ମୃଣ୍ମୟୀ ମୂର୍ତ୍ତି ଶିଳ୍ପୀଙ୍କ ଉପରେ କରୋନା ମାଡ଼; ମାଟିକୁ ଜୀବନ୍ତ କରୁଥିବା ଯାଦୁକରୀ ହାତ ଏବେ ମାଛ କାଟୁଛି

କଟକ: କୁହାଯାଏ ‘ମଣିଷ ପରିସ୍ଥିତିର ଦାସ’। କରୋନା କାଳରେ ଏହି କଠୋର ଉକ୍ତିର ସତ୍ୟତା ବାରମ୍ବାର ସାମନାକୁ ଆସୁଛି। ମାଟିକାଦୁଅକୁ ବିଭିନ୍ନ ରୂପ ଦେଇ ଜୀବନ୍ତର ଭ୍ରମ ସୃ‌ଷ୍ଟି କରି ପାରୁଥିବା ମୃଣ୍ମୟୀ ମୂର୍ତ୍ତି ଶିଳ୍ପୀଙ୍କର ଜୀବନ ଜୀବିକା ଏବେ କରୋନା ଛାଟରେ ବିପର୍ଯ୍ୟସ୍ତ ହୋଇ ପଡିଛି। ସେମାନଙ୍କ ମଧ୍ୟରୁ କିଏ ଏବେ ମାଛ କଟାଳି ତ କିଏ ପରିବା ବିକାଳି। ଭୁବନେଶ୍ବର ମ୍ୟୁଜିୟମ ହେଉ ଅବା ମହାରାଷ୍ଟ୍ରର ମ୍ୟୁଜିୟମ, ସବୁଠି ଯେଉଁ ଶିଳ୍ପୀମାନଙ୍କ ହାତର ସ୍ପର୍ଶ ସଂପୃକ୍ତ ସ୍ଥାନର ମର୍ଯ୍ୟାଦା ବଢ଼ାଇଛି, ସେମାନେ ଏବେ ଦୁଃସ୍ଥ ଓ ଅ‌ବହେଳିତ। ଆର୍ଥିକ ସଂକଟର ସାମ୍ନା କରିବାକୁ ଯାଇ କୌଳିକ ବୃତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି ଏମାନେ। ପୁରୁଷ ପୁରୁଷ ଧରି ମୂ୍ର୍ତ୍ତି ଗଢ଼ୁଥିବା ଶିଳ୍ପୀ କୁମ୍ଭାରସାହି, କାଠଗଡ଼ାସାହି, ବିଡ଼ାନାସୀର ମୂର୍ତ୍ତି କାରିଗରମାନେ ଏବେ ପରିବାର ଭରଣପୋଷଣ ପାଇଁ ବିଭିନ୍ନ ବୃତ୍ତିକୁ ଗ୍ରହଣ କରି ନେଇଥିବା ଦେଖାଯାଉଛି। କଟକର ଶିଳ୍ପୀ କୁମ୍ଭାରସାହି, କାଠଗଡ଼ାସାହି, ବିଡ଼ାନାସୀ, ଚୌଦ୍ବାର, ଜଗତପୁର, ବାରଙ୍ଗ, ବାଙ୍କୀରେ ମୃଣ୍ମୟୀ ମୂର୍ତ୍ତି ଶିଳ୍ପୀମାନେ ରହୁଛନ୍ତି। ସହର ଓ ଜିଲ୍ଲାକୁ ମିଶାଇଲେ ଏମାନଙ୍କ ସଂଖ୍ୟା ୪ଶହରୁ ଅଧିକ ହେବ। ଗଣେଶ ପୂଜା, ଖୁଦୁରୁକୁଣି, ବିଶ୍ବକର୍ମା ପୂଜା, ଦୁର୍ଗାପୂଜା, କାଳୀପୂଜା, କାର୍ତ୍ତିକେଶ୍ବର ପୂଜା ସମୟରେ ମୂର୍ତ୍ତି ଗଢ଼ିବା ସହିତ ପୂଜାମଣ୍ଡପ, ମନ୍ଦିର, ତୋରଣ ‌ଆଦି ନିର୍ମାଣ କାମ ଏମାନେ କରନ୍ତି।

ଗଣେଶ ପୂଜାରୁ କାର୍ତ୍ତିକେଶ୍ବର ପୂଜା ୫/୬ମାସ ମୂର୍ତ୍ତି ଗଢ଼ିବାରେ ବିତାଉ ଥିବା ବ‌େଳେ ଅବଶିଷ୍ଟ ସମୟ ଅଙ୍କଳାରଯୁକ୍ତ ନିର୍ମାଣ କାମ କରନ୍ତି। ସହର କାମ ସରିଗଲେ ‌ଅନେକ ଶିଳ୍ପୀ ଓଡ଼ିଶା ବାହାରକୁ ଚାଲିଯାଆନ୍ତି। କଟକର ଏହି ଶିଳ୍ପୀମାନଙ୍କ ହାତର ଯାଦୁକରୀ ସ୍ପର୍ଶ ଭୁବନେଶ୍ବର ମ୍ୟୁଜିୟମ୍ ସମେତ ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, ଦିଲ୍ଲୀ, ଚଣ୍ଡୀଗଡ଼, ଆନ୍ଧ୍ରପ୍ରଦେଶ ଆଦି ସ୍ଥାନରେ ଅସଂଖ୍ୟ ମାତ୍ରାରେ ରହିଛି। କିନ୍ତୁ କରୋନା ପାଇଁ ବିଗତ ବର୍ଷେ ହେଲା ଦୁର୍ଗାପୂଜା, ଗଣେଶପୂଜା ଆଦିରେ ଛୋଟ ମୂର୍ତ୍ତି ହେଉଛି। କରୋନା ପୂର୍ବରୁ ଗୋଟିଏ ମଣ୍ଡପରୁ ମୂର୍ତ୍ତି ଗଢ଼ା ବାବଦକୁ ୧୫ରୁ ୨୦ ହଜାର ଟଙ୍କା ପାଉଥିବା ଶିଳ୍ପୀଙ୍କୁ ଏବେ ୫ହଜାର ଟଙ୍କା ବି ମିଳୁନାହିଁ। ଗତ ଗଣେଶ ପୂଜାରେ ଆଦୌ ବେପାର ହେଲାନାହିଁ। ଯେଉଁମାନେ ବିଭିନ୍ନ ଡିଜାଇନ କାମ ପାଇଁ ବାହାରକୁ ଯାଆନ୍ତି, କରୋନା ପାଇଁ ୧୪/୧୫ ମାସ ହେଲା ସେମାନେ ଘରେ ବସିଛନ୍ତି। ସରକାରଙ୍କ ପକ୍ଷରୁ କୌଣସି ସହାୟତା ନାହିଁ। ଘର ଚଳିବ କେମିତି? ଏହାର ସମାଧାନ ପାଇଁ ପିଲାବେଳୁ ବାପାଙ୍କ ସହ ମୂର୍ତ୍ତି ଗଢ଼ୁଥିବା ଶିଳ୍ପୀ କୁମ୍ଭାର ସାହିର ଦିଲ୍ଲୀପ ବେହେରା ଏବେ ଘର ସମ୍ମୁଖରେ ପରିବା ବିକ୍ରି କରୁଛନ୍ତି। ସେହି ସାହିର ଶିଳ୍ପୀ ଶିବପ୍ରସାଦ ବେହେରା ମଧ୍ୟ ପରିବା ବିକ୍ରି କରୁଛନ୍ତି। ଶିଳ୍ପୀକୁମ୍ଭାର ସାହିର ଆଉ ଦୁଇ ଜଣ ଶିଳ୍ପୀ ଶ୍ରୀକାନ୍ତ ବେହେରା ଓ ବିନୋଦ ବେହେରା ଏବେ ମାଛ ବିକ୍ରି କରୁଛନ୍ତି। ମୃଣ୍ମୟୀ ମୂର୍ତ୍ତିକୁ ଆଖି ଫିଟାଇ ଜୀବଦାନ ଦେଉଥିବା ଶିଳ୍ପୀଙ୍କ ଏଭଳି ଦୂରାବସ୍ଥା ଦେଖିବାକୁ ମିଳୁଛି।

ଏସଂକ୍ରାନ୍ତରେ ଓଡ଼ିଶା ମୃଣ୍ମୟୀ ମୂର୍ତ୍ତି ଶିଳ୍ପୀ ସଂଘ ସଭାପତି ତଥା ଶିଳ୍ପୀକୁମ୍ଭାର ସାହି ମୁରବି କେଦାରନାଥ ବେହେରା କହିଛନ୍ତି ଯେ, ଗଣେଶ ପୂଜାରୁ କାର୍ତ୍ତିକେଶ୍ବର ପୂଜା ପର୍ଯ୍ୟନ୍ତ ପ୍ରାୟ ୫/୬ ମାସ ଶିଳ୍ପୀମାନେ ମୂର୍ତ୍ତି ଗଢ଼ନ୍ତି। ଅନ୍ୟ ସମୟରେ ଏମାନେ ମନ୍ଦିର, ମଠ, ପୂଜା ମଣ୍ଡପର ଡିଜାଇନ୍ କାମ କରନ୍ତି। ଏହି ବାବଦରେ ଜଣେ ସାଧାରଣ ଶିଳ୍ପୀ ମାସିକ ୧୫ରୁ ୨୦ହଜାର ଟଙ୍କା ଆୟ କରୁଥିବା ବେଳେ ବରିଷ୍ଠ ଶିଳ୍ପୀଙ୍କ ଆୟ ମାସିକ ପାଖାପାଖି ୩୦ ହଜାର ଟଙ୍କା ହୋଇଥାଏ। କିନ୍ତୁ କରୋନା ପାଇଁ ବର୍ଷେ ହେଲା ଛୋଟ ମୂର୍ତ୍ତି ହେଉଥିବାରୁ ଆଉ ରୋଜଗାର ନାହିଁ। କରୋନା ପାଇଁ ବାହାରକୁ ଯିବା ବି ବନ୍ଦ। ଏଥି ପାଇଁ ବହୁ ଶିଳ୍ପୀ ପରିବାର ପ୍ରତିପୋଷଣ ପାଇଁ ମାଛ, ପରିବା, ବିସ୍କୁଟ ବିକ୍ରି କରୁଛନ୍ତି ବୋଲି ସଭାପତି ଶ୍ରୀ ବେହେରା କହିଛନ୍ତି। ମୃଣ୍ମୟୀ ମୂର୍ତ୍ତି କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ ବିଷୟରେ ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ଓ ସଂପାଦକଙ୍କୁ ଭେଟି ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ପଟ୍ଟଚିତ୍ର ଶିଳ୍ପୀଙ୍କୁ, ଅନ୍ୟ ପେଣ୍ଟିଂ କରୁଥିବା ଶିଳ୍ପୀଙ୍କୁ ମାନ୍ୟତା ସହ ସହାୟତା ପ୍ରଦାନ କରାଯାଉଥିବା ବେଳେ ମୂର୍ତ୍ତି କାରିଗରଙ୍କୁ ଆର୍ଥିକ ସହାୟତା ମିଳୁନାହିଁ ବୋଲି କ୍ଷୋଭର ସହ କହିଛନ୍ତି ସଭାପତି ଶ୍ରୀ ବେହେରା।

ସମ୍ବନ୍ଧିତ ଖବର