କଟକ: ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ଅଡିଟୋରିୟମ୍‌ରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ନେଇ ଉଦ୍ୟୋଗୀ ବିକାଶ ମାଧ୍ୟମରେ ମହିଳା ଗୋଷ୍ଠୀକୁ ସଶକ୍ତୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୦୦ ମହିଳା ଯୋଗଦାନ କରିଥିଲେ। ରାଜ୍ୟ ସରକାରଙ୍କ ଆଇନ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ, ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋଭିଡ୍‌ ପରବର୍ତ୍ତୀ ସମୟରେ ମହିଳା ସଶକ୍ତୀକରଣ ସହ ଜଡ଼ିତ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ମହିଳା ଓ ଶିଶୁବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌, ଇଣ୍ଡିଆନ ଚାମ୍ବର ଅଫ କମର୍ସ ମହିଳା ଶାଖା ଆବାହକ ସ୍ଵୀକୃତି ପଟ୍ଟନାୟକ ଓ ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ଯୋଗ ଦେଇଥିଲେ। ସମାଜ ବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ଜି.ଏ.କେ. କୁମାର ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

Advertisment

publive-image Sambad

ଏହି ଅବସରରେ ମିସନ୍‌ ଶକ୍ତି ମାଧ୍ୟମରେ ଉଦ୍ୟୋଗ ସୃଷ୍ଟି କରି ଅନୁଗୁଳ ଓ ସୁନ୍ଦରଗଡ଼ରେ ମହିଳାମାନେ କିପରି ଆତ୍ମନିର୍ଭରଶୀଳ ହୋଇଛନ୍ତି, ଅଜୟନ୍ତୀ ଏକ୍କା ତାହାର ଉଦାହରଣ ଦେଇଥିଲେ। ଅନୁସୂଚିତ ଜାତି ଉପଯୋଜନାର ଅଧ୍ୟକ୍ଷ ତଥା ଅନୁଷ୍ଠାନର ନିର୍ଦେଶକ ଡକ୍ଟର ଭାସ୍କର ଚନ୍ଦ୍ର ପାତ୍ର, ଇଣ୍ଡିଆନ୍‌ ଚାମ୍ବର ଅଫ କମର୍ସ, ମହିଳା ସମବାୟ ବିକାଶ ନିଗମ ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ଶ୍ବେତା ମିଶ୍ର ମହିଳା ସଶକ୍ତୀକରଣ ଉପରେ ଆଲୋଚନା କରିଥିଲେ। ଆଲୋଚନାଚକ୍ରର ଦ୍ବିତୀୟ ପର୍ଯ୍ୟାୟରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ ମହିଳା ଶାଖା ଆବାହକ ସ୍ଵୀକୃତି ପଟ୍ଟନାୟକ ଓ ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ଉଦ୍ୟୋଗୀମାନଙ୍କର ବିକାଶ, ବ୍ରାଣ୍ଡିଂ ଓ ମାର୍କେଟିଂ ଓ ମାଣ୍ଡିଆ ମିସନ୍‌ ଇତ୍ୟାଦି ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ଉପରେ ବୁଝାଇଥିଲେ। ବିଭିନ୍ନ ମହିଳା ସ୍ବୟଂସହାୟକ ଗୋଷ୍ଠୀର ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ‌ଶେଷରେ ଅନୁସୂଚିତ ଜାତି ଓ ଜନଜାତି ନୋଡାଲ୍‌ ଅଫିସର ଡକ୍ଟର ବିଶ୍ବଜିତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ବୈଜ୍ଞାନିକ ଓ କର୍ମଚାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ।