କଟକ: ଶ୍ରମିକଙ୍କ ସୁରକ୍ଷା ଓ ନିରାପତ୍ତାର କୌଣସି ବ୍ୟବସ୍ଥା କଲେ ନାହିଁ। ଏପରିକି ଏ’ପ୍ରସଙ୍ଗରେ କାହାର ସାମାନ୍ୟ ଉଦ୍ବେଗ ପ୍ରକାଶ ପାଇଲା ନାହିଁ। କିଛି ଅଘଟଣ ହେଲେ ସେମାନଙ୍କ ପରିବାର ଅବସ୍ଥା କ’ଣ ହେବ ସେ ବିଷୟରେ ଚିନ୍ତା କଲେ ନାହିଁ। ଗତକାଲି ଭଳି ପୁଣି ବିପଦପୂର୍ଣ୍ଣ ଆବର୍ଜନାଭରା ସମ୍ପ୍ରେ ଶ୍ରମିକମାନଙ୍କୁ ପୁରାଇ ପଙ୍କୋଦ୍ଧାର କଲେ। ଘଟଣାସ୍ଥଳରେ ଖୋଦ୍ ସିଏମ୍ସି ଯନ୍ତ୍ରୀ ଓ ଠିକାଦାର ଉପସ୍ଥିତ ରହି ଏଭଳି କଲେ। ଏହା କ’ଣ ମାନବାଧିକାର ଉଲ୍ଲଂଘନ ନୁହେଁ? ଶ୍ରମ ଆଇନର ଅବମାନନା ନୁହେଁ? ବିପଦସଂକୁଳ ସ୍ଥାନରେ କାର୍ଯ୍ୟ ପାଇଁ, ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ କୋର୍ଟ କହିଥିଲେ ସୁଦ୍ଧା ଏସବୁକୁ ଅଣଦେଖା କରି ଆଜି ପୁଣି ଶିଖରପୁର କାଳିଆବୁଦା କାଳୀମନ୍ଦିର ସମ୍ମୁଖରେ ଗଭୀର ସମ୍ପ୍ରୁ ପଙ୍କୋଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ବେ ଟାଣ ଖରାରେ ସକାଳ ୧୦ଟାରୁ ଅପରାହ୍ଣ ସାଢ଼େ ୨ଟା ପର୍ଯ୍ୟନ୍ତ ଶ୍ରମିକମାନେ ବେକେ ପାଣିରେ ପଶି, ଉତ୍କଟ ଗନ୍ଧରେ ରହି ପଙ୍କୋଦ୍ଧାର କରିଥିଲେ। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସିଏମ୍ସି ୪୬ନଂ ୱାର୍ଡ ଅନ୍ତର୍ଗତ କାଳିଆବୁଦା କାଳୀମନ୍ଦିର ସମ୍ମୁଖ ଆବର୍ଜନାପୂର୍ଣ୍ଣ ଗଭୀର ସମ୍ପରୁ ଗତକାଲି ଫୁଙ୍ଗୁଳା ଦେହରେ, ବିନା ସୁରକ୍ଷା ବ୍ୟବସ୍ଥାରେ ବେକେ ପର୍ଯ୍ୟନ୍ତ ପଙ୍କରେ ପଶି କିଛି ଶ୍ରମିକ ପଙ୍କୋଦ୍ଧାର କରୁଥିଲେ। କାର୍ଯ୍ୟରତ ଶ୍ରମିକ ଏଭଳି ଦୟନୀୟ ଅବସ୍ଥା ଦେଖି ସ୍ଥାନୀୟ ବାସିନ୍ଦା ଏହାର ପ୍ରତିବାଦ କରି କାମ ବନ୍ଦ କରିଥିଲେ। ଏସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।
ଏହା ମାନବାଧିକାର ଉଲ୍ଲଂଘନ କରୁଥିଲେ ମଧ୍ୟ ଆଜି ଖୋଦ୍ ୱାର୍ଡ ଦାୟିତ୍ବରେ ଥିବା ସିଏମ୍ସି ଯନ୍ତ୍ରୀ ଓ କାମ ନେଇଥିବା ଠିକାଦାର ଉପସ୍ଥିତ ରହି ବିନା ସୁରକ୍ଷାରେ ଶ୍ରମିକମାନଙ୍କୁ ପର୍ବଭଳି ସମ୍ପ୍ରେ ପୁରାଇ ପଙ୍କୋଦ୍ଧାର କାର୍ଯ୍ୟ କରାଇଥିଲେ। କାମ ପୁଣି ସକାଳ ୧୦ଟାରୁ ଅପରାହ୍ଣ ସାଢ଼େ ୨ଟା ଯାଏ ଟାଣଖରାରେ କାମ ହୋଇଥିଲା। ଗତକାଲି ଭଳି ଶ୍ରମିକମାନଙ୍କ ସୁରକ୍ଷାକୁ ବେଖାତିର, ମାନବାଧିକାରର ସଂପୂର୍ଣ୍ଣ ଉଲ୍ଲଂଘନ କରି କାମ କରାଯାଇଥିଲା। ଏସଂକ୍ରାନ୍ତରେ ସଂପୃକ୍ତ ଯନ୍ତ୍ରୀଙ୍କୁ ପଚାରିବାରେ, ଟେଣ୍ଡର୍ରେ ମାନୁଆଲ କାମ କରିବାର ନିର୍ଦ୍ଦେଶ ଥିବାରୁ ଏଭଳି କାମ ହେଉଥିବା ସୂଚନା ଦେଇଥିଲେ।
ଏହା ଶ୍ରମିକଙ୍କ ଜୀବନ ସହ ଖେଳ
ନଗର କଂଗ୍ରେସ କମିଟି ସଭାନେତ୍ରୀ ତଥା ପୂର୍ବତନ କର୍ପୋରେଟର୍ ଗିରିବାଳା ବେହେରା କହିଛନ୍ତି, ପଙ୍କୋଦ୍ଧାର ନାମରେ ହରିଲୁଟ୍ ଚାଲିଛି। ମାର୍ଚ ମାସରୁ ଯେଉଁ କାମ ସରିବା କଥା ମେ’ ସୁଦ୍ଧା ସରୁନାହିଁ। ଏବେ ପୁଣି ଶ୍ରମିକଙ୍କ ଜୀବନ ସହ ଖେଳ। ଉକ୍ତ ସମ୍ପ୍ ମେସିନ୍ରେ ସଫା ହେବା କଥା। ଯଦି ମେସିନ୍ ନାହିଁ, ତେବେ ଶ୍ରମିକଙ୍କ ସୁରକ୍ଷା ପାଇଁ ଜୋତା, କ୍ୟାପ୍, ଗ୍ଲୋବ୍ସ୍, ଅମ୍ଲଜାନ ଆଦି ବ୍ୟବସ୍ଥା କରିବା କଥା। କିନ୍ତୁ ଏଭଳି ନକରି ସେମାନଙ୍କ ଜୀବନକୁ ବାଜି ଲଗାଇ କାମ ଚାଲିଛି ବୋଲି ଶ୍ରୀମତୀ ବେହେରା କ୍ଷୋଭ ପ୍ରକାଶ କରି କହିଛନ୍ତି।
ଇଏ କି ପ୍ରକାର ବ୍ୟବସ୍ଥା, ନା’ ଶ୍ରମ ଆଇନର ସୁରକ୍ଷା ନା’ ମାନବାଧିକାରକୁ ସମ୍ମାନ
ପ୍ରଥମେ ଶ୍ରମିକଙ୍କ ସୁରକ୍ଷା, ନିରାପତ୍ତା, ପରେ କାମ: ମେୟର୍
ଯେକୌଣସି କାମ ହେଉ। ପ୍ରଥମେ ଶ୍ରମିକଙ୍କ ସୁରକ୍ଷା ଓ ନିରାପତାକୁ ଅଗ୍ରଧିକାର ଦିଆଯିବା ଉଚିତ। କାଳିଆବୁଦା କାଳୀମନ୍ଦିର ସମ୍ମୁଖ ଗଭୀର ସମ୍ପ୍ରେ ଶ୍ରମିକମାନଙ୍କୁ ନିୟୋଜନ କରିବା ପୂର୍ବରୁ ଅଧିକାରୀମାନେ ଏବିଷୟରେ ଚିନ୍ତା କରିବା ଉଚିତ। ଏସଂକ୍ରାନ୍ତରେ ଆମେ ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ସେହି ଅନୁସାରେ କାର୍ଯ୍ୟ କରାଯିବ। କିନ୍ତୁ ପ୍ରଥମେ ଶ୍ରମିକଙ୍କ ସୁରକ୍ଷା ଓ ନିରାପତା, ପରେ କାମ।
ମେସିନ୍ ଯାଇପାରୁ ନ ଥିବାରୁ ଏଭଳି ସମସ୍ୟା ହେଉଛି
ଏସଂକ୍ରାନ୍ତରେ ୪୬ନଂ କର୍ପୋରେଟର ପ୍ରଳୟା ବେଉରା କହିଛନ୍ତି ଯେ, ଏଠାରେ ଗାଡ଼ି ବୁଲିବାରେ ଅସୁବିଧା ହେଉଥିବାରୁ ଠିକାଦାର ଲୋକ ଲଗାଇ ସମ୍ପ ସଫା କରୁଛନ୍ତି। ବଡ଼ ଗାଡ଼ି(ଜେସିବି) ନଆସିଲେ ବି ଚେନ୍ ପୁଲିଂ ମେସିନ୍ରେ ଏହା ସଫା ହୋଇପାରିବ। କିନ୍ତୁ ସିଏମ୍ସିର ଚେନ୍ ପୁଲିଂ ମେସିନ୍ ନଥିବାରୁ ଏହାକୁ ଲୋକ ଲଗାଇ ସଫା କରାଯାଉଛି। ବର୍ଷା ଆସୁଥିବାରୁ ୱାର୍ଡବାସୀଙ୍କ ପାଇଁ ଏହା ସଫା ହେବା ଆବଶ୍ୟକ। ଏବିଷୟରେ ମୁଁ ସିଏମ୍ସି ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛି। ଆବଶ୍ୟକ ପଡ଼ିଲେ, ଆମେ ମେସିନ୍ ଲଗାଇ ସଫା କରିବୁ ବୋଲି କର୍ପୋରେଟର ଶ୍ରୀମତୀ ବେହେରା କହିଛନ୍ତି।