତି। ଆଜି କୁଣ୍ଡ ଉପରେ ବିସିଥିବା ବେଳେ ଝୁଲୁଥିବାର ମୁଁ ଦେଖିଥିଲି। ପମ୍ପ ହାଉସ୍‌ ଖୋଲି ମଟର ଲଗାଇ ବାହାରକୁ ଆସି ଦେଖେତ ସେ କୁଣ୍ଡ ଭିତରେ ପଡିଯାଇଛନ୍ତି। ସଙ୍ଗେ ସଙ୍ଗେ ମଟରକୁ ବନ୍ଦ କରି ଯିବା ଭିତରେ ସେ ପାଇ ଭିତରକୁ ଚାଲି ଯାଇଥିଲେ। ଆଖପାଖର ଲୋକଙ୍କୁ ଖବର ଦେଇଥିଲି ବୋଲି ପମ୍ପ ଚଳାଇବା ଦାୟିତ୍ୱରେ ଥିବା ସିଏମ୍‌ସି କର୍ମଚାରୀ ଜ୍ଞାନରଂଜନ ସ୍ୱାଇଁ କହନ୍ତି। କୁଣ୍ଡ ସଫା କରିବାକୁ ପ୍ରାଣକୃଷ୍ଣଙ୍କୁ ଆଜି କାମରେ ଲଗାଯାଇଥିବାର ଅଭିଯୋଗ ସତ ନୁହେଁ ବୋଲି କହନ୍ତି ଶ୍ରୀ ସ୍ୱାଇଁ।

କର୍ମଚାରୀଙ୍କ ଅସାବଧାନତାରୁ ଏପରି ଘଟିଲା: ମେନକା

ପୂର୍ବରୁ ବହୁବାର ଆଉଟ ଲେଟ୍‌ ପଏଣ୍ଟର ଟାଙ୍କିକୁ ଭାଇ ପ୍ରାଣକୃଷ୍ଣ ସଫା କରୁଥିଲେ। ମା’ଙ୍କ ମୃତ୍ୟୁ ପରେ ୬ମାସ ହେବ ସେ କାମ କରିବାକୁ କୁଆଡେ ଯାଇନଥିଲେ। ଆଜି ସକାଳେ ପମ୍ପ ହାଉସ୍‌ର କାର୍ମଚାରୀ ତାଙ୍କୁ ଟାଙ୍କି ସଫା କରିବାକୁ କହିଥିଲେ। ଲୁଗା ଓ ଚପଲ ଖୋଲି ଗାମୁଛା ପିନ୍ଧି ଟାଙ୍କି ଭିତରକୁ ଯାଇ ସଫା କରୁଥିଲେ। ଏତିକି ବେଳେ କର୍ମଚାରୀ ମଟର ଚଲାଇ ଦେଇଥିଲେ ଯେଉଁଥିରେ ଭାଇ ପାଣି ମାଡ଼ରେ ଭିତରକୁ ଚାଲିଯାଇଥିଲେ। ଏପରି ଅଘଟଣ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ଘଟିଛି ବୋଲି ପ୍ରାଣକୃଷ୍ଣଙ୍କ ଭଉଣୀ ମେନକା ପ୍ରଧାନ ଅଭିଯୋଗ କରିଛନ୍ତି।

୧୨୦ କର୍ମଚାରୀ, ୨ ଜେସିବି, ୬ କଟିଂ ମେସିନ୍‌, ୫ ହ୍ୟାଣ୍ଡ ବ୍ରେକର, ଜେନେରେଟର

ରିଙ୍ଗ ବନ୍ଧ ରାସ୍ତା ପତନରୁ ୧୨ ଫୁଟ୍‌ ତଳେ ଯାଇଥିବା କଂକ୍ରିଟ୍‌ର ପାଇପ୍‌ ଭିତରେ ପ୍ରାଣକୃଷ୍ଣ ଫସି ଯାଇଥିଲେ । ତେଣୁ ମାଟି ଖୋଳିବା ପାଇଁ ଓଏମ୍‌ପି ଷଷ୍ଠ ବାଟାଲିୟନ୍‌ରୁ ଓଡ୍ରାଫ୍‌ ଟିମ୍‌ ପହଞ୍ଚିଥିଲା। ଓଡ୍ରାଫ୍‌ ପକ୍ଷରୁ ଦୁଇଟି ଜେସିବି ମେସିନ୍‌, ୬ଟି କଟି ମେସିନ୍‌, ୫ଟି ହ୍ୟାଣ୍ଡ ବ୍ରେକ୍‌ର ଏବଂ ବିଦ୍ୟୁତ ସପ୍ଲାଏ କରିବା ପାଇଁ ୧୦ କେବିର ଜେନେରେଟର ଲଗାଯାଇଥିଲା । ଓଡ୍ରାଫ୍‌ର ହାବିଲ୍‌ଦାର ମେଜର୍‌ ସୁନିଲ କୁମାର ନାୟକ ନେତତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ପାଖାପାଖି ୨୦ ଜଣ କର୍ମଚାରୀ ସାମିଲ ହୋଇଥିଲେ। ଅନ୍ୟପଟେ ଅଗ୍ନିଶମ ବିଭାଗର ଶହେ ଜଣ କର୍ମଚାରୀ ଏହି ଅପରେସନରେ ସାମିଲ ହୋଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ନେତା, ଅଧିକାରୀଙ୍କ ଭିଡ଼

ଏହି ଉଦ୍ଧାର କାର୍ଯ୍ୟ ସମୟରେ ଜିଲ୍ଲାପାଳ ସୁଶାନ୍ତ କୁମାର ମହାପାତ୍ର, ସିଏମ୍‌ସି କମିସନର ବିକାଶ ମହାପାତ୍ର, ମେୟର ମିନାକ୍ଷୀ ବେହେରା, କଟକ ନଗର (ଜିଲ୍ଲା) କଂଗ୍ରେସ କମିଟି ସଭାପତି ଇଂଜିନିୟର ମହମ୍ମଦ ମୋକିମ୍‌, ନଗର ବିଜେଡି କାର୍ଯ୍ୟକାରୀ ସଭାପତି ଧର୍ମେଶ ନାୟକ, ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷ ରଂଜନ କୁମାର ବିଶ୍ୱାଳ, ବିଜେପିର ଦେବାଶିଷ ଘୋଷ, କର୍ପୋରେଟର ନମିତା ବାରିକ, ଗିରିବାଳା ବେହେରା, ରମଜାନ୍‌ ଖାନ୍‌, ସେଖ୍‌ ସମ୍ମିମ୍‌ ଉଲ୍ଲା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର