ସିଏମ୍‌ସି ଅଫିସ ଏବେ ଶ୍ରମିକଙ୍କ ଆଶ୍ରୟସ୍ଥଳ; ଠିକାଦାରଙ୍କ କବ୍‌ଜାରେ ବିକାଶ ଭବନର ୩ ଘର

ଫାଇଲ୍‌ ରଖିବାକୁ ଜାଗା ନାହିଁ, ଶୋଉଛନ୍ତି ଶ୍ରମିକ

କଟକ: ସିଏମ୍‌ସି ବିକାଶ ଭବନରେ ସରକାରୀ ଫାଇଲ ରଖିବାକୁ ଜାଗା ଅଣ୍ଟୁନି। ହେଲେ ଅଫିସର ତିନିଟି ଘର ଏବେ ଠିକାଦାରଙ୍କ କବଜାରେ। ବିକାଶ ଭବନର ଜନ୍ମମୃତ୍ୟୁ ପ୍ରମାଣପତ୍ର କାଉଣ୍ଟର ଉପରେ ଥିବା ଏହି ଘରେ ନିଗମର ଜଣେ ଠିକାଦାରଙ୍କ ଅଧୀନରେ କାମ କରୁଥିବା ରାଜ୍ୟ ବାହାରର ଶ୍ରମିକ ୮ମାସରୁ ଅଧିକ ଦିନ ହେଲା ରହୁଛନ୍ତି। ସରକାରୀ କାର୍ଯ୍ୟାଳୟ ମଧ୍ୟରେ ବାହାର ଲୋକେ ମାସ ମାସ ଧରି ରହୁଥିଲେ ବି କର୍ତ୍ତୃପକ୍ଷଙ୍କ ନିରବତା ସମସ୍ତଙ୍କୁ ଚକିତ କରିଛି। ସେହିଠାରେ ଏବେ ରାଜ୍ୟ ବାହାରର ୨୫ରୁ ଅଧିକ ଶ୍ରମିକ ରହୁଛନ୍ତି। ପଶ୍ଚିମବଙ୍ଗରୁ ଏହି ଶ୍ରମିକମାନେ ଆସିଥିବା ବେଳେ ନିଗମର ପୋତାପୋଖରୀ ଅଞ୍ଚଳରେ ଚାଲିଥିବା ଏକ କାମରେ ସେମାନେ ନିୟୋଜିତ ହୋଇଛନ୍ତି। ଉକ୍ତ କାମଟି ଜଣେ ଠିକାଦାରଙ୍କ ଦ୍ବାରା କରାଯାଉଛି। ତେବେ ଠିକାଦାରଙ୍କ କାମରେ ଲାଗିଥିବା ଶ୍ରମିକଙ୍କୁ କାହା ସ୍ବାର୍ଥରେ ବିକାଶ ଭବନ ପରି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟରେ ରହିବାକୁ କିଏ ଅନୁମତି ଦେଇଛି ତାହା ଏବେ ସାଧାରଣରେ ପ୍ରଶ୍ନ ହୋଇଛି। ବିକାଶ ଭବନର ଜନ୍ମମୃତ୍ୟ ପଞ୍ଜୀକରଣ କାର୍ଯ୍ୟାଳୟ ଉପରେ ଥିବା ତିନିଟି କୋଠରୀରେ ସେମାନେ ରହୁଥିବା ବେଳେ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପାଇଁ ଥିବା ଶୌଚାଳୟକୁ ବ୍ୟବହାର କରୁଛନ୍ତି।

ସେପଟେ ବିଜୁଭବନରୁ ବିକାଶଭବନକୁ ଆସିଥିବା ଜନ୍ମମୃତ୍ୟୁ କାର୍ଯ୍ୟାଳୟର ରେକର୍ଡ ରଖିବାକୁ ଜାଗା ଅଣ୍ଟୁ ନାହିଁ। ଶ୍ରମିକମାନେ ରହୁଥିବା କୋଠରୀକୁ ଲାଗି ରହିଛି ନିଗମର ସ୍ବାସ୍ଥ୍ୟ ଓ ଇଂଜିନିୟରିଂ ପରି ଅତି ଗୁରୁତ୍ବପୂର୍ଣ୍ଣ ବିଭାଗ। ଏମାନଙ୍କ ଯୋଗୁଁ ବିକାଶ ଭବନ ପରିସରରେ ରାତିରେ ମଦ ଓ ଗଞ୍ଜେଇର ଆଡ଼ା ଜମୁଥିବାର ବି ଅଭିଯୋଗ ହୋଇଛି। ଅନ୍ୟପଟେ ସିଟି ଇଂଜିନିୟର ସୁବା ରାଓ ପାତ୍ର କହିଛନ୍ତି ଯେ ବିକାଶ ଭବନ କାର୍ଯ୍ୟାଳୟରେ ଠିକାଦାରଙ୍କ ଶ୍ରମିକ ରହୁଥିବାର ଖବର ତାଙ୍କ ନିକଟରେ ନାହିଁ। ଏହାର ଯାଞ୍ଚ କରି ସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର