ନିଗମ କର୍ତ୍ତୃପକ୍ଷଙ୍କ ଘରୋଇ ସଂସ୍ଥା ପ୍ରୀତି: ଆବଶ୍ୟକ ନ ଥାଇ ୧୮ କର୍ମଚାରୀଙ୍କୁ ଆହାର କେନ୍ଦ୍ରରେ ନିଯୁକ୍ତି

କଟକ: ସହରର ୭ଟି ଆହାର କେନ୍ଦ୍ରରେ ନିଗମର ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଥିବା ବେଳେ ସେଠାରେ ଏବେ ଠିକା ସଂସ୍ଥା କର୍ମଚାରୀଙ୍କୁ କାମରେ ଲଗାଇଛନ୍ତି ଅଧିକାରୀ। ଆହାର କେନ୍ଦ୍ରରେ ପୂର୍ବରୁ ନିଗମର କର୍ମଚାରୀ କାମ କରୁଥିବା ସମୟରେ ଏବେ ବିନା ଆବଶ୍ୟକତାରେ ଘରୋଇ ସଂସ୍ଥା ଜଗନ୍ନାଥ ପ୍ରସାଦ ନର୍ସରୀ(ଜେପିଏନ୍‌)କୁ ଆଉଟସୋର୍ସିଂରେ ଆଉ ୧୮ଜଣ ଅସ୍ଥାୟୀ କର୍ମଚାରୀଙ୍କୁ ଲଗାଇବାକୁ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରରେ ଆବଶ୍ୟକ ସଂଖ୍ୟାର କର୍ମଚାରୀ ଥିବା ବେଳେ ନିଗମ ଅଧିକାରୀ କେଉଁ ଉଦ୍ଦେଶ୍ୟ ନେଇ ଅଧିକ କର୍ମଚାରୀ ଲଗାଇବାକୁ ଘରୋଇ ସଂସ୍ଥାକୁ କହିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠୁଛି। ସେପଟେ ଉକ୍ତ ସଂସ୍ଥା କର୍ମଚାରୀଙ୍କୁ ନିୟମିତ ଦରମା ପ୍ରଦାନ କରୁନଥିବା ଓ ସେମାନଙ୍କ ଇପିଏଫ୍‌ ଓ ଇଏସ୍‌ଆଇ କାଟୁନଥିବା ବାରମ୍ବାର ଅଭିଯୋଗ ହେଉଛି। ଏପରି ପରିସ୍ଥିତିରେ ଅଧିକାରୀ କାହା ସ୍ବାର୍ଥରେ ଉକ୍ତ ସଂସ୍ଥାକୁ ବିନା କାରଣରେ ଅଧିକ କର୍ମଚାରୀ ଯୋଗାଇଦେବାକୁ ‌ନିର୍ଦ୍ଦେଶ ଦେଇଛନ୍ତି ଏହାକୁ ନେଇ ଅଙ୍ଗୁଳି ଉଠିଛି। ପୌର ନିଗମର ୫୯ଟି ୱାର୍ଡର ସଫେଇ ଦାୟିତ୍ବ ଗତ ନଭେମ୍ବରରୁ ୩ଟି ଘରୋଇ ସଂସ୍ଥାକୁ ଦିଆଯାଇଛି। ଏହା ପରେ ପୂର୍ବରୁ ୧୯ଟି ୱାର୍ଡରେ ନିୟୋଜିତ ହୋଇଥିବା ନିଗମର ୪୭୫ଜଣ ସ୍ଥାୟୀ ସଫେଇ କର୍ମଚାରୀଙ୍କୁ ସେଠାରୁ ବାହାର କରାଯାଇଥିଲା।

ଉକ୍ତ ୪୭୫ ଜଣ ସ୍ଥାୟୀ କର୍ମଚାରୀଙ୍କୁ ରିଂ ବନ୍ଧ, ପେଟାନାଳ, ୭ଟି ଆହାର କେନ୍ଦ୍ର‌, ପାର୍କ, ସହିଦ ଭବନ, ଟାଉନ୍‌ ହଲ, ବିଜୁ ଭବନ ଓ ବିକାଶ ଭବନ ପରି ସ୍ଥାନରେ ନିୟୋଜିତ କରା ଯାଇଥିଲା। ନିଗମ ଅଞ୍ଚଳରେ ଥିବା ୭ଟି ଆହାର କେନ୍ଦ୍ର ଯଥା ବାଦାମବାଡି, ଶିଶୁଭବନ, ସିଟି ହସ୍ପିଟାଲ, ଏସ୍‌ସିବି, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ମାଲଗୋଦାମ ଓ ଜଗତପୁରରେ ୧୮ଜଣ ସ୍ଥାୟୀ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି କରା ଯାଇଥିଲା। ସେଥିମଧ୍ୟରେ ବାଦାମବାଡି, ମାଲଗେ‌ାଦାମ ଓ ଜଗତପୁରରେ ସକାଳ ୧୦ରୁ ଅପରାହ୍ନ ୩ଟା ମଧ୍ୟରେ ୨ଜଣ କରି ୬ଜଣଙ୍କୁ କାମରେ ଲଗାଯାଇଥିଲା। ସେହିପରି ଶିଶୁଭବନ, ସିଟି ହସ୍ପିଟାଲ, ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଦୁଇ ବେଳାରେ ୩ଜଣ କରି ମୋଟ ୧୨ଜଣ ନିଯୁକ୍ତି ପାଇଥିଲେ। ମାତ୍ର ଉକ୍ତ କେନ୍ଦ୍ର ଗୁଡିକରେ ବହୁ ବର୍ଷ ଧରି ୧୮ଜଣ ସଫେଇ କର୍ମଚାରୀ କାମ କରୁଥିବା ବେଳେ ଏବେ ଆବଶ୍ୟକତା ନଥାଇ ସମାନ ସଂଖ୍ୟାର କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନିଗମର ଅଧିକାରୀ ଜେପିଏନ୍‌କୁ ଗତମାସ ଚିଠି ନମ୍ବର ୧୫୧୩ରେ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁସାରେ ଉକ୍ତ ସଂସ୍ଥା ଚଳିତ ମାସ ପ୍ରଥମ ସପ୍ତାହରେ ୭ଟି କେନ୍ଦ୍ରରେ ୧୮ ଜଣ ସଫେଇ କର୍ମଚାରୀଙ୍କୁ ଲଗାଇଛି। ଆହାର କେନ୍ଦ୍ରରେ ସଫେଇ କର୍ମଚାରୀ ଆବଶ୍ୟକତାକୁ ନେଇ ଜେପିଏନ୍‌ ସଂସ୍ଥାକୁ ଲୋକ ଦେବାକୁ ଚିଠି କରାଯାଇଛି ବୋଲି ଡେପୁଟି କମିସନର ଡକ୍ଟର ଶୁଭଶ୍ରୀ ତ୍ରିପାଠୀ କହିଛନ୍ତି। ତେବେ ପୂର୍ବରୁ ୧୮ଜଣ କାମ କରୁଥିବା ବେଳେ ଏବେ ବିନା କାରଣରେ ଘରୋଇ ସଂସ୍ଥାରୁ ଅଧିକାରୀ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ କରି ସଂସ୍ଥାର ସ୍ବାର୍ଥକୁ ଅଧିକ ଗୁରୁତ୍ବ ଦେଉଥିବାର ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର