କଟକ: ପୌର ନିଗମ କର୍ତ୍ତୃପକ୍ଷଙ୍କ ଠିକାଦାର ପ୍ରୀତି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଠିକାଦାରଙ୍କ ସୁରକ୍ଷା ପାଇଁ ନିଗମ କର୍ତ୍ତୃପକ୍ଷ ସବୁ ନିୟମକୁ ଜଳାଞ୍ଜଳି ଦେଇ ଦେଇଛନ୍ତି। ୱାର୍କଅର୍ଡର ପାଇ କାମ କରୁ ନଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କୁ ଗେହ୍ଲା ପୁଅ କରିଛନ୍ତି ନିଗମ କର୍ତ୍ତୃପକ୍ଷ। ୱର୍କଅର୍ଡର ପାଇ କାମ କରୁନଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବାର ନିୟମ ଥିବା ବେଳେ ଏହାକୁ କିନ୍ତୁ କର୍ତ୍ତୃପକ୍ଷ ପାଳନ କରୁ ନଥିବାର ଅଭିଯୋଗ ହୋଇଛି। ୩ ମାସ ଓ ୬ ମାସର କାମକୁ ୨ରୁ ୩ ବର୍ଷରେ ଶେଷ କରି ପାରୁନଥିବା ଠିକାଦାର ଓ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ବଦଳରେ ସେମାନଙ୍କୁ ନୂଆ କାମ ଦେବା ପଛରେ କର୍ତ୍ତୃପକ୍ଷଙ୍କ କି ଉଦ୍ଦେଶ୍ୟ ରହିଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ପୌର ନିଗମର ୫୯ଟି ୱାର୍ଡରେ ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ନିଗମ ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାରଙ୍କୁ ଚୟନ କରାଯାଏ। ୨ ଲକ୍ଷ ଟଙ୍କାରୁ ଅଧିକ ଠିକା କାମ ପାଇଁ ଇ-ଟେଣ୍ଡର କରାଯାଏ। ଏଥିରେ ଲୋଏଷ୍ଟ ବିଡର୍ ଠିକାଦାରଙ୍କୁ ଠିକା କାମ ପାଇଁ ଚୟନ କରାଯାଏ। ଠିକାଦାର ଏପିଏସ୍ ଅର୍ଥ ଦାଖଲ କରିବା ପରେ ନିଗମ ତରଫରୁ କାମ କରିବାକୁ ୱାର୍କଅର୍ଡର ଦିଆଯାଏ। ଅର୍ଡର ପେପରରେ ଠିକାଦାରଙ୍କ ନାମ, ତାଙ୍କ ଦ୍ବାରା ହେବାକୁ ଥିବା କାମର ବିବରଣୀ, ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ହୋଇଥିବା ଟଙ୍କା ପରିମାଣ, କାମ ଶେଷ ହେବାର ସମୟସୀମା ଆଦି ଉଲ୍ଲେଖ ଥାଏ। ବିଶେଷ ଭାବେ ସମୟ ମଧ୍ୟରେ କାମ ଶେଷ କରିବାକୁ ଏଥିରେ ଗୁରୁତ୍ବ ଦିଆଯାଇଥାଏ। ମାତ୍ର ପୌର ନିଗମରୁ ୱାର୍କଅର୍ଡର ପାଇ ଅନେକ ଠିକାଦାର କାମ କରୁ ନାହାନ୍ତି। ଏପରିକି ପ୍ରକଳ୍ପର ସମୟସୀମା ଶେଷ ହୋଇଥିଲେ ବି କାମ ଆରମ୍ଭ କରୁ ନାହାନ୍ତି ଠିକାଦାର। ଏଭଳି ସ୍ଥିତିରେ ସେମାନଙ୍କ ନାମକୁ ନିଗମ ପକ୍ଷରୁ ୩ବର୍ଷ ପାଇଁ କଳାତାଲିକା ଭୁକ୍ତ କରିବାର ନିୟମ ଥିଲେ ବି ଠିକାଦାର ପ୍ରୀତି ପାଇଁ କର୍ତ୍ତୃପକ୍ଷ ତାହା କରୁ ନାହାନ୍ତି। ସେପଟେ କାମ ନ କରୁଥିବା ଠିକାଦାରଙ୍କୁ କଳାତାଲିକାଭୁକ୍ତ କରିବା ବଦଳରେ ତାଙ୍କୁ ଅନ୍ୟ କାମର ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦେଇ ନୂଆ କାମ ଦେଉଥିବାର ଅଭଯୋଗ ହୋଇଛି। ସୂଚନାଯୋଗ୍ୟ, ନିଗମର ୪୯ ନମ୍ବର ୱାର୍ଡ ଜଗତପୁର ଗୋଲେଇ ଛକର ସୌନ୍ଦର୍ଯ୍ୟୀକରଣ ପାଇଁ ୫୦ ଲକ୍ଷ ଟଙ୍କାର ବଜେଟ କରାଯାଇ ୨୦୨୧ ନଭେମ୍ବରରେ ଟେଣ୍ଡର ହୋଇଥିଲା।
କାମ ପାଇଁ ୨୦୨୨ ଜାନୁଆରିରେ ୱାର୍କଅର୍ଡର ବାହାରିବା ସହ ଜୁଲାଇ ୨୦୨୨ ସୁଦ୍ଧା କାମ ଶେଷ କରିବାକୁ କୁହାଯାଇଥିଲା। ହେଲେ କାମ ଶେଷ କରିବାର ସମୟସୀମା ପୂରି ଯାଇଥିଲେ ବି ଗୋଲେଇ ଛକରେ ଏବେ ସୁଦ୍ଧା କାମ ଆରମ୍ଭ ହୋଇ ପାରିଲା ନାହିଁ। ହେଲେ ସମୟରେ କାମ ଶେଷ କରି ନଥିବା ଉକ୍ତ ଠିକାଦାରଙ୍କୁ ଟାଉନ୍ ହଲ୍ ଉପରେ ଆର୍ଟ ଗ୍ୟାଲେରି ନିର୍ମାଣ କାମ ମିଳିଛି। ସେହିପରି ପୌର ନିଗମର ୩୪ ନମ୍ବର ୱାର୍ଡରେ ୬ଶହ ମିଟର ଡ୍ରେନ କାମ ପାଇଁ ୬୫ ଲକ୍ଷ ଟଙ୍କାର ବଜେଟ କରାଯାଇ ୨୦୨୧ ଜାନୁଆରିରେ ଟେଣ୍ଡର କରଯାଇଥିଲା। ଏଥିରେ ୪ମାସରେ ଡ୍ରେନ୍ କାମ ଶେଷ କରିବାକୁ କୁହାଯାଇଥିଲା। ମାତ୍ର ଦେଢ ବର୍ଷ ମଧ୍ୟରେ ମାତ୍ର ୪ଶହ ମିଟର କାମ ଶେଷ େହାଇଛି। ଅନ୍ୟପଟେ ନିଗମର ନର୍ସରୀ କାମ ସିଡିଏ ସେକ୍ଟର-୯ରେ ଥିବା ଆମ୍ବ ତୋଟାରେ ହେବାକୁ ଥିବା ବେଳେ ଏହାର କାମ ଏବେ ସୁଦ୍ଧା ହୋଇ ପାରିଲା ନାହିଁ। ଏଠାରେ ୬ମାସରେ କାମ ଶେଷ କରିବାକୁ ଯୋଜନା କରାଯାଇ ୨୦୨୧ ମାର୍ଚ୍ଚରେ ଟେଣ୍ଡର କରାଯିବା ସହ ସେହିବର୍ଷ ଏପ୍ରିଲରେ କାମ ଆରମ୍ଭ ହୋଇଥିଲା। ହେଲେ ଏବେ ସୁଦ୍ଧା ଏଠାରେ ୩୦ ପ୍ରତିଶତ କାମ ବାକି ରହିଛି। ଏପରି ୫୦ରୁ ଅଧିକ କାମ ୱାର୍କଅର୍ଡରରେ ଥିବା ସମୟସୀମା ମଧ୍ୟରେ ଶେଷ ହୋଇନାହିଁ। ସେହିପରି ନିଗମର ୩୦ରୁ ଅଧିକ ପ୍ରକଳ୍ପ ଦୀର୍ଘ ଦିନ ଧରି ଆରମ୍ଭ ନ ହୋଇ ପଡିରହିଛି। ୱାର୍କଅର୍ଡର ପାଇ ସମୟସୀମା ମଧ୍ୟରେ କାମ ଆରମ୍ଭ କରୁ ନଥିବା ଓ କାମ ଶେଷ କରୁ ନଥିବା ଠିକାଦାରଙ୍କୁ କିନ୍ତୁ ପୌର ନିଗମ କର୍ତ୍ତୃପକ୍ଷ କଳା ତାଲିକାଭୁକ୍ତ ତ କରୁ ନାହାନ୍ତି, ଅନ୍ୟପଟେ ସେମାନଙ୍କୁ ନୂଆ କାମର ସୁଯୋଗ ବି ମିଳି ଯାଉଛି। ଏ ସଂପର୍କରେ ମେୟର ସୁବାସ ସିଂହ କହିଛନ୍ତି ଯେ ଏ ସଂପର୍କରେ ଅଭିଯୋଗ ମିଳିଛି। ଏ ସଂପର୍କିତ ଫାଇଲ୍ ବି ମଗାଇଛି। ଯିଏ ଏଭଳି କରିଥିବେ, ସେମାନଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/CMC2091633.jpg)